ରାଜା ଅଳ୍ପହସି କହିଲେ, “ମାଉସୀ, ମୁଁ ଏ ଦେଶର ଶାସକ, ଏହି ଅରଣ୍ୟର ପ୍ରତିଟି ଗଛଲତା, ପଶୁପକ୍ଷୀ ସବୁକିଛି ଉପରେ ମୋରହିଁ ଅଧିକାର ଅଛି । ଏହି ସୁବର୍ଣ୍ଣ ମୟୁରୀଟି ନେବାକୁ ରାଜା ଚେଷ୍ଟା କଲେ । କିନ୍ତୁ ସେ ନିଜେ ହଠାତ୍ ପଡିଗଲେ । ତା’ପରେ ସେ ଉଠିବା ପରେ ବୁଢୀ କହିଲା, “ଇଏ କୌଣସି ସାଧାରଣ ମୟୁରୀ ନୁହେଁ । ଦେବାଂଶରେ ଏହାର ଜନ୍ମ । ମୋର ଅନୁମତି ବିନା ଏହାକୁ ଏଠାରୁ କେହି ମଧ୍ୟ ନେଇ ଯାଇ ପାରିବ ନାହିଁ । ତେବେ ମୋର ତୁମ ଉପରେ ଦୟା ଆସୁଛି । ଏଇ ବୀଣାଟିକୁ ବଜାଇ ମେଘମହ୍ଲାର ରାଗରେ ଏକ ମଧୁର ଗୀତ ଗାଅ, ତେବେ ଯାଇ ତମେ ମୟୁରୀର ଏକ ଅଣ୍ଡା ପାଇ ପାରିବ ।” ଏତିକି କହି ସେ ରାଜାଙ୍କୁ ବୀଣାଟିଏ ଦେଲା ।
ରାଜା ବୁଢୀର କଥା ମାନି ସେହି ବୀଣାଟିକୁ ଧରି ସେହିଠାରେ ବସିଯାଇ ମଧୁର ସ୍ୱରରେ ମେଘମହ୍ଲାର ରାଗରେ ଗୀତଟିଏ ଗାଇଲେ । ମୟୁରୀଟି ଖୁବ୍ ନାଚିଲା ଓ ନାଚ ଶେଷରେ ସେ ଅଣ୍ଡାଟିଏ ଦେଲା । ଅଣ୍ଡାଟି ନେଇ ବୁଢୀ ସେ ରାଜାଙ୍କୁ ତାହା ଦେଇ କହିଲା, “ପୁଅ, ସପ୍ତାହକ ପରେ ଅଣ୍ଡାଟି ଫୁଟିବ । ସେଥିରୁ ସୁନାର ମୟୁରଟିଏ ବାହାରିବ । କିନ୍ତୁ ମନେରଖ ସେପର୍ଯ୍ୟନ୍ତ ସୂର୍ଯ୍ୟକିରଣ ଯେପରି ତା’ଉପରେ ନପଡେ । ଏହି ଅଣ୍ଡା ବିଷୟରେ କାହାକୁ କିଛି ହେଲେ ମଧ୍ୟ କହିବ ନାହିଁ, ଲୋକେ ଜାଣିଲେ ଏହାର ମହିମା ଲୁପ୍ତ ହୋଇଯିବ ।”
ରାଜା ଅତି ଆନନ୍ଦରେ ସେହି ଅଣ୍ଡାଟିକୁ ବଡ ଯତ୍ନର ସହିତ ନିଜ ଲୁଗା ମଧ୍ୟରେ ରଖି ନଅରକୁ ଫେରି ଆସିଲେ । ତାଙ୍କ କକ୍ଷ ନିକଟରେ ଅନ୍ୟ ଏକ କକ୍ଷରେ ଚନ୍ଦନକାଠର ଏକ ସିନ୍ଦୁକ ମଧ୍ୟରେ ଅଣ୍ଡାଟିକୁ ରଖିଲେ । ଛଅ ଦିନ ପରେ ସପ୍ତମ ଦିନ ରାଜାଙ୍କର ବାରବର୍ଷର ଝିଅ ଦୀପ୍ତିରେଖା ସଖୀମାନଙ୍କ ସହିତ ଲୁଚକାଳି ଖେଳୁ ଖେଳୁ ସେଠାକୁ ଗଲେ । ସିନ୍ଦୁକଟି ଖୋଲି ଦେଖିବାକୁ ହଠାତ୍ ତାଙ୍କର ଭାରି ଇଚ୍ଛା ହେଲା ।
ସୁନାରଙ୍ଗର ଝଲମଲ କରୁଥିବା ଅଣ୍ଡାଟିକୁ ଦେଖି ରାଜକୁମାରୀ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ସେ ଖୁସିରେ ସେଇଟିକୁ ଉଠାଇ ଆଣି ଖେଳସାଥୀମାନଙ୍କୁ ଦେଖାଇବାକୁ ଉଦ୍ୟାନକୁ ନେଇ ଗଲେ । ସେଠାରେ ଏହା ଉପରେ ସୂର୍ଯ୍ୟଙ୍କର କିରଣ ପଡିବାମାତ୍ରେ ଖୁବ୍ ଶବ୍ଦ କରି ସେଇଟି ଫାଟିଗଲା ଓ ସେଥିରୁ ସୁନା ରଙ୍ଗର ଛୋଟ ସାପଟିଏ ବାହାରି ଆସିଲା । ସେ ରାଜକୁମାରୀଙ୍କ ପାଦକୁ ଦଂଶନ କଲା । ପରମୁହୂର୍ତ୍ତରେ ରାଜକୁମାରୀ ନିଜେ ସୁବର୍ଣ୍ଣ ମୟୁରୀରେ ପରିଣତ ହୋଇଗଲେ ଓ ଆକାଶରେ ଉଡି ଉଡି ସେ ସିଧା ଜଙ୍ଗଲକୁ ଚାଲିଗଲେ ।
ଏପରି ଏକ ଆଶ୍ଚର୍ଯ୍ୟ ଘଟଣା ଦେଖି ଦୀପ୍ତିରେଖାଙ୍କର ସାଥୀମାନେ ଚିତ୍କାର କରି ଯାଇ ରାଜାଙ୍କ ପାଖରେ ପହଁଚି ତାଙ୍କୁ ସବୁକଥା କହିଲେ । ରାଜା ତତ୍କ୍ଷଣାତ୍ ଘୋଡାରେ ବସି ସେହି ମୟୁରୀର ପିଚ୍ଛା କଲେ । ଶେଷରେ ସେ ଦେଖିଲେ ମୟୁରୀଟି ବୁଢୀର କୁଟୀର ଭିତରକୁ ପଶିଗଲା । ରାଜା ମଧ୍ୟ ସେହି କୁଟୀର ଭତରକୁ ଗଲେ; ସେଠାରେ ସେ ଆଶ୍ଚର୍ଯ୍ୟ ହୋଇ ଦେଖିଲେ ତିନୋଟି ସୁବର୍ଣ୍ଣ ମୟୁରୀ ଏକାଠି ବସିଛନ୍ତି । ସେମାନେ ସବୁ ଦେଖିବାକୁ ପୁରା ଏକାପରି ।
ରାଜାଙ୍କୁ ଦେଖି କିଛି ନଜାଣିଲାପରି ବୁଢୀ କହିଲା, “କ’ଣ ହେଲା ପୁଅ? ପୁଣି କାହିଁକି ଆସିଲ? ମୟୁରୀର ଅଣ୍ଡା ଫୁଟିଲା ନାହିଁକି? ଆହୁରି ଅଣ୍ଡାଟିଏ ଦରକାର କି?”
ରାଜା ରାଗିଯାଇ କହିଲେ, “ହେ ବୁଢୀ, ଜାଣିଶୁଣି ସେମିତି ନାଟକ କଲେ ତତେ ହାଣି ମୁଁ ଟିକି ଟିକି କରିଦେବି । ମୋର ଗୋଟିଏ ବୋଲି ଝିଅ ମୟୁରୀ ହୋଇ ଏଠାକୁ ଚାଲି ଆସିଛି । ମୋତେ ମୋ ଝିଅକୁ ଦେଇ ଦେ ।” ରାଜା ତାଙ୍କ ତରବାରୀ ଉଠାଇ ଏହା କହିଲେ ।
ବୁଢୀ ତା’ର ପାକୁଆପାଟି ଖୋଲି ଏକ ବିକଟ ହାସ୍ୟ କରି କହିଲା, “ମୁଁ ଜାଣେ ତୁମେ ବଡ ବୀର । ପ୍ରଥମେ ତରବାରୀ ତଳକୁ କର । ଏହି ତିନୋଟି ମୟୁରୀ ମଧ୍ୟରୁ ତୁମର ଝିଅ କିଏ ଯଦି ତାହା ଚିହ୍ନି ପାରିବ, ତେବେ ସେ ସଙ୍ଗେସଙ୍ଗେ ନିଜର ରୂପ ନେଇ ଠିଆ ହେବ । ଆଉ ଯଦି ଚିହ୍ନି ନପାରିବ, ତେବେ ତୁମେ ମଧ୍ୟ ଏଠାରେ ଏକ ମୟୁର ହୋଇ ରହିଯିବ ।”
ରାଜା ତାଙ୍କ ତରବାରୀକୁ ଖୋଳରେ ପୂରାଇଲେ । ସେହି ମୟୁରୀମାନଙ୍କ ମଧ୍ୟରୁ ଗୋଟିଏ ବେକ ଉଠାଇ ରାଜାଙ୍କ ଆଡେ ଚାହିଁଲା । ରାଜା ଦେଖିଲେ ତା’ର ଚକ୍ଷୁରେ ଅଶ୍ରୁ, ଅନ୍ୟଟି ମୁଣ୍ଡତଳକୁ କରି ବସିଛି, ତା’ର ଚକ୍ଷୁରେ ମଧ୍ୟ ଅଶ୍ରୁ ।
କିଛିସମୟ ଭାବିବା ପରେ ରାଜା କହିଲେ ଯେ, “ଯିଏ ମୁଣ୍ଡ ଉଠାଇ ଚାହୁଁଛି ସେହିଁ ମୋର ଝିଅ ଦୀପ୍ତିରେଖା । ମୁଣ୍ଡ ତଳକୁ କରି ଯିଏ ବସିଛି, ସେ ଜଙ୍ଗଲ ମୁଖିଆଙ୍କ ଝିଅ ।”
ରାଜାଙ୍କ କଥା ଶୁଣି ବୁଢୀ କହିଲା, “ପୁତ୍ର ତୁମର ଅନୁମାନ ସତ୍ୟ । ମୁଁ ଏବେହିଁ ତୁମ ଝିଅକୁ ତା’ର ନିଜରୂପ ଦେଇ ଦେବି ।” ମନ୍ତ୍ର ଉଚ୍ଚାରଣ କରି ବୁଢୀ ସେହି ମୟୁରୀ ପାଖକୁ ଗଲା ।
ରାଜା ସଙ୍ଗେସଙ୍ଗେ ଚିତ୍କାର କରି କହିଲେ, “ମାଉସୀ, ଟିକିଏ ରହିଯାଅ । କେବଳ ମୋ ଝିଅକୁ ନୁହେଁ, ବଣର ମୁଖିଆଙ୍କ ଝିଅକୁ ମଧ୍ୟ ନିଜରୂପ ଦେଇ ଦିଅ ।”
ବୁଢୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା, “ବଣର ମୁଖିଆଙ୍କ ଝିଅ ପାଇଁ ତୁମେ କାହିଁକି ଅଯଥା ଚିନ୍ତିତ ହେଉଛ?”
ରାଜା କହିଲେ, “ଏହି ବଣର ମୁଖିଆ ମୋ ରାଜ୍ୟର ନାଗରିକ । ମୋ ନିଜ ଝିଅ ଅପେକ୍ଷା ଅଧିକ ଯତ୍ନର ସହିତ ତାଙ୍କ ଝିଅକୁ ରକ୍ଷା କରିବା ମୋର ରାଜଧର୍ମ । ଯଦି ସେପରି କରିବାରେ ତୁମର କିଛି ଆପତ୍ତି ଅଛି, ତେବେ ମୋତେ ମଧ୍ୟ ସୁବର୍ଣ୍ଣ ମୟୁର କରିଦିଅ ।”
ବୁଢୀ ରାଜାଙ୍କ କାନ୍ଧରେ ହାତରଖି ତାଙ୍କୁ କହିଲା, “ରାଜନ୍, ତୁମର ଧର୍ମବୁଦ୍ଧି, ନ୍ୟାୟବୁଦ୍ଧି ଓ ଦୟାଗୁଣ ଦେଖି ମୁଁ ତୁମ ଉପରେ ବହୁତ ଖୁସି ହୋଇଛି । ଏହା ମନେରଖ ଯେ ତୁମର ନାଗରିକ ମାନଙ୍କ ମଧ୍ୟରୁ ମୁଁ ବି ଜଣେ । ମୋର ଏକ ଅନୁରୋଧ ରଖ । ଏହି ପ୍ରାଣୀ କାହାର କିଛି କ୍ଷତି କରୁନାହିଁ । ସେ ତା’ର ସ୍ୱାଧୀନ ଭାବରେ ବଣରେ ଘୂରିବୁଲିବ । ନିୟମ କରିଦେବ ଯେ, ଯେକୌଣସି ଲୋକ କ୍ରୁରଭାବରେ ପଶୁପକ୍ଷୀଙ୍କୁ ବାନ୍ଧି ପକାଇବା ମାରିଦେବା ଇତ୍ୟାଦି ଯେପରି ନିଷେଧ ହେବ । କାରଣ ଏହା ସେମାନଙ୍କ ପ୍ରତି ଏକ ଅତ୍ୟାଚାର । ସେମାନଙ୍କର ନିରାପଦ ଜୀବନ ବି ତ ତୁମର ଦାଇତ୍ତ୍ଵ ନା?”
ରାଜା କହିଲେ “ତୁମର ଇଚ୍ଛା ନିଶ୍ଚୟ ପୂର୍ଣ୍ଣ ହେବ ।” ବୁଢୀ ମନ୍ତ୍ର ପଢି ସେମାନଙ୍କୁ ନିଜରୂପ ଦେଲା । ରାଜା ବୁଢୀକୁ ଧନ୍ୟବାଦ ଦେଇ, ତାକୁ କିଛି ପାରିତୋଷିକ ଦେଇ ସେଠାରୁ ଫେରିଲେ । ମୁଖିଆକୁ ତା’ଝିଅକୁ ଦେଲେ ଓ ଦୀପ୍ତିରେଖାକୁ ନେଇ ନଅରକୁ ଫେରିଲେ ।