ସଙ୍ଗେ ସଙ୍ଗେ ଟ୍ରେ ଗୋଟେ ଆଣି ବଡ ନାତୁଣୀମାନେ ଫିଟେଇ ପକେଇବେ ତାକୁ । କାଳେ ଜେଜେବାପାଙ୍କ ମନ ଦୁଃଖ ହେବ ବୋଲି କେହି ବି ଅଭିଯୋଗ କରିବେ ନାହିଁ, କୋଳି ଚାପି ହୋଇ ଯାଇଛି ବୋଲି । ପ୍ରଥମେ ପ୍ରଥମେ ଏ ଅଭିଯୋଗ ଶୁଭୁଥିଲା । ଥରେ କେହି ଜଣେ ତାଙ୍କ ଭିତରୁ ଅନ୍ୟକୁ ତିଆରୁ ଥିଲା – “ଏଃ ! ସେମିତି କହନାରେ ଜେଜେବାପାଙ୍କ ମନ ଭାରି ଦୁଃଖ ହବ । କେତେ କଷ୍ଟକରି ସଜାଡିକରି ଆଣିଛନ୍ତି ସେ ।” ବାସ୍ – ତା’ପରଠାରୁ ସମସ୍ତେ ଏ ବିଷୟରେ ଖୁବ୍ ସଚେତନ ।
ସେତେବେଳକୁ ତ ସାନଟାକୁ ହୋଇଥାଏ ମୋଟେ ପାଂଚ ବର୍ଷ । ତେଣୁ ଏଇଟି ସହିତ ଜେଜେବାପାଙ୍କର ସଂପର୍କ ଖୁବ୍ ଘନିଷ୍ଠ । ତା’ ପିଲାବେଳେ ଜେଜେବାପା ଅନେକ ଦିନ ରହିଥିଲେ ଏଠି । ସେ ଜାଣ ତାଙ୍କରି କୋଳରେ ହିଁ ବଢିଚି ।
ଅଳ୍ପ ସମୟ ଭିତରେ କୋଳି ସବୁ ଭାଗ ବଂଟାଯାଇ ସେ ପର୍ବ ସରିଲା । ସାନଟା ହାତରେ ଥାଏ ଆଉ ତିନୋଟି କୋଳି । ସେ ହଠାତ୍ ଜେଜେବାପାଙ୍କୁ ପଚାରିଲା – “ଜେଜେବାପା ! ନବ କି ଗୋଟେ?”
ଏପରି କଥା ଶୁଣି ଜେଜେବାପା ତା’ ହାତରୁ ଗୋଟେ ନେଲେ । ବାକି ଦୁଇଟା ସେ ଚଟ୍କରି ପାଟିକି ପକେଇ ଦେଲା । ଶେଷ କୋଳିର ମଞ୍ଜିଟିରୁ ରସ ସରିବା ପର୍ଯ୍ୟନ୍ତ ଚୁଚୁମି ଲାଗିଥାଏ ସେ ସାନନାତୁଣୀ । ସେ କାମ ସରିଲା ପରେ ସେ ମଞ୍ଜିଟିକୁ ହାତକୁ କାଢି କିଛି ସମୟ ଦେଖିଲା ଓ ତା’ପରେ କ’ଣ ଭାବିଲା କେଜାଣି ଜେଜେବାପାଙ୍କୁ ପଚାରିଲା – “ଜେଜେବାପା! ନାନୀମାନେ ଆଜି କଥା ହେଉଥିଲେ ଦି’ଟା ବଣି ଦେଖିଲେ ଶୁଭ, ରାତିରେ ଆକାଶରେ ଉଲ୍କା ଖସିବା ଦେଖିଲେ ଶୁଭ, ପୁଣି ପୂରା ପାଣି ମାଠିଆ ଦେଖିଲେ ଶୁଭ, ଏମିତି କେତେ କଥା । ତେବେ ତୁମେ କହିଲ, ଏ ମଞ୍ଜିଟା କ’ଣ ଶୁଭ?”
ତା’କଥା ଶୁଣି ଜେଜେବାପା କହିଲେ – “ହଁ, ନିଶ୍ଚୟ ନିଶ୍ଚୟ । ଏ ମଞ୍ଜିଟା ବହୁତ ଶୁଭ ।” “ତେବେ ମୁଁ ତାକୁ ମୋ ବହି ବ୍ୟାଗ୍ର ଭିତର ପକେଟ୍ରେ ରଖିଦେବି?” – “ନାଇଁ ନାଇଁ, ତାକୁ ସେମିତି ଲୁଚେଇ କରି ରଖିଦେଲେ ସେ କ’ଣ ଶୁଭ ହବ? ତୁ ଯଦି ତାକୁ ତୋ କାମରେ ଲଗାଇବୁ, ତେବେ ଯାଇ ସେ ତୋ ପାଇଁ ନିଶ୍ଚୟ ଶୁଭ ହେବ ।”
ସାନନାତୁଣୀ-“ମୋ କାମରେ ଲଗାଇବି କେମିତି?”
ଜେଜେବାପା-“ତାକୁ ନେଇ ଯା’ – ମାଟିରେ ପୋତିଦେ ।
ଗଛ ହେଲେ ତା’ର ଯତ୍ନ ନେବୁ । ସେ ବଡ ହେବ । ତେବେ ଯାଇଁ ତୋ ପାଇଁ ସେ ଶୁଭ ହେବ ।”
କୁନିଝିଅ ସଙ୍ଗେ ସଙ୍ଗେ ତାକୁ ନେଇ ବଗିଚାକୁ ଚାଲି ଗଲା ଓ ନରମା ଥିବା ଜାଗାରେ ଧୀରେ କରି ତାକୁ ମାଟି ଭିତରକୁ ଚାପି ଦେଲା । ଫଳରେ ସେ ମଞ୍ଜିଟି ଭିତରକୁ ଚାଲି ଗଲା । ଜେଜେବାପା ତ ସବୁବେଳେ କୁହନ୍ତି, ‘ଜନମ ପାଣି’ ଦେବା କଥା । ସେହି କଥାକୁ ମନେ ରଖିଛି କୁନିଝିଅ । ଗଛମାନଙ୍କରେ ପାଣି ଦିଆଯିବା ପାଇଁ ଥିବା ପାଣି ଭର୍ତ୍ତି ଚୌବାଚାରୁ ତା’ କୁନି ହାତରେ ଆଞ୍ଜୁଳା ପାଣି ଆଣି ଅଜାଡିଲା ତା’ ଉପରେ । ବାସ୍, ଏଥର ଭୁଲିଗଲା ତାକୁ ।
ତାଙ୍କ ବଗିଚାରେ ବେଶ୍ ବଡ ଗଛ ସବୁ । ଚମ୍ପା, ଆମ୍ବ, ବେଲ, ନଡିଆ, ଦେବଦାରୁ, ଆର କଡରେ ଫୁଲଗଛ ପାଇଁ କିଆରି ।
ସହରଠାରୁ ଦୂରରେ ତାଙ୍କର ଛୋଟିଆ ଘର । ରାସ୍ତାଘାଟ, ଲୋକ ଗହଳି କି ଗାଡି ମଟର ବେଶୀ ନ ଥାଏ ସେ ପଟକୁ । ସାମ୍ନାରେ ବେଶ୍ ଦୂର ପର୍ଯ୍ୟନ୍ତ ଖୋଲା ଜାଗା । ଗୁଡାଏ ବାଉଁଶ ବୁଦା – ସବୁ ଶୂନଶାନ୍, ନିଛାଟିଆ । ସକାଳେ ବାଉଁଶ ବୁଦା ଉପରୁ ଭୁଷ୍ କରି ଉଠନ୍ତି ଚଢେଇମାନେ । ପୁଣି ସଂନ୍ଧ୍ୟାକୁ ବିଭିନ୍ନ ଚଢେଇଙ୍କ କାକଳିରେ ସେ ଜାଗା ଗହଳି ହୁଏ । ଧୀରେ ଧୀରେ ସଂନ୍ଧ୍ୟା ନଇଁ ଆସିଲେ ସବୁ ଚୁପ୍ ଚାପ୍ । ଅଧିକାଂଶ ଦିନ ଏ ଦୃଶ୍ୟ ସେ ଦେଖେ ତାଙ୍କ ଛାତ ଉପରେ ଠିଆ ହୋଇ । ତାଙ୍କ ଘର ଆଗରେ ମୋରମ ରାସ୍ତା କେତେ ଦୂର ପର୍ଯ୍ୟନ୍ତ ଲମ୍ବି ଯାଇଛି ମୂଳ ରାସ୍ତାରେ ମିଶିବା ପର୍ଯ୍ୟନ୍ତ । ସେଇ ପଟେ ଦୋକାନ ବଜାର । ସେ ଦିନ ପ୍ରଥମ ଥର ସେ ଯାଇଥିଲା ଜେଜେବାପାଙ୍କ ସହ ବଜାର ପର୍ଯ୍ୟନ୍ତ ଓ ସେଠାରୁ ଫେରିଲା ବେଳକୁ ତାକୁ ଭଣ୍ଡାରି ଦୋକାନରେ ଲଣ୍ଡା କରି କାନ୍ଧରେ ବସାଇ ଫେରିଥିଲେ ଜେଜେବାପା । ଦୂରରୁ ଯେମିତି ଦିଶୁଥାଏ ଧଳା ଠେକୁଆଟିଏ, ବସିଚି ଜଣଙ୍କ କାନ୍ଧରେ । ଲଣ୍ଡା ଧଳା ମୁଣ୍ଡ, ଧଳା ଦେହ, ଧଳା ଜାମା । ରାସ୍ତା ଘାଟରେ ତ ମଣିଷ, ଗାଡିମୋଟର କିଛ ବି ନାହିଁ । ତାଙ୍କ ଘରଯାକ ସମସ୍ତେ ଗେଟ୍ ପାଖରେ ଠିଆ ହୋଇ ଦେଖିଥିଲେ ସେ ଦୃଶ୍ୟ ସେମାନେ ଘରେ ପହଁଚିଲା ପର୍ଯ୍ୟନ୍ତ ।