ସୁଲତାନ୍, ନିଜର ପରମ ଦୋସ୍ତ ହୁସେନଙ୍କ ସହିତ ଥରେ ଏକ ଅରଣ୍ୟ ମାର୍ଗରେ ଯାତ୍ରା କରୁଥିଲେ । ନିଜେ ସୁଲତାନ୍ ହେଲେ ମଧ୍ୟ ତାଙ୍କର ହୁସେନଙ୍କ ପରି ଜଣେ ସାଧାରଣ ବ୍ୟକ୍ତି ସହିତ ପ୍ରଗାଢ ମିତ୍ରତା ରହିଥିଲା । କାରଣ ହୁସେନଙ୍କର ବୁଦ୍ଧିମତାକୁ ସୁଲତାନ୍ ଖୁବ୍ ଗୁରୁତ୍ୱ ଦେଉଥିଲେ । ସେଦିନ ସେମାନଙ୍କ ଠାରୁ ଅଳ୍ପ ଆଗରେ ଅନ୍ୟ ଏକ ଲୋକ ମଧ୍ୟ ସେହି ମାର୍ଗରେ ଯାଉଥାଏ ।
ସୁଲତାନ୍ ନିଜ ଦୋସ୍ତକୁ ପଚାରିଲେ, “ହୁସେନ୍, ଏହି ଯେଉଁ ଲୋକ ଆମ ଆଗେ ଆଗେ ଯାଉଛି, ତୁମେ ତା’ ସମ୍ବନ୍ଧରେ କିଛି ସୂଚନା ଦେଇପାରିବ କି?”
ହୁସେନ୍ ସେହି ଲୋକଟିକୁ ଟିକେ ନିରେଖି ଚାହିଁ କହିଲେ “ମାଲିକ୍, ସେ ଜଣେ ବଢେଇ ହୋଇ ଥିବ ।”
ସୁଲତାନ୍ ପୁଣି ପ୍ରଶ୍ନ କଲେ, “ତୁମେ କ’ଣ ତା’ର ନାମ କହିପାରିବ?” ତହୁଁ ହୁସେନ୍ କହିଲେ “ସମ୍ଭବତଃ ତା’ର ନାମ ମଧ୍ୟ ହୁସେନ୍ ହୋଇଥିବ ।”
ଏକଥା ଶୁଣି ସୁଲତାନ୍ କହିଲେ, “ତେବେ ଏହାର ଅର୍ଥ ହେଉଛି ଯେ ତୁମେ ସେ ଲୋକଟି ସହିତ ଆଗରୁ ପରିଚିତ । ନୁହେଁ କି?”
ତା’ପରେ ତାଙ୍କ ଦୋସ୍ତ କହିଲେ, “ନା’ ମାଲିକ, ମୁଁ ତାକୁ ଏଇମାତ୍ର ଦେଖିଲି । ଆଗରୁ ତା ସହ ମୋର କୌଣସି ପରିଚୟ ନାହିଁ ।”
ସୁଲତାନ୍ ଚକିତ ହୋଇ ପଚାରିଲେ, “ତେବେ ତୁମେ ତା’ର ନାମ କିପରି ଜାଣିଲ?”
ମିତ୍ର ଉତ୍ତର ଦେଲେ, “ମୁଁ ଦେଖିଲି, ଯେତେବେଳେ ଆପଣ ମୋତେ ମୋର ନାମ ଧରି ଡାକୁଥିଲେ, ସେତେବେଳେ ସେ ପଛକୁ ବୁଲି ଆମ ଆଡକୁ ଚାହୁଁଥିଲା ।”