ଏତକ ଶୁଣି ସେ ବିରାଟ ସ୍ତ୍ରୀ ଲୋକଟି କହିଲା –
ଡରିଯାଅ ନାହିଁ ମୋତେ ଦେଖିଭାଇ,
ମୁଁ ନୁହେଁ ଦାନବୀ, ମାନବୀ,
ଆକାଶ ରାଇଜ ପରୀରାଣୀ ମୁହିଁ,
ତାରାମାନେ ମୋର ବାନ୍ଧବୀ ।
ଆସିଥିଲି ବୁଲି ଦେଖିବା ପାଇଁକି,
ନଦୀକୂଳ ଶୋଭା ସଂଧ୍ୟାରେ ।
ତାରା ହସି କହୁଥିଲେ ମୋତେ,
ଗୀତଟିଏ ଗାଆ ସେଠାରେ ।
ଏହା ଶୁଣି ସେ ବାବନା ଖୁବ୍ ଆଶ୍ଚର୍ଯ୍ୟ ହୋଇ କହିଲା, ତୁମେ ଗୀତ ଗାଇଲ, ସେମାନେ କ’ଣ ତାହା ଶୁଣିପାରିଲେ?
ବାବନା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ପରୀରାଣୀ କହିଲେ, ମୁଁ ଗୀତ ଗାଇଲେ ତାହା ବହୁ ଦୂରକୁ ଶୁଭେ । ମଣିଷମାନେ ଆମମାନଙ୍କ ବିଷୟରେ କିଛି ବି ଜାଣନ୍ତି ନାହିଁ । ପୃଥିବୀ ଉପରେ ଆମେ ବୁଲିଲେ କିମ୍ବା ଗୀତ ଗାଇଲେ ଆକାଶ ରାଇଜକୁ ତାହା ଦେଖାଯିବ ଓ ଶୁଣାଯିବ ମଧ୍ୟ । ଆମେ ଯାହା ଚାହିଁବୁ ତାହା କରିପାରୁ । ଆମର ଈଶ୍ୱରଦତ୍ତ ଗୁଣଗୁଡିକ ଥିବାରୁ ମଣିଷମାନଙ୍କୁ ଆମେ ବହୁ ବିପଦରୁ ମଧ୍ୟ ରକ୍ଷା କରିପାରୁ । ସର୍ବଦା ଆମେ ଈଶ୍ୱରଙ୍କ ଶରଣାପନ୍ନ ହୋଇଥାଉ । ତେଣୁ କୌଣସି ବିପଦ ବି ଆମକୁ ସ୍ପର୍ଶ କରେ ନାହିଁ । ମନ ଆନନ୍ଦରେ ଜଳ, ସ୍ଥଳ, ଆକାଶ, ପାତାଳ, ମହାକାଶ ମଧ୍ୟରେ ବି ଆମେ ବିଚରଣ କରିଥାଉ । ବହୁ ରୂପ ଧାରଣ କରି ଆମେ ବି କାର୍ଯ୍ୟ କରିପାରୁ ।
ଏକଥା ଶୁଣି ସେ ବାବନା କହିଲା, ତୁମେ ମୋତେ ଟିକେ ସାହାଯ୍ୟ କରି ପାରିବ? ମୋ ବାପାଙ୍କର ମୃତ୍ୟୁ ପରେ ମନ ମୋର ଭାଙ୍ଗି ଯାଉଛି । ତେଣୁ ମୁଁ ବଡ ଦୁଃଖ ଅନୁଭବ କରୁଛି । ଦୋକାନ ଖଣ୍ଡିକ ବି ମୋର କ୍ଷତିରେ ଚାଲୁଛି । ମୋତେ କିଛି ସଦ୍ବୁଦ୍ଧି ଦିଅ ।
ଏପରି କଥା ଶୁଣି ସେ ବିରାଟକାୟ ସ୍ତ୍ରୀ ଲୋକଟି ହଠାତ୍ ଏକ ଉଜ୍ୱଳ ଆଲୋକ ଧାରଣ କରି ଅତି ସୁନ୍ଦରୀ ରୂପରେ ପରିବର୍ତ୍ତିତ ହୋଇଗଲା, ତା’ର ପଛପଟ ପର ଦୁଇଟି ସୁନେଲି ରଙ୍ଗ ଧାରଣ କଲା । ଏଥର ବାବନାର ମନ ଅତ୍ୟନ୍ତ ଖୁସି ହୋଇଗଲା । ଏମିତିକି ଆଖିରେ ତାର ପଲକ ବି ପଡିଲା ନାହିଁ । ସେ ଖାଲି ବାରମ୍ବାର ସେ ସୁନ୍ଦରୀ ଆକାଶ ପରୀଙ୍କୁ ଚାହିଁ ରହିଲା । ତହୁଁ ସେ ଆକାଶ ପରୀ କହିଲେ –
“ଛାଇରେ ଯିବ ଦୋକାନ ଖୋଲି,
ବନ୍ଦ କରିବ ଛାଇରେ ।
ଯାହାକୁ ଦେବ ମାଗିବ ନାହିଁ,
ଭାବି ରଖିଥିବ ମନରେ ।”
ହଁ ଆଉ ଗୋଟିଏ କଥା ବି ମନେରଖିବ –
“ବାଡିରେ ବସାଇ ହାଟ ଗୋଟିଏ,
ସୁବିଧା କରିବ ତୁମର,
ବୁଝି ନ ପାରିଲେ ମୋ କଥାଟିକୁ,
ତିନି ମୁଣ୍ଡିଆଁଙ୍କୁ ପଚାର ।”
“ପୂର୍ଣ୍ଣିମା ଦିନ ନଦୀ କୂଳରେ, ବୁଲୁଥାଏ ମୁଁ ଖୁସିରେ
କଥା ନ ବୁଝି ଭୁଲ୍ କଲେ, ପଚାରିବ ମୋତେ ଏଠାରେ ।”