ଏପରି କଥା ଶୁଣି ସେ ବାବନା ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲା ପୁଣି କେଉଁ ଅସୁବିଧା ହେବ? ମୋତେ ଦୟାକରି ସେସବୁ କୁହନ୍ତୁ । ତହୁଁ ସେ ଆକାଶପରୀ କହିଲେ –
“ମନ୍ଦ କାମ ପାଇଁ ଦଣ୍ଡ ମିଳିଯିବ ବହୁତ,
ଏଥର ଘଷି ଦେଖିବ ତ ଧନ ଦୌଲତ ।
ଦରିଦ୍ରଙ୍କ ସେବା ବଦଳରେ କଲେ ଖରାପ,
ଅସୁର ବାହାରି ହଇରାଣ କରେ ଅମାପ ।
ମୋତେ ତିନିଥର ଭଜିଲେ ଆସିବି ନିକଟ,
ଦୂର କରିଦେବି ଘଟୁଥିବା ସବୁ ସଙ୍କଟ ।
ଆଉ ଭୁଲ୍କାମ କରିବନି ଯଦି ଜୀବନେ,
ବଡ ମଣିଷଟେ ହୋଇଯିବ ତୁମେ ତା’ ଦାନେ ।
ଏତିକି କହି ହଠାତ୍ ସେ ଆକାଶପରୀ ଉଭେଇ ଗଲେ ସେ ଜାଗାରୁ । ଏ ବାବନା ତାଙ୍କ କଥା ଅନୁସାରେ ଘରକୁ ଆସି ସେ ଆକାଣପରୀଙ୍କ ଦ୍ୱାରା ପ୍ରଦତ୍ତ ପଥରଟିକୁ ଟିକେ ଘଷିଲା, ତଦ୍ୱାରା ତାର ମୁଣ୍ଡରେ ଅଶେଷ ବୁଦ୍ଧି ଆସିଲା । ଆଉ ଟିକେ ଜୋର୍ରେ ଘଷିବାରୁ ସେ ସୁନ୍ଦରୀ ଆକାଶ ପରୀ ଆସି ତା ପାଖରେ ପହଁଚିଗଲେ । ସେ ପରୀ ତାଙ୍କ ପର ଦୁଇଟି ଝାଡି ଦେବାରୁ ସେଥିରୁ ସୁନାର ମଞ୍ଜିଗୁଡିକ ଅଜାଡି ହୋଇ ପଡିଲା । ସେଗୁଡିକୁ ରାତି ପାହିବା ପରେ ବାବନା ଗରିବ ଭିକ୍ଷୁକ ଏବଂ ଅସହାୟମାନଙ୍କୁ ବାଂଟି ଦେଲା । ଅବଶିଷ୍ଟକୁ ନିଜ ଦୋକାନ ବଢାଇବାରେ ସେ ଖର୍ଚ୍ଚ କଲା । ଅନ୍ୟାୟ ଓ ଅନୀତିଠାରୁ ଦୂରରେ ରହିବାରୁ ତା ଜୀବନ ଅତ୍ୟନ୍ତ ଆନନ୍ଦରେ କଟିଲା । ସେ ଗାଆଁର ଲୋକେ ବି ବାବନାକୁ ବହୁତ ମାନିଲେ । ଦୂର ଗାଆଁର ଜମିଦାର ବାବନାର ଏପରି ବଦାନ୍ୟତା ଗୁଣ ଦେଖି ତାଙ୍କ ଝିଅକୁ ଏ ବାବନା ସହିତ ବିବାହ ଦେଲେ । ଅତି ଜାକଜମକରେ ବିବାହ କାର୍ଯ୍ୟ ଚାଲିଥାଏ । ଏଣେ ସେ ବାବନା ମଧ୍ୟ ବାରମ୍ବାର ଆକାଶ ପରୀଙ୍କୁ ପଥର ଘଷି ଡାକିଲା । ଶେଷରେ ସେ ଆକାଶ ପରୀ ମଧ୍ୟ ବାବନାର ନିମନ୍ତ୍ରଣ ରକ୍ଷା କରି ଆକାଶର ଉପବନରୁ ହୀରା ଫୁଲ, ମୋତି ଫୁଲ ଆଣି ବାବନାକୁ ଉପହାର ସ୍ୱରୂପ ଦେଇ ସେଠାରୁ ପୁଣି ଉଭାନ୍ ହୋଇଗଲେ । ଯିବାବେଳେ ଖାଲି ଧୀର କଣ୍ଠସ୍ୱର ଶୁଭୁଥିଲା –
“ଆକାଶ ରାଇଜ ସୁନ୍ଦରୀ ପରୀ ମୁଁ,
ତୁମେ ମୋ ସୁନ୍ଦର ସାଥୀ ।
ସୁନ୍ଦର ଆକାଶ ରାଇଜ ମୋହର,
ସୁନ୍ଦର ପୁନିଅଁ ରାତି ।
ଜମିଦାର ଝିଅ ସୁନ୍ଦରୀ ବୋହୂଟେ,
ତୁମେ ତ ସୁନ୍ଦର ପିଲା ।
ସୁନ୍ଦର କାମରେ ଜୀବନ ସୁନ୍ଦର,
ରହିବେନି କେ ଭୋକିଲା ।
ତୁମ ଉଦାରତା ଦିଏ ଶାନ୍ତି ବାର୍ତ୍ତା,
ଓହ୍ଲାନ୍ତି ଦେବତା ଗଣ
ତୁମେ ମୋର ଏକ ସୁନ୍ଦର ସାଥୀଟେ,
ଭୁଲିବନି ମୋତେ ଜାଣ ।”
ଏସବୁ କଥା ଶୁଣି ବାବନାର ମନ ଅତ୍ୟନ୍ତ କୁଣ୍ଢେମୋଟ ହୋଇଯାଉ ଥାଏ । ତାର ନିଷ୍କପଟ ସରଳ, ସୁନ୍ଦର ହୃଦୟଟାକୁ କେତେ ଭଲ ପାଆନ୍ତି ଏଇ ସୁନ୍ଦରୀ ଆକାଶର ପରୀରାଣୀ । ମୁଁ ତାଙ୍କ ନିକଟରେ ଜୀବନ ସାରା ସିନା ଋଣୀ । ଏହା କହି ସେ ପରୀରାଣୀଙ୍କ ଉଦ୍ଧେଶ୍ୟରେ କେବଳ ପ୍ରଣାମ ଜଣାଉଥିଲା ବାବନା ।