ଏହା କହି ନିଜ ଦେହରୁ ଗୋଟିଏ ସୁବର୍ଣ୍ଣପର ଦେଇ ଚାଲିଗଲେ । ପତ୍ନୀ ଓ କନ୍ୟାମାନେ ସେହି ପରଟିକୁ ବିକି ପ୍ରଚୁର ଅର୍ଥ ପାଇଲେ । ଏହି ଅର୍ଥଦ୍ୱାରା ସେମାନେ ଖୁବ୍ ସ୍ୱଚ୍ଛନ୍ଦରେ ଚଳିଲେ ।
କିଛିଦିନ ପରେ ଥରେ ମାଆ ଝିଅମାନଙ୍କୁ ଡାକି କହିଲେ, “ଏ ହଂସ ପୂର୍ବଜନ୍ମରେ ତୁମମାନଙ୍କର ପିତା ଥିଲା । ସେ ଆସି ସୁବର୍ଣ୍ଣପର ଦେଇଯାଉଛି । କିନ୍ତୁ ପଶୁପକ୍ଷୀଙ୍କୁ ବିଶ୍ୱାସ କରିବା ଉଚିତ୍ ନୁହେଁ । କିଏ କହିପାରିବ ଯେ ହଂସ ବରାବର ଏହିପରି ଆସି ଆମକୁ ସୁବର୍ଣ୍ଣପର ଦେଉଥିବ । ଦିନେ ସେ ଯେ ଅନ୍ୟଆଡେ ପଳାଇନଯିବ, ସେଥିରେ କି ପ୍ରମାଣ ଅଛି? ତେଣୁ ଆମେମାନେ ଗୋଟିଏ କାମ କରିବା । ଏଥର ସେ ଆସିଲେ ତାକୁ ଧରି ତା ଦେହରୁ ସବୁଯାକ ପର ଉପାଡିନେବା । ତାହାହେଲେ, ସବୁ ପର ଆମ ହାତକୁ ଆସିଯିବ । ତେଣିକି ହଂସ ନଆସିଲେ ମଧ୍ୟ ଆମର ଚିନ୍ତାର କାରଣ ରହିବ ନାହିଁ ।”
ଝିଅମାନେ କହିଲେ, “ମାଆ, ତୁମ କଥା ସତ; କିନ୍ତୁ ତାଙ୍କ ଦେହରୁ ପରଯାକ ଉପାଡିଲାବେଳେ ତାଙ୍କୁ ବଡ କଷ୍ଟ ହେବ । ସେ ଦିନେ ଆମର ପିତା ଥିଲେ । କେତେଥର ଆସି ନିଜ ଦେହରୁ ଗୋଟିଏ ଲେଖାଏଁ ସୁନାର ପର ଦେଇ ସେ ଆମର ଦୁଃଖ ଦୂର କରିଅଛନ୍ତି । ତାଙ୍କୁ ଯନ୍ତ୍ରଣା ଦେଇ ତାଙ୍କ ଦେହରୁ ପରଯାକ ଉପାଡିବା କିପରି?”
ଝିଅମାନେ ଏପରି କାର୍ଯ୍ୟ କରିବାକୁ ମନା କରିଦେଲେ; କିନ୍ତୁ ମାଆ ଏକାଥରକେ ସବୁ ପର ନେଇ ଧନ ସଂଚିବାକୁ ମନ କରିଥାଏ । ତେଣୁ ସେ ନିଜେ ଏହି କାର୍ଯ୍ୟ କରିବାକୁ ସ୍ଥିର କଲା ।
ବୋଧିସତ୍ୱ ପୁଣି ଯେତେବେଳେ ଆସିଲେ ସେତେବେଳେ ତାଙ୍କର ସ୍ତ୍ରୀ ତାଙ୍କୁ ଦୁଇ ହାତରେ ମାଡିବସି ତାଙ୍କ ପରଗୁଡିକ ଉପାଡି ପକାଇଲା; କିନ୍ତୁ ଏହି ପରର ଏକ ବିଶେଷ ଗୁଣ ଥିଲା । ବୋଧିସତ୍ୱ ସ୍ୱେଚ୍ଛାରେ ଯେଉଁ ପର ଝାଡି ଦେଉଥିଲେ, ତାହା ସୁନା ହୋଇ ରହୁଥିଲା; କିନ୍ତୁ ତାଙ୍କଠାରୁ ବଳପୂର୍ବକ ଯେଉଁ ପର ଉପାଡି ନିଆଯାଉଥିଲା, ତାହା ସୁନା ହୋଇ ନରହି ସାଧାରଣ ପରରେ ପରିଣତ ହୋଇଯାଉଥିଲା ।
ବୋଧିସତ୍ୱଙ୍କ ସ୍ତ୍ରୀ ତାଙ୍କ ପରଗୁଡିକ ଉପାଡି ନେଲା ସତ; କିନ୍ତୁ ଅଳ୍ପକ୍ଷଣ ପରେ ସେଗୁଡିକ ସାଧାରଣ ପରଭଳି ହୋଇଗଲା ।
ଏଣେ ପରଗୁଡିକ ଚାଲିଯିବାରୁ ବୋଧିସତ୍ୱ ଉଡି ଯାଇପାରିଲେନାହିଁ । ତାଙ୍କ ସ୍ତ୍ରୀ ତାଙ୍କୁ ଗୋଟାଏ ଟୋକେଇରେ ପକାଇଦେଲା ଓ ପ୍ରତିଦିନ କିଛି କିଛି ଆହାର ଦେଲା । କିଛିଦିନ ପରେ ତାଙ୍କ ଦେହରେ ନୂଆ ପର କଅଁଳିଲା; କିନ୍ତୁ ଏଗୁଡିକ ପୂର୍ବପରି ସୁନାର ପର ନଥିଲା । ଦେହରେ ବଳ ଆସିବାରୁ ଦିନେ ବୋଧିସତ୍ୱ ଉଡି ପଳାଇଗଲେ ।
ସ୍ତ୍ରୀଲୋକଟି ନିଜକୁ ଧିକ୍କାର କରି କହିଲା, “ହାୟ, ମୁଁ ଅତି ଲୋଭ କରି ଏକାବେଳକେ ବହୁତ ଧନ ସଂଚିବାକୁ ଯାଇ ନିଜର ସର୍ବନାଶ କଲି ।”