ଛଅ ରାଣୀଙ୍କ ଠାରୁ ଏପରି କଥା ଶୁଣି ସାନ ରାଣୀ ପଦ୍ମାବତୀ ଆଶ୍ଚର୍ଯ୍ୟ ହୋଇ ଯାଇ ପଚାରିଲେ – ଏତେ ସବୁ କଥା ତୁମେ କିପରି ଜାଣିଲ । ମୁଁ ଜାଣି ପାରୁଛି ଯେ ଏହି କଥା ତୁମେ ନିଶ୍ଚୟ ମୋ ଦାସୀ ଠାରୁ ହିଁ ଶୁଣିଛ । ହଉ ହେଲା, ତୁମେ ମାନେ ଯେତେ ଯାହା ହେଲେ ମୋର ବଡ ଭଉଣୀ ମାନେ । ତୁମର ଇଚ୍ଛା ମୁଁ ନିଶ୍ଚୟ ଆଜି ହିଁ ପୂରଣ କରିବି । ସେଥି ଲାଗି ତୁମ୍ଭେ ମାନେ ମୋର ଏତିକି କଥା ମନେ ରଖି ତୁମ ମାନଙ୍କୁ ପାଳନ କରିବାକୁ ହେବ ।
ଛଅ ରାଣୀ ଯାକ କହିଲେ କି ଅଭିଲା କଥା ଲୋ ୟେ । ଆମେ ଛଅ ରାଣୀ ଯାକ ବାଞ୍ଝ ଥିଲୁ । ସେଥି ଲାଗି ଆମ ରାଜାଙ୍କ ମନରେ ଯେଉଁ ଦାରୁଣ ଦୁଃଖ ଥିଲା ତୁ ଆସିଲାରୁ ତାହା ଦୂର ହେଲା । ଜାଣ ରାଜାଙ୍କର କୁଳ ତୁ ବଂଚେଇ ରଖିଲୁ । ତୋର ଏପରି ଉପକାରକୁ ସାତ ଥର ଜନ୍ମ ହେଲେ ମଧ୍ୟ ଆମେ ମାନେ କେହି ଶୁଝି ଦେଇ ପାରିବୁ ନାହିଁ । ଏଥିରେ ତୋ ପାଇଁ ଆମେ ଅପକାର ଚିନ୍ତା କରିବୁ କିପରି । କହ ଆମକୁ ଯାହା କରିବାକୁ ହେବ ତାହା କହ ।
ସାନ ରାଣୀ ପଦ୍ମାବତୀ କହିଲା – ମୁଁ ତୁମକୁ ଯେଉଁ ମନ୍ତୁରା ପାଣି ଦେବି ତାକୁ ତୁମେ ମୋ ଉପରେ ଛିଂଚି ଦେଲେ ମୁଁ ଫୁଲ ଗଛ ହୋଇ ଯିବି ଆଉ ଫୁଲ ଫୁଟିବି । ପୁଣି ସେହି ମନ୍ତୁରା ପାଣିକୁ ଫୁଲ ଗଛ ମୂଳରେ ଢାଳି ଦେଲେ ମୁଁ ପୁଣି ମଣିଷ ହୋଇ ଯିବି । ତାହା ନକରି ଯେବେ ତୁମେ ଏହି ମନ୍ତୁରା ପାଣିକୁ ନେଇ ଅନ୍ୟ ଆଡେ ଢାଳି ଦେବ ତାହା ହେଲେ ମୋ ଜୀବନ ଶେଷ ହୋଇ ଗଲା ବୋଲି ଜାଣିବ । ତା’ପରେ ତୁମେ ମାନେ ମଧ୍ୟ ଏପରି ଅପକାର କରି ଥିବା କାରଣରୁ ପଥର ପାଲଟି ଯିବ । ଏହି ହେଉଛି ମୋ ଲାଗି ସ୍ଥାନୀୟ ଦେବତାଙ୍କର ଅଭିଶାପ ।
ଦେଖ – ଆଗରୁ ତ ଛଅ ରାଣୀ ଯାକ ହିଂସାରେ ଅନ୍ଧ ହୋଇ ଯାଇ ଥିଲେ, ସେମାନେ ସେଦିନ ସାନ ରାଣୀ ପଦ୍ମାବତୀଙ୍କ ଆଗରେ ମାୟାରେ ଖୁବ୍ ଆପଣାର ପରି କଥା କହିଲେ – ପଦ୍ମାବତୀଙ୍କ ସେମାନଙ୍କ ଉପରେ ବିଶ୍ୱାସ ହେବାରୁ ବଡ ରାଣୀ ମାନଙ୍କୁ ମନ୍ତୁରା ପାଣି ଦେବାରୁ ପାଣି ଛିଂଚି ଛଅ ରାଣୀ ଯାକ ପଦ୍ମାବତୀଙ୍କୁ ଫୁଲ ଗଛ କରି ଦେଲେ । ପଦ୍ମାବତୀ ଗଛ ହୋଇ ଗଛରେ ଅସୁମାରୀ ଫୁଲ ଫୁଟାଇଲେ । ଆଉ ମଧ୍ୟ ସେହି ଫୁଲ ଗୁଡିକ ଗୋଟିକ ପରେ ଗୋଟିଏ ତଳେ ପଡିଲେ ।
ଏହା ପରେ ତଳେ ପଡିଥିବା ଫୁଲ ଗୁଡିକୁ ଦେଖି ବଡ ରାଣୀ ସ୍ୱାର୍ଥରେ ଅନ୍ଧ ହୋଇ ଯାଇ ବଳକା ମନ୍ତୁରା ପାଣିକୁ ନେଇ ବାହାରେ ଫିଙ୍ଗି ଦେବାରୁ ଫୁଲ ଗଛଟି ସଙ୍ଗେ ସଙ୍ଗେ ମରି ଗଲା । ବଡ ରାଣୀ ଯେଉଁ ଠାରେ ଠିଆ ହୋଇଥିଲେ ସେହି ଠାରେ ପଥର ହୋଇ ଗଲା । ସେହି ପରି ଅନ୍ୟ ରାଣୀ ମାନେ ମଧ୍ୟ ଆପେ ଆପେ ପଥର ପାଲଟି ଗଲେ ।
ତାପରେ ମରି ଯାଇ ଥିବା ପଦ୍ମବୃକ୍ଷରୁ ସୁବର୍ଣ୍ଣର ପଦ୍ମ ଫୁଲ ଗୁଡିକ ଗୋଟି ଗୋଟି ହୋଇ ତଳେ ଝଡି ପଡିଲା । ମରି ଯାଇ ଥିବା ବୃକ୍ଷ ଖୁବ୍ କାନ୍ଦିଲା । ଦୁଇ ମାସର ମାତ୍ର କଅଁଳ ପୁଅ କୃଷ୍ଣ କୁମାରକୁ ବିଳପି ହେଲା ।
ଏଣେ ରାଣୀ ଉଦ୍ୟାନରେ ଏତେ ସବୁ ଘଟି ଯିବା ପରେ ପ୍ରଥମେ ସେହି ରାଜ ନଅରର ପ୍ରଧାନ ଦାସୀଙ୍କ କାନରେ ଯାଇ ଏହି ସମ୍ବାଦ ପହଁଚିଲା । ଦାସୀ ଯାଇ ସଙ୍ଗେ ସଙ୍ଗେ ରାଜାଙ୍କୁ ଜଣାଇ ଦେବାରୁ ରାଜା ତହୁଁ ମନ୍ତ୍ରୀ, ସେନାପତି, କଟୁଆଳ, ସେନା, ସେବକ ମାନଙ୍କୁ ଧରି ରାଣୀ ଉଦ୍ୟାନରେ ପ୍ରବେଶ ହୋଇ ଏ ସବୁ ଘଟଣା ଦେଖି ଧୈର୍ଯ୍ୟ ହରା ହୋଇ ପଡିଲେ । ଏହି ସବୁ ଦୁଃଖକୁ ସହ୍ୟ କରି ନପାରି ନିଜର ଶାଣିତ ତରବାରୀ ଦ୍ୱାରା ନିଜେହିଁ ନିଜର ଶିରକୁ ଛେଦନ କଲେ ।
ଏପରି କାରଣରୁ ସେହି ରାଜ ବଂଶର ସମାପ୍ତ ହୋଇ ଗଲା । ସେହି ରାଜ ବଂଶର ଉତ୍ତରାଧିକାରୀ ଭାବରେ ରହିଲେ କୃଷ୍ଣ କୁମାର ।
ସେ ରାଜ୍ୟର ମନ୍ତ୍ରୀ ଥିଲେ ଖୁବ୍ ଉଦାର, ବିଚାର ବନ୍ତ ରାଜ କର୍ମଚାରୀ । ତହୁଁ ସେ ରାଜ କୁମାର କୃଷ୍ଣ କୁମାରଙ୍କୁ ସାଙ୍ଗରେ ନେଇ ରାଜ ନଅରକୁ ଫେରି ଗଲେ । ରାଜ କୁମାରଙ୍କୁ ପାଖରେ ରଖି ତାଙ୍କର ଲାଳନ ପାଳନ କଲେ । କୁମାରଙ୍କୁ ସେ ସେହି ରାଜ୍ୟର ରାଜା ମନେ କରି ମନ୍ତ୍ରୀ ରାଜ୍ୟର ହାନି ଲାଭ ଦାୟିତ୍ୱ ତୁଲାଇଲେ ।
ଏଥୁ ଅନ୍ତେ ରାଜ ପୁତ୍ର କୃଷ୍ଣ କୁମାର ବଡ ହୋଇ ଗଲେ । ନିଜର ଜନ୍ମ ଓ ମାତାଙ୍କର ମୃତ୍ୟୁ ସମ୍ବାଦ ଦାସୀ ମାନଙ୍କ ଠାରୁ ଶୁଣିବା ପରେ ଯାଇ ସେ ନିଜେ ରାଜଗାଦିରେ ବସିଲେ । ଏହା ପରେ ପରେ ସେ ମନ୍ତ୍ରୀଙ୍କୁ ଡକାଇ ଆଦେଶ ଦେଲେ ଯେ ମୃତ୍ୟୁ ହୋଇ ଯାଇ ଥିବା ରାଣୀ ମାନଙ୍କୁ ସଜାଇ ରାଜବାଟୀର ଏକ ବିରାଟ ସିଂହ ଦ୍ୱାର ନିର୍ମାଣ କରା ଯାଉ ଓ ମୋ ମାଆଙ୍କର ସୁବର୍ଣ୍ଣ ପଦ୍ମ ଗୁଡିକ ସେହି ସିଂହ ଦ୍ୱାର ଉପରେ ସୁରକ୍ଷିତ ଭାବରେ ସଜାଇ ରଖା ଯାଉ ଓ ସୁବର୍ଣ୍ଣର ପଦ୍ମ ଉପରେ ଜଗତ ଜନନୀ ମା’ ଦୁର୍ଗାଙ୍କର ମୂର୍ତ୍ତି ସ୍ଥାପନ କରି ପ୍ରତିଦିନ ପୂଜା କରିବା ନିମନ୍ତେ ଜଣେ ବ୍ରାହ୍ମଣଙ୍କୁ ରଖା ଯାଉ ।
ଯୁବରାଜ କୃଷ୍ଣ କୁମାରଙ୍କର ଆଦେଶ ପାଇବା ପରେ ରାଜ୍ୟର ମହାମାନ୍ୟ ମନ୍ତ୍ରୀ ମହାଶୟ ଯଥାବିଧି ରାଜ ନଅରର ପ୍ରବେଶ ଦ୍ୱାରରେ ବିରାଟକାୟ ସିଂହ ଦ୍ୱାର ନିର୍ମାଣ କରି ସୁବର୍ଣ୍ଣ ପଦ୍ମ ଉପରେ ଦୁର୍ଗାଙ୍କର ପୂଜା ବିଧିର ବ୍ୟବସ୍ଥା କରି ଦେଲେ । ଆଉ ମଧ୍ୟ ସେହି ଦିନ ଠାରୁ ଶତାଧିକ ପ୍ରହରୀ ସିଂହ ଦ୍ୱାରକୁ ଜଗୁ ଅଛନ୍ତି ।