ଏତିକି କହି ହଠାତ୍ ସେ ଆକାଶ ପରି ସୁ ସୁ ଶବ୍ଦ କରି ଉପରକୁ ଉପରକୁ ଉଠିଗଲେ । ଏଣେ ବାବନା ଖାଲି କାକୁସ୍ଥ ହୋଇ ଉପରକୁ ଚାହିଁ ରହିଥାଏ ।
କିଛି ସମୟ ପରେ ସେ ବାବନା ତା ଘରକୁ ଫେରିଆସିଲା । ଆକାଶପରୀଙ୍କ କଥାକୁ ତ ସେ ବାବନା ମନେ ରଖିଥାଏ । ସକାଳ ହେବାରୁ ସେ ତାର ନିତ୍ୟକର୍ମ ସାରିଲା । ଦେଖିଲା ସୂର୍ଯ୍ୟଙ୍କର ପ୍ରଚଣ୍ଡ କିରଣ ଚାରିଆଡେ ବିଛାଡି ହୋଇ ପଡିଲା । ଏଣେ ଖରା ବି ମାଡିଆସିଲା । ସେ ବାବନା ଏପରି ଖରାକୁ ଦେଖି ତା ଦୋକାନ ଆଦୌ ଖୋଲିଲା ନାହିଁ । ଛାଇରେ ଦୋକାନ ଖୋଲିବ ବୋଲି ସେ ବାବନା ତା ଘରେ ଖଟରେ ଶୋଇ ପଡିଲା । ଠିକ୍ ପାଂଚଟା, ସାଢେ ପାଂଚଟା ବେଳକୁ ତାର ନିଦ ଭାଙ୍ଗିଲା, ତାପରେ ଛାଇ ଦେଖି ବାବନା ତା ଦୋକାନକୁ ଗଲା । ହେଲେ ଗୋଟିଏ ହେଲେ ବି ଗରାଖ ଆସିଲେ ନାହିଁ । ସେ ବାବନା ଏମିତି ସବୁଦିନେ କରିବାରୁ ନିତ୍ୟ ନୈମିତିକ ଗରାଖ ତାର ଅନ୍ୟ ଦୋକାନରୁ ସଉଦା ଖାଇଲେ । ଏବେ ତ ସେ ବାବନାର ଦୋକାନ ଖୋଲା ହୋଇଗଲା । ଯେଉଁ କେତେ ଜଣ ବାକିରେ ତାଠାରୁ ସଉଦା ନେଲେ ସେ ବାବନା କାହାକୁ ବି ଟଙ୍କା ଆଦୌ ମାଗିଲା ନାହିଁ । କେହି ମଧ୍ୟ ଏ ବାବନାକୁ ଟଙ୍କା ଯାଚିକି ଦେଲେ ନାହିଁ । ତେଣୁ ବ୍ୟବସାୟରେ ଏତେ କ୍ଷତି ଘଟିଲା ଯେ, ସେ ବାବନା ତାକୁ ମୋଟେ ଭରଣା କରିପାରିଲା ନାହିଁ ।
ଶେଷରେ ସେ ବାବନା ତା ବାଡିରେ ଗୋଟିଏ ହାଟ ବସାଇଲା । ଲୋକମାନେ ଜିନିଷ ପତ୍ର ଧରି ତା ବାଡିରେ ବସି ବିକିଲେ । ଏମିତି କରିବାରୁ ସେଠାରେ ମଧ୍ୟ ବହୁ କଳରବ ଓ ବିଶୃଙ୍ଖଳା ସୃଷ୍ଟି ହେଲା । ସେ ବାଡି ଭିତରର ଭେଡ ଭାଙ୍ଗି, ଗଛ ଉପାଡି ଲୋକମାନେ ବାବନାର ଅନେକ କ୍ଷତି ଘଟାଇଲେ । ତେଣୁ ବାବନା ବାଧ୍ୟ ହୋଇ ହାଟ ବସାଇବା ବନ୍ଦ କରି ଦେଲା । ଶେଷରେ ସେ ବାବନା ତିନିମୁଣ୍ଡିଆ କିଏ ତାଙ୍କୁ ଖୋଜିବା ପାଇଁ ଗଲା ।
ସେଦିନ ମଧ୍ୟ ପୂର୍ଣ୍ଣମୀ ରାତି । ଜହ୍ନ ଆଲୁଅରେ ବାବନା ନଦୀ କୂଳରେ ବୁଲୁଥାଏ । ନଈ ପାଣି ଠାରୁ କିଛି ଦୂର ଛାଡି ଗୋଟିଏ ଅତି ବୃଦ୍ଧଙ୍କୁ ବାବନା ଦେଖିଲା । ତାର ମୁଣ୍ଡ ଓ ହୁଇ ଆଣ୍ଠୁ ମିଶି ଯାଇଥାଏ ବସିଲା ବେଳକୁ । ତେଣୁ ସେ ଆଦୌ ନିଜ ମୁଣ୍ଡ ଟେକି ଚାହିଁପାରୁ ନଥାନ୍ତି । ଏପରି ଅବସ୍ଥା ଦେଖି ବାବନା ତାଙ୍କୁ ପଚାରିଲା, ଏତେବେଳେ ତୁମେ କିଏ ଏଠି ବସିଛ? କେମିତି ଏଠିକି ଆସିଲ? ତହୁଁ ସେ ବୃଦ୍ଧ ଜଣକ କହିଲେ –
“ମୋ ଘର ଏଇ ନଈ ବନ୍ଧ ତଳେ,
ମୁଁ ତିନିମୁଣ୍ଡିଆ ।
ଗରମରେ ଘରେ ରହିପାରିଲିନି,
ଖାଉଛି ଏଠି ଶୀତଳବାଆ ।”
ଏଥର ସେ ବାବନା ଠିକ୍ ଜାଣିଲା ଯେ, ଏଇ ତିନିମୁଣ୍ଡିଆ ବୁଢା ହିଁ ମୋ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିବ । ତେଣୁ ସେ ବାବନା ସବୁ କଥା ବୃଦ୍ଧଟି ଆଗରେ ଟିକିନିକି କରି କହିଦେଲା । ସବୁ କଥା ଶୁଣି ସେ ବୃଦ୍ଧ କହିଲେ –
“ଛାଇରେ ଯିବୁ ଛାଇରେ ଆସିବୁ,
ତା’ର ଅରଥ ହେଲା, – ରାତି ପାହିଲେ ଯିବୁ, ଓ ପୁଣି ରାତି ହେଲେ ଯାଇ ଆସିବୁ ।
ଯାହାକୁ ଦେବୁ ମାଗିବୁ ନାହିଁ । ତାର ଅରଥ ହେଲା, “ବାକି ଦେବୁ ନାହିଁ କି ଟଙ୍କା ବି ମାଗିବୁ ନାହିଁ ।