ଦିନକର କଥା । ଠାକୁର ସମୁଦ୍ରକୂଳରେ ବୁଲୁଥାନ୍ତି । ସକାଳର ସୂର୍ଯ୍ୟକିରଣ ସମୁଦ୍ରଜଳରେ ବିଚ୍ଛୁରିତ ହୋଇ ସୁନେଲି ରଂଗରେ ଅତି ସୁନ୍ଦର ଦେଖାଯାଉଥାଏ । ଭାବବିହ୍ୱଳ ହୋଇ କବି ଏ ଦୃଶ୍ୟକୁ ଉପଭୋଗ କରୁଥାନ୍ତି । ଠିକ୍ ଏତିକିବେଳରେ ତାଙ୍କର ନଜର ପଡିଲା ସମୁଦ୍ର କୂଳରେ ଥିବା ଏକ ଖାଲରେ ଅଳ୍ପ ଜଳ ଉପରେ । ସେଇ ଅଳ୍ପ ଜଳରେ ବି ସୂର୍ଯ୍ୟଙ୍କର କିରଣ ଝଟକୁ ଥାଏ ।
ହଠାତ୍ ରବୀନ୍ଦ୍ରନାଥଙ୍କ ମନକୁ ଏକ ଖିଆଲ ଆସିଲା । ମନେ ମନେ ସେ ଭାବିଲେ, ସୂର୍ଯ୍ୟ ଯଦି ଛୋଟ ବଡ ସବୁ ଦ୍ରବ୍ୟ ଉପରେ କୌଣସି ପ୍ରଭେଦ ନ ରଖି ତାଙ୍କର କିରଣକୁ ବିଚ୍ଛୁରିତ କରିଥାଆନ୍ତି, ତେବେ ମଣିଷ ପ୍ରଭେଦ ସୃଷ୍ଟି କରିବାରେ କି ଯଥାର୍ଥତା ଅଛି? ଏଥର ସେ ନିଜର ଭୁଲ୍ ବୁଝିପାରିଲେ । ଠିକ୍ କଲେ ସେଇ ଛୋଟ ଘଟଣାଟି ଉପରେ ଆଉ ଗୁରୁତ୍ୱ ଦେବେ ନାହିଁ । ଯଦି ଅନ୍ୟ କେହି ନିଜର ଉଦାରତା, ସୌଜନ୍ୟତା ଭୁଲି ଅନ୍ୟ ପ୍ରତି ଖରାପ୍ ଆଚରଣ କରେ, ତେବେ ତାକୁ ନ ଧରି ବରଂ ତା’ପ୍ରତି ଉଦାରତା ଭାବ ଦେଖାଇବା ଠିକ୍ ହେବ ।
ସୁତରାଂ ନିଜେ ସେଇ ସମୁଦ୍ରକୂଳରୁ ଚାଲିଲେ ବାଟେ ବାଟେ ସେଇ ପଡୋଶୀ ଲୋକ ଘରକୁ । ସେତେବେଳେ ପଡୋଶୀ ଲୋକ ଜଣକ ଜଳଖିଆ ଖାଉଥାନ୍ତି । ଠାକୁର ହଠାତ୍ ପଡୋଶୀଙ୍କର ଚରଣ ଛୁଇଁ ତାଙ୍କୁ ପ୍ରଣାମ ଜଣାଇଲେ । ଏହା ଦେଖି ପଡୋଶୀ ଲୋକଟି ଲାଜରେ ଝାଉଁଳିଗଲା । ଚାହୁଁ ଚାହୁଁ ତା’ମନରେ ଥିବା ଗର୍ବ ଅହଂକାର ବି ତୁଟିଗଲା ।
ସେଇ ପଡୋଶୀ ଲୋକଟି କହିପକାଇଲା, “ସତରେ ଆପଣ ମହାନ୍ । ଆପଣଙ୍କ ଭଳି ଦେବତୁଲ୍ୟ ବ୍ୟକ୍ତିଙ୍କୁ ନୋବେଲ୍ ପୁରସ୍କାର ମିଳିବା ହିଁ ଯଥାର୍ଥ ।” ଏହା କହି ସେହି ପଡୋଶୀ ଜଣକ ଜଣେ ବିଶିଷ୍ଟ ଧନୀବ୍ୟକ୍ତି ହୋଇଥିଲେ ବି ଅନ୍ୟ ପ୍ରତି ଉଦାରତା ଭାବ ପୋଷଣ କରି ଠାକୁରଙ୍କ ଚରଣ ଛୁଇଁ ପ୍ରଣାମ କଲେ ଓ କ୍ଷମାଭିକ୍ଷା କଲେ । ଏବେ ଦୁହିଁଙ୍କ ଭିତରେ ଦୂରତା ଅପସରି ଗଲା ।
ଏଥିରୁ ଜଣାଯାଏ, ଉଦାରତା ଭଳି ଦେବୋପମ ଗୁଣଯୋଗୁଁ ରବୀନ୍ଦ୍ରନାଥ ଓ ପଡୋଶୀ ଉଭୟେ ବନ୍ଧୁ ପାଲଟିଗଲେ । ସୁତରାଂ କୁହାଯାଇଛି –
“ଉଦାରତାଗୁଣ ବଳରେ ମାନବ ଲଭିପାରେ ଯଶ କୀର୍ତି ଅଶେଷ
ଏ ଗୁଣରହିତ ମଣିଷ ପାଖରେ ମଣିଷପଣିଆ ନ ଥାଏ ଲେଶ ।”