ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସୃଷ୍ଟିର ଆନନ୍ଦ

ଜେଜେବାପା ଗାଁରୁ ଆସି ପହଁଚିଲା ମାତ୍ରେ ତିନି ନାତୁଣୀଯାକ ତାଙ୍କୁ ଘେରି ଯିବେ  । କିଏ ଆଗ ତାଙ୍କ ବ୍ୟାଗ୍ ଖୋଲିପକେଇବ ସେଥିରେ କ’ଣ ଅଛି ଦେଖିବାକୁ । କିଏ ଝାଳରେ ଓଦା ହୋଇ ଯାଇଥିବା ତାଙ୍କ ଖଦଡ ପଞ୍ଜାବିଟାକୁ ନେଇ ଦୁଆରେ ଖରାରେ ଶୁଖାଇ ଦେଇ ଆସିବ । କିଏ ପଚାରିବ – “ଜେଜେବାପା ! କେତେଦିନ ରହିବ?”

                ଜେଜେବାପାଙ୍କର ହସ ହସ ଉତ୍ତର – “କିରେ ! ମୁଁ ଘରେ ନ ପଶୁଣୁ କ’ଣ ପଚାରିଲଣି – କେବେ ଯିବ? ମୁଁ କ’ଣ ତୁମକୁ ହଇରାଣ କରୁଚି କିରେ?” କିନ୍ତୁ ସେ ଠିକ୍ ଜାଣିଚନ୍ତି ଯେ, ଏ ପ୍ରଶ୍ନର ଉତ୍ତର କାହିଁକି ଖୋଜା ପଡିଚି । କାଳେ ସେ କହିଦେବେ – “ମୋର କାମ ଅଛି ତେଣେ, ମତେ କାଲି ଫେରି ଯିବାକୁ ହେବ ।”

                ଏମିତି ଦିନେ ବହୁ ଅନୁରୋଧ ସତ୍ତ୍ୱେ ଯେତେବେଳେ କାଲି ସକାଳେ ବସ୍ରେ ନିଶ୍ଚେ ଫେରିବାକୁ ପଡିବ ବୋଲି ସେ କହିଲେ, ସାନନାତୁଣୀଟା ତାଙ୍କ ବ୍ୟାଗ୍ ଖଣ୍ଡ ଉଠାଇ ତାଙ୍କ ହାତକୁ ବଢାଇ ଦେଇ କାନ୍ଦି କାନ୍ଦି କହିଥିଲା – “ତୁମେ ଏଇଲେ ଯାଅ । ଆଉ କେବେ ବି ଏଠିକି ଆସିବ ନାହିଁ । ତୁମର ଯଦି ଏତେ କାମ ସେଠି, ଏଠି ଯଦି ରହିବାକୁ ଭଲ ଲାଗୁନି, ତେବେ ଆସୁଚ କାହିଁକି?” ସେଥର ଜେଜେବାପା ରହିଗଲେ ମାସେ ।

ସେ ତିନି ନାତୁଣୀଙ୍କର ଜେଜେବାପାଙ୍କ ସାଙ୍ଗେ ସଂପର୍କ ଭାରି ନିବିଡ । ସେ ଜେଜେବାପା ତାଙ୍କ ନାତୁଣୀମାନଙ୍କ ସହିତ ଗପନ୍ତି ଠିକ୍ ସାଙ୍ଗ ପରି । ହାଇସ୍କୁଲ୍ରେ ପଢୁଥିବା ନାତୁଣୀମାନଙ୍କୁ ପଚାରିବେ ତାଙ୍କ ସାଙ୍ଗମାନଙ୍କ କଥା । ଶିକ୍ଷକମାନଙ୍କର ପାଠ ପଢେଇବା କଥା । ସେମାନଙ୍କ ପାଠପଢା କଥା ତ ନିଶ୍ଚୟ କାରଣ ସେ ତ ଶିକ୍ଷକ ଲୋକ, ଅନେକ ଦିନୁ ଅବସର ନେଇ ସେ ଗାଁରେ ଅଛନ୍ତି । ତାଙ୍କ ସ୍ତ୍ରୀ ତ ଚାଲି ଯାଇଛନ୍ତି କୋଉ କାଳୁ ।

ତାଙ୍କ ବ୍ୟାଗ୍ରୁ ବାହାରିବ କେତେ କେତେ କଥା । ଆଗ ବାହାରିବ ତାଳପତ୍ର ଭୋଗେଇରେ ପ୍ୟାକ୍ ହୋଇଥିବା କନ୍ଦରପୁର ବଜାରର ନାଁ କରା ଛେନା ଗଜା, ତେଣିକି ବିଭିନ୍ନ ପ୍ରକାରର ପୁଡା ପୁଡା ହୋଇ ବହୁ ଯତ୍ନରେ ବନ୍ଧା ହୋଇଥିବା ଜାମୁରୋଳ ପୁଳାଏ, ପାଚିଲା ଫାର୍ଶା କୋଳିରୁ ପୁଳାଏ, ଜନ୍ଦା କୋଳିରୁ ପୁଳାଏ । ପାଚିଲା କୋଳି ସବୁ ଚାପି ହୋଇ ଟିକେ ଟିକେ ରଙ୍ଗ ଦିଶୁଥିବ ସେ ପୁଡା ଉପରକୁ । ସେତେବେଳେ ତ ଆଉ ପଲିଥିନ୍ର ବ୍ୟବହାର ନ ଥିଲା । ସବୁ କାଗଜରେ ଗୁଡିଆ ଯାଇଥିବା ପୁଡା ।


ଗପ ସାରଣୀ

ତାଲିକାଭୁକ୍ତ ଗପ