ଚତୁର୍ଦ୍ଦଶ ଦିନ ପ୍ରଭାତରେ ରାଜା ଭୋଜ ପ୍ରସ୍ତୁତ ହୋଇ ସିଂହାସନ ନିକଟରେ ପହଁଚିବା ମାତ୍ରେ ପରବର୍ତ୍ତି ପୁତ୍ତଳିକା ସୁନୟନା ଉଭା ହୋଇ କହିଲା, “ଆଗ ମୋଠୁ ମହାରାଜ ବିକ୍ରମାଦିତ୍ୟଙ୍କ ନ୍ୟାୟ ବିଚାର ଏବଂ ବୀରତ୍ୱର ଏକ କାହାଣୀ ଶୁଣନ୍ତୁ । ତା’ପରେ ବିଚାର କରି ଦେଖନ୍ତୁ ଆପଣ ଏଇ ସିଂହାସନରେ ବସିବା ପାଇଁ କେତେଦୂର ଯୋଗ୍ୟ । ତା’ପରେ ଆରୋହଣ କରନ୍ତୁ ।
ମହାରାଜା ବିକ୍ରମାଦିତ୍ୟ ଜଣେ ନ୍ୟାୟ ବିଚାରକ, ପ୍ରଜାପାଳକ, ଦାନୀ, ତପସ୍ୱୀ ସ୍ୱଭାବର ବ୍ୟକ୍ତି ଥିଲେ । ଶିକାର ପ୍ରତି ମଧ୍ୟ ତାଙ୍କର ଯଥେଷ୍ଟ ଦୁର୍ବଳତା ରହିଥିଲା । ଥରେ ସେ ନିଜର କିଛି ସୈନ୍ୟଙ୍କୁ ନେଇ ଶିକାର କରିବା ପାଇଁ ଘଂଚ ଜଙ୍ଗଲ ମଧ୍ୟରେ ପ୍ରବେଶ କଲେ । ଗୋଟିଏ ବାଘ ପଛରେ ଘୋଡା ଦୌଡାଇ ସେ ଅନେକ ଦୂରକୁ ଚାଲିଗଲେ । ସୈନ୍ୟ ସାମନ୍ତମାନେ ପଛରେ ରହିଗଲେ । ସେ ବାଘକୁ ଆକ୍ରମଣ କରି ଘାଇଲା କରିଦେଲେ । ବାଘ ଖୁବ୍ ହିଂସ୍ର ହୋଇ ଉଠିଲା । ଗର୍ଜନ ତର୍ଜନ କଲା । ବିକ୍ରମାଦିତ୍ୟ ତାକୁ ଗହଳ କୁଞ୍ଜ ଆଢୁଆଳରେ ଖୋଜୁଥିବା ସମୟରେ ସେ ତାଙ୍କର ପ୍ରିୟ ଘୋଡାକୁ ଆକ୍ରମଣ କରି ମାରିଦେଲା । ବିକ୍ରମାଦିତ୍ୟ ଦୁଃଖ ପ୍ରକାଶ କଲେ । ଥକ୍କା ମେଂଟାଇବା ପାଇଁ ନଦୀକୂଳରେ ଥିବା ଝଙ୍କାଳିଆ ଗଛ ମୂଳେ ବିଶ୍ରାମ କଲେ । ସେ ଦେଖିଲେ ନଦୀ ଜଳରେ ଏକ ଶବ ଭାସୁଛି । ଦୁଇଜଣ ତାକୁ ଦୁଇ ପଟୁଧରି ଟଣା ଓଟରା କରୁଥାନ୍ତି । ଉଭୟେ ଶବଟିକୁ ନେବାକୁ ଜିଦ୍ କରି ଝଗଡା ଲାଗୁଥାନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଜଟାଧାରୀ କାପାଳିକ ଥିଲା । ତା’ କାନ୍ଧରେ ଏକ ଥଳୀ ଏବଂ ବେକରେ ନରମୁଣ୍ଡମାଳ । ଅନ୍ୟ ଜଣକ ଜଣେ ବେତାଳ ଥିଲା ।
କାପାଳିକ କହୁଥାଏ, “ତୁ ଏଶବକୁ ଛାଡି ଦେ… । ମୁଁ ଏହାକୁ ନେଇ ତନ୍ତ୍ର ସାଧନା କରିବି । ଅନେକ ଅପେକ୍ଷା ପରେ ମୁଁ ଏ ଶବର ସନ୍ଧାନ ପାଇଛି । ତୁ ଏହାକୁ ଛାଡି ତୋ ବାଟରେ ଚାଲିଯା ।”