ଏଥର ସେ ବାବନା ତା ବୋଉ ସହ ଅତ୍ୟନ୍ତ ମନ ଦୁଃଖରେ ନିଜ ସଂସାର ଚଳାଇଲା । ତାର ସାନ ଭଉଣୀଟିଏ ବିବାହ କରିଦେଲା । ହେଲେ ଦୋକାନ ଚଳାଇବା ପାଇଁ ତା ମୁଣ୍ଡ କିଛି ବି କାମ କଲା ନାହିଁ । ତେଣୁ ସେ ଖାଲି କ୍ଷତି ପରେ କ୍ଷତି ହିଁ ସହିଲା । ସେହି କାରଣରୁ ବାବନା ଦିନେ ଘରେ ବସି ତା ମାଆକୁ କହିଲା, ତୁ ଯଦି ଏକୁଟିଆ ଏ ଘରେ ଚଳିପାରନ୍ତୁ ତେବେ ମୁଁ ଦୂରକୁ ଯାଇ ମୂଲପାତି ଲାଗି ତୋ ପାଇଁ ଟଙ୍କା ପଠାନ୍ତି । ଏ ଦୋକାନ କାମ ମୋ ପାଇଁ ଆଦୌ ନୁହେଁ । ମାଆର ବିରକ୍ତି ଭାବ ଦେଖି ସେ ବାବନା ଆଉ ବାହାରକୁ ଯାଇପାରିଲା ନାହିଁ ।
ଦିନେ ସଂଧ୍ୟା ସମୟରେ ସେ ବାବନା ନଈକୂଳରେ ବୁଲୁଥାଏ, ସେ ତା ବାପାଙ୍କ କଥା ବହୁତ ଭାବୁଥାଏ । ଠିକ୍ ଏତିକିବେଳେ ଗୋଟିଏ ସୁନ୍ଦର ଗୀତର ଲହର ତାକୁ ଶୁଣାଗଲା ।
ଆକାଶରେ ତାରା ହୀରାଫୁଲ ପରି,
ଜହ୍ନର ରୂପେଲି ଶୋଭା ।
ନଈ ଜଳ ଦିଶେ ଢଳ ଢଳ ସଫା,
ଜହ୍ନ ମୁହଁ ଦେଖେ କିବା ।
ସଫା କିରଣରେ ବାଲିଗଣି ହୁଏ,
ଗଣିହୁଏ ପାଦଚିହ୍ନ ।
ଆ’ ଜହ୍ନମାମୁଁ ତଳକୁ ଓହ୍ଲାଇ,
ଖେଳିବା ଗୋ ରାତିଦିନ ।”
ଏପରି ଗୀତ ଶୁଣି ବାବନା ହଠାତ୍ ଚାରିଆଡକୁ ଚାହିଁଲା, ହେଲେ ସେ କିଛି ବି ଦେଖିପାରିଲା ନାହିଁ । କିନ୍ତୁ ନିକଟରେ ଯେମିତି ସ୍ୱର ଶୁଭି ଶୁଭି ଆସିଲା । ସେ ବାବନା ସଙ୍ଗେ ସଙ୍ଗେ ପଛକୁ ଚାହିଁ ଦେଲା, ସେ ଦେଖିଲା ବିରାଟକାୟ ସ୍ତ୍ରୀ ଲୋକଟିଏ ଠିଆ ହୋଇଛି । ଏସବୁ ଦେଖି ବାବନାକୁ ଖୁବ୍ ଭୟ ଲାଗିଲା । ତହୁଁ ସେ ବାବନା ପଚାରିଲା – ତୁମେ କିଏ? କାହିଁକି ଏକୁଟିଆ ଏଠି ତୁମେ ବୁଲୁଛ? ତୁମ ଗୀତର ସ୍ୱର ବହୁତ ମଧୁର, ତାହା ବହୁତ ଭଲ ଲାଗିଲା ମୋତେ ଶୁଣିବା ପାଇଁ ।