ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସୃଷ୍ଟିର ଆନନ୍ଦ

ବର୍ଷା ଦିନ ଆସିଲା । ହଠାତ୍ ଦିନେ କୁନି ଝିଅଟି ଆବିଷ୍କାର କଲା ସେ ମଞ୍ଜିଟିକୁ ପୋତିଥିବା ଜାଗାରେ ଗୋଟେ ଈଷତ୍ ଲାଲ୍ ସୂତା ପରି ଲହକା କ’ଣ ଟାଏ ପବନରେ ଝୁଲୁଛି । ଧୀରେ ସନ୍ତର୍ପଣରେ ସେ ଯାଇ ଛୁଇଁଲା ତାକୁ । କ’ଣ ସତ? ତା’ର ଜୀବନ ଅଛି? ଜାଣିଲା ସେଦିନର ‘ଜନମ ପାଣି’ ଦେଇଥିବା ସେ ମଞ୍ଜିରୁ କ’ଣଟାଏ ଉଠିଚି । ଧାଇଁ ଆସିଲା ଘରକୁ ଓ ଜେଜେବାପାଙ୍କ ହାତ ଧରି ନେଇ ଗଲା ସେଠିକି । ଜେଜେବାପା ଓ ନାତୁଣୀ ଦୁହେଁ ଖୁସି ହେଲେ । ତାଙ୍କ ମଞ୍ଜି ଗଛ ହୋଇଛି । ଆସ୍ତେ ଆସ୍ତେ ସେ ଲହକା ଡାଳରେ ପତ୍ର ଉଙ୍କି ମାରିଲା ଓ ତା’ପରେ ବାହାରିଲା ଆଉ ଗୋଟିଏ ଲହକା ଡାଳ ତା’ ମୂଳରୁ । ସେଥିରେ ବି ପତ୍ର ଦିଶିଲା । ଏଥର ତାଙ୍କ ଛୋଟ ଖୁରୁପି ଖଣ୍ଡିକରେ ଝିଅଟି ତା’ ଚାରିପଟେ ମନ୍ଦାଟିଏ କରି ପାଣି ଇଡିଲା । ଏହା ଭିତରେ ବର୍ଷେ ଚାଲି ଗଲାଣି । ଫାର୍ଶା କୋଳି ଗଛ ତା’ ଗୁଣ ବିକଶିଲାଣି । ଆଖି ଦୃଶିଆ ହେଲାଣି । ଝିଅ ତା’ ମୂଳରେ ପାଣି ଇଡୁଚି ଦୁଇବେଳା ।

ଦିନ ଦିନ ହୋଇ ଖରା ବର୍ଷା ଶୀତ କାକର ସହି ଫାର୍ଶା କୋଳି ଗଛକୁ ପୁଣି ହୋଇ ଗଲାଣି ବର୍ଷେ । ଆଃ, ସେଦିନ କିଏ ଖୋଲି ଦେଇ ଯାଇଥିଲା ଗେଟ୍ । ଛେଳି ପଶି ସାଫ୍ କରି ଦେଇଗଲେ ତା’ ଡାଳପତ୍ର । କୁନିଝିଅ ସେଦିନ ସ୍କୁଲ୍ରୁ ଫେରି ଗଛର ଅବସ୍ଥା ଦେଖି କେତେ କାନ୍ଦିଲା । ତେଣୁ ସେ ଘରଯାକ ସମସ୍ତଙ୍କୁ ଦାୟୀ କଲା ।

ଜେଜେବାପା ବୁଝେଇଲେ – “ବ୍ୟସ୍ତ ହୁଅନା । ପୁଣି କଅଁଳିବ । ସେ ଭାରି ଚେମେଡା ଗଛ । ଭାରି ଟାଣୁଆ ତା’ ଜୀବନ । ତୁ ଖାଲି ପାଣି ଦଉଥା ।” ସତ କଥା, ପୁଣି ତା’ ଡାଳରେ ନୂଆ ପତ୍ର କଅଁଳିଲା । ଏଥର ଆହୁରି ଜୋର୍ ଜୋର୍ ବଢି ଉଠିଲାସେ । କେତେ ଚଂଚଳ ପତ୍ରମାନେ ରଙ୍ଗ ବଦଳାଇଲେ । ନାଲିରୁ ହେଲେ ସବୁଜ ଚେକା ଚେକା ବଡ ବଡ ଗୋଲିଆ ପତ୍ର ସବୁ ।

ସେତେବେଳକୁ କୁନିଝିଅକୁ ହେଲାଣି ଆଠବର୍ଷ । ଏ ତିନି ବର୍ଷ ଭିତରେ ଗଛ ହୋଇ ଗଲାଣି ତା’ଠାରୁ ତିନି ଗୁଣ ଉଚ୍ଚ । ଲହକା ସରୁ ଡାଳମାନେ ସବୁଜ ପତ୍ରଙ୍କୁ କାଖରେ ଧରି ଦୋଳି ଖେଳୁଥାନ୍ତି । ସେଦିନ କୁନିଝିଅ ଡାକ ପକେଇଲା-

କୁନିଝିଅ -“ଜେଜେବାପା! ଆସ ତ ଶୀଘ୍ର ବଗିଚାକୁ । ଦେଖ, ହଳଦିଆ ଫୁଲଟେ ଫୁଟିଛି ଡାଳ ଆଗରେ ।”

ଆଃ ତା’ ଗଛରେ ଫୁଲ ଫୁଟିଚି । କି ଆନନ୍ଦ ତା’ର! ଏଥର ସେ ଗଛ ଚାରିପଟେ ବଡକରି ମନ୍ଦା ହେଲା । ବେଶୀ ବେଶୀ ପାଣି ଇଡିଲା କୁନିଝିଅ ତା’ ମୂଳରେ । ଅଳ୍ପ କେତୋଟି ଫଳ ହେଲା । ଭାରି ଖଟା ସେ ଫଳ । ତାକୁ ଚାଖିଦେଇ ବିଚିକିଟିଆ ମୁହଁ କଲା କୁନିଝିଅ । ଜେଜେବାପା ବୁଝେଇଲେ, “ରହ ଦେଖିବୁ, ସେ ଧୀରେ ଧୀରେ ମିଠା ହବ ।”

ପୁଣି ଫୁଟିଲା ଫୁଲ । ଫଳ ଧରିଲା । ପ୍ରତି ଡାଳର ପତ୍ରର କନ୍ଦିରେ କନ୍ଦିରେ ଫୁଲମାନେ ଫଳ ହେଲେ । ପାଚିଲା ଟୁମ୍ଟୁମ୍, ଗୋଲ୍ ଗୋଲ୍, କଳାକଳା, ହୃଷ୍ଟ ପୁଷ୍ଟ କୋଳିଟିମାନ । ଏଣିକି ଭୋର ବେଳକୁ ସେଠାରେ କୋଳି ଖାଇବାକୁ ଶୁଆଙ୍କର ଗହଳି ।

ସେଦିନ ଗଛ ମୂଳରେ ବସିପଡିଥାଏ କୁନିଝିଅ ଓ ଘାସ ଉପରେ ପଡିଥିବା ପାଚିଲା କୋଳିମାନଙ୍କୁ ଗୋଟେଇବାରେ ଲାଗିଥାଏ ।

ଏହି ସମୟରେ ତା’ ଜେଜେବାପା ବଗିଚାକୁ ଆସିଲେ । କୁନିଝିଅ ପଚାରିଲା, “ଜେଜେବାପା! ବଗିଚାରେ ଆମର ଏତେ ଗଛ । ଏଇ ଗଛଟି କାହିଁକି ମତେ ହାତ ଠାରି ଡାକୁଚି ତା’ ପାଖକୁ? ମୁଁ କାହିଁକି ଏତେ ଭଲ ପାଉଛି ଏଇ ଗଛଟିକୁ? ତାରି ମୂଳରେ ବସିଲେ ପବନ ଏତେ ଥଣ୍ଡା ଲାଗୁଚି । ତା’ ଛାଇ ମନେ ହେଉଛି ଆପଣାର । ତା’ ଲହକା ଡାଳରେ, ପତ୍ରରେ ଏତେ ରଙ୍ଗ କୋଉଠୁ ଆସୁଚି ଯେ ତାକୁ ଚାହିଁ ଦେଲେ ମୋ ମନ ଏତେ ଖୁସି ହୋଇ ଯାଉଚି । ମନେ ହଉଚି ତା’ ମୂଳରେ ପିଣ୍ଡିଟିଏ କରି ସଉପ ଖଣ୍ଡିଏ ପକେଇ ସେଠି ଶୁଅନ୍ତି । ତା’ପତ୍ର ଗହଳି ଫାଙ୍କରେ ଦେଖନ୍ତି ସଂନ୍ଧ୍ୟାର ଆକାଶକୁ । କାହିଁକି ଏମିତି ହେଉଛି ଜେଜେବାପା? ଆମ ବଗିଚାରେ ଏତେ ଗଛ, କୋଉ ଜାଗାରେ ତ କାହିଁ ଏମିତି ଲାଗୁନି ମତେ?”

ଏକଥା ଶୁଣି ହସିଲେ ଜେଜେବାପା । କହିଲେ – “ମନେ ପକେଇଲୁ ଇଏ କିଏ? ସେଦିନ ସେଇ କୁନି ମଞ୍ଜିଟିକୁ ତୋ ପାଇଁ ଶୁଭ ହେବ ବୋଲି ଏଠି ଲଗେଇ ତୁ ପରା ତାକୁ ଏତେ ବଡ କରିଚୁ । ତାକୁ ଦେଖିଲେ ତତେ ଖୁସି ଲାଗିବା କଥା ତ! ତୁ ଜାଣ ତାକୁ ତୁ ସୃଷ୍ଟି କରିଚୁ ।” ନୂଆ ଶବ୍ଦଟିଏ ବ୍ୟବହାର କଲେ ଜେଜେବାପା ।


ଗପ ସାରଣୀ

ତାଲିକାଭୁକ୍ତ ଗପ