ପ୍ରତିଷ୍ଠାନ ବୋଲି ଗୋଟିଏ ଦେଶ ଥାଏ । ସେଠାରେ ଆଦର୍ଶନଗର ନାମରେ ଗୋଟିଏ ନଗର ଥାଏ । ସେ ନଗରୀରେ ଜଣେ ଦରିଦ୍ର ବିଧବା ତା’ର ଏକମାତ୍ର ପୁତ୍ର ସହିତ ବାସ କରୁଥାଏ । ଦିନେ ମା’ ତାଙ୍କ ପୁଅକୁ କହିଲେ, “ପୁଅ, ତୁ ଜଣେ ବଣିକ ପୁତ୍ର । ବ୍ୟବସାୟ ଆମ ଜାତିର ପେଶା । ଦୁର୍ଭାଗ୍ୟକୁ ତୁ ଜନ୍ମରୁ ଧନହୀନ । ଏ ସହରରେ ଧନଗୁପ୍ତ ନାମକ ଜଣେ କୋଟିପତି ବଣିକ ଅଛନ୍ତି; ସେ ଦରିଦ୍ର ବଣିକମାନଙ୍କୁ ସାହାଯ୍ୟ କରନ୍ତି । ତୁ ତାଙ୍କୁ ଦେଖାକରି କିଛି ଧନ ଆଣି ବ୍ୟବସାୟଟିଏ ଆରମ୍ଭ କର ।”
ତା’ପରେ ମା’ଙ୍କ କଥା ଶୁଣି ବଣିକ ପୁତ୍ର ଧନଗୁପ୍ତଙ୍କ ପାଖକୁ ଗଲା । ସେଠି ପହଁଚି ସେ ଦେଖିଲା ଧନଗୁପ୍ତ ଜଣେ ଯୁବକକୁ ଗାଳିଦେଇ କହୁଛନ୍ତି, “ତୁମ ଭିତରେ ବ୍ୟବସାୟ କରିବାର କୌଣସି ଗୁଣ ନାହିଁ । କେତେଥର ମୁଁ ତୁମକୁ ଧନ ଦେଲିଣି କିନ୍ତୁ ତୁମେ ମୂଳଧନ ମଧ୍ୟ ବୁଡାଇ ଦେଇ ବସିଛ । ତୁମ ଭିତରେ ଯଦି ତିଳେ ମାତ୍ର ବ୍ୟାପାର ବୁଦ୍ଧି ଥା’ନ୍ତା ତେବେ ଏହି ମଲା ମୂଷାକୁ ମୂଳଧନ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରନ୍ତ ।”
ଧନଗୁପ୍ତଙ୍କ ଏପରି କଥା ଶୁଣି ବଣିକ ପୁତ୍ର ତାଙ୍କୁ ଆଉ କୌଣସି ଧନ ନ ମାଗି ପଡିଥିବା ମଲା ମୂଷାଟିକୁ ଧରି ଲେଉଟିଲା । ରାସ୍ତାରେ ଗୋଟିଏ ବଡ ଦୋକାନରେ ବିଲେଇଟିଏ ମୁହଁ ଶୁଖାଇ ବସିଥିଲା । ସେ ବଣିକ ପୁତ୍ର ମଲା ମୂଷାଟିକୁ ବିଲେଇକୁ ଦେଇଦେଲା । ବିଲେଇ ଖୁସି ହୋଇ ତାକୁ ଖାଇଲା । ଏକଥା ଦେଖି ଦୋକାନୀ ଖୁସି ହୋଇ ବଣିକ ପୁତ୍ରକୁ ଦୁଇମୁଠା ଚଣାଭଜା ଖାଇବାକୁ ଦେଲା । ସେ ଚଣାରେ ମସଲା ଲୁଣ ଗୋଳାଇ ଗରାଏ ପାଣି ଧରି ରାସ୍ତାରେ ସେ ବଣିକ ପୁତ୍ର ବସିଥାଏ । ଠିକ୍ ସେତିକିବେଳେ କାଠୁରିଆମାନେ ତ କାଠକାଟି ଫେରୁଥା’ନ୍ତି ।