ଦଇତାପୁର ଗାଆଁର ମଧୁ ଦାସଙ୍କ ପୁଅ ବାବନା ହାଇସ୍କୁଲରେ ପାଠ ପଢୁଥାଏ । ସିଏ ଯେତେ ଟିଉସନ୍ ହେଲେ ବି ତା’ ମୁଣ୍ଡରେ ପାଠ ମୋଟେ ପଶୁ ନଥାଏ । ବହିପତ୍ର, ଖାତା, କଲମର କୌଣସି ଅଭାବ ରଖନ୍ତି ନାହିଁ ମଧୁଦାସ । ସେ ମଧୁଦାସ ତାଙ୍କ ଗାଆଁର ଛକ ମୁଣ୍ଡରେ ଗୋଟିଏ ବଡ ତେଜରାତି ଦୋକାନ କରିଥାଆନ୍ତି । ଆଖପାଖ ପାଂଚଖଣ୍ଡ ଗାଆଁର ଲୋକେ ତାଙ୍କରି ଦୋକାନରୁ ହିଁ ସଉଦା ନିଅନ୍ତି । କାହିଁକିନା ତାଙ୍କ ଜିନିଷରେ ଭେଜାଲ୍ ମୋଟେ ନଥାଏ । ଠିକ୍ ଜିନିଷର ମାପ ଓ ଠିକ୍ ଟଙ୍କା । ସେଥିପାଇଁ ବୋର୍ଡଟାଏ ତାଙ୍କ ଦୋକାନ ଆଗରେ ମରାଯାଇଥାଏ –
“ଆଜି ନଗଦ,
କାଲି ବାକି ।
ତେଣୁ ଟଙ୍କା ଦେଇ ଠିକ୍ ସଉଦା ସେଠାରୁ ସମସ୍ତେ ନିଅନ୍ତି । ବାକି କେବେବି ରଖନ୍ତି ନାହିଁ ।
ଏହିପରିଭାବେ ଦିନପରେ ଦିନ ଗଡି ଚାଲିଥାଏ । ମଧୁଦାସଙ୍କ ପୁଅ ବାବନା ମାଟ୍ରିକ୍ ପରୀକ୍ଷାରେ ଫେଲ୍ ହୋଇଗଲା । ମଧୁଦାସଙ୍କ ଆଶାଟା ବି କ୍ଷଣକେ ପାଣି ଫୋଟକା ପରି ମିଳାଇଗଲା । କାହିଁକିନା ସେ ମଧୁଦାସ ତାଙ୍କ ପୁଅକୁ ସବୁବେଳେ କହୁଥିଲେ ତୁ ଯେତେ ପାଠ ପଢିବୁ ମୁଁ ତୋତେ ନିଶ୍ଚୟ ପଢାଇବି । ତୁ ଗୋଟିଏ ବଡ ଅଫିସର ହେଲେ ମୋ ମନ ନିଶ୍ଚୟ ଖୁସି ହୋଇଯିବ । କିନ୍ତୁ ଫଳ ଠିକ୍ ଓଲଟା ହେଲା । ବାବନା ପୁଣି ଦ୍ୱିତୀୟ ଥର ପରୀକ୍ଷା ଦେଲା । ସେଥିରେ ମଧ୍ୟ ସେଇ ଏକା କଥା । ତୃତୀୟ ଥର ମଧ୍ୟ ମାଟ୍ରିକ୍ ପରୀକ୍ଷା ଦେଇ ବାବନା ପୁଣି ଫେଲ୍ ହେଲା । ଏବେ ସେ ମଧୁଦାସଙ୍କ ମନ ଅତ୍ୟନ୍ତ ଦୁଃଖ ହୋଇଗଲା । ତେଣୁ ସେ ତାଙ୍କ ପୁଅକୁ କହିଲେ, ଦୋକାନରେ ଆସି ସଉଦା ବିକ୍ରିକର । ମୋ ପରେ ତ ତୁ ଏ ଦୋକାନ ଚଳାଇବୁନା । ତହୁଁ ବାପାଙ୍କ କଥା ମାନି ସେ ବାବନା ଘଡିଏ ଘଡିଏ ଆସି ଦୋକାନରେ ବସି ସଉଦା ବିକେ । ଅନ୍ୟମନସ୍କ ହୋଇ ସେ ହିସାବ ପତ୍ରରେ ବି ଭୁଲ୍ କରେ । ଏହି କାରଣରୁ ସେ କ୍ଷତିରେ ବି ପଡିଥାଏ । ବହୁବାର ଏପରି ଭୁଲ୍ କାମ କରି କ୍ଷତିରେ ପଡିବାରୁ ମଧୁଦାସ କର୍ତ୍ତବ୍ୟ ବିମୂଢ ହୋଇଗଲେ । ତାଙ୍କ ମୁଣ୍ଡ ଆଉ ଥୟ ହେଲା ନାହିଁ । ଏହି କାରଣରୁ ସୁସ୍ଥ ସବଳ ଅବସ୍ଥାରେ ବି ସେ ମଧୁଦାସ ହାର୍ଟ ଷ୍ଟ୍ରୋକରେ ମୃତ୍ୟୁବରଣ କଲେ ।