ଆମେ ଏବେ ଯେଉଁ ଦେଶକୁ ଚୀନ ବୋଲି କହୁଛେ ଓ ବେଜିଂ ଯାହାର ରାଜଧାନୀ ଅଟେ, ଏହି ଘଟଣା ଘଟିବା ବେଳେ ତାହା ଗଠିତ ହୋଇ ନଥିଲା । ସେଇ ବିରାଟ ଭୂଖଣ୍ଡ ସେତେବେଳେ କେତେଗୁଡିଏ ଛୋଟ ଛୋଟ ରାଜ୍ୟରେ ବିଭକ୍ତ ଥିଲା । ସେଥି ମଧ୍ୟରୁ ଗୋଟିଏ ଥିଲା ‘ଛୁ’ ।
ପ୍ରାୟ ଦୁଇ ହଜାର ଛଅଶହ ବର୍ଷ ତଳେ ‘ଛୁ’ ରାଜ୍ୟରେ ରାଜା ଝୁଆଙ୍ଗ ଶାସନ କରୁଥିଲେ । ସେହି ସମୟରେ ରାଜ୍ୟ ଗୁଡିକ ମଧ୍ୟରେ ବହୁ ସମୟରେ ଯୁଦ୍ଧ ଲାଗି ରହୁଥିଲା । ଏହିପରି ଏକ ଯୁଦ୍ଧରେ ରାଜା ଝୁଆଙ୍ଗ ବିଜୟ ହାସଲ କରିଥାନ୍ତି । ସେ ତାଙ୍କ ସେନାପତିମାନଙ୍କ ସମ୍ମାନାର୍ଥେ ଗୋଟିଏ ଭୋଜି ସଭାର ଆୟୋଜନ କଲେ । ତାଙ୍କର ବିଜୟ ଅଂଶୀଦାର ହୋଇଥିବା ମନ୍ତ୍ରୀଗଣ ଓ ପ୍ରମୁଖ ପଦାଧିକାରୀମାନେ ଏଥିରେ ଯୋଗ ଦେଲେ ।
ଏହି ସମାରୋହ ରାଜପ୍ରାସାଦର ଅଗଣାରେ ବିରାଟ ଚାନ୍ଦୁଆ ଟଣାଯାଇ ଆୟୋଜିତ ହେଲା । ସଙ୍ଗୀତଜ୍ଞମାନେ ବାଦ୍ୟଯନ୍ତ୍ର ଓ ସଂଗୀତ ପରିବେଷଣ କଲେ ଓ କେତେକ ସୁସ୍ୱାଦୁ ଖାଦ୍ୟ ଓ ପାନୀୟ ସେମାନଙ୍କୁ ପ୍ରଦାନ କରାଗଲା । ସମସ୍ତେ ଆନନ୍ଦ ଉଲ୍ଲାସରେ ମଜ୍ଜି ରହିଲେ । ଅତିଥି ମାନଙ୍କର ଆନନ୍ଦ ବହୁଗୁଣିତ ହୋଇଗଲା । ରାଜା ତାଙ୍କ କନ୍ୟା ରାଜକୁମାରୀ ‘ଝୁ’ କୁ ଅଗଣାର ଚାରିପାଖେ ବୁଲି ଅତିଥିମାନଙ୍କ ଉପରେ ଅତର ସିଂଚନ କରିବାକୁ କହିଲେ । ଲୋକମାନଙ୍କର ମତରେ ରାଜକୁମାରୀ ‘ଝୁ’ ତାଙ୍କ ରାଜ୍ୟର ସବୁଠାରୁ ସୁନ୍ଦରୀ କନ୍ୟା ଥିଲେ । ତାଙ୍କର ଏପରି ସମ୍ଭାଷଣ ଦ୍ୱାରା ଅତିଥିମାନେ ସ୍ୱତନ୍ତ୍ର ଭାବେ ସମ୍ମାନିତ ହେବା ପରି ଅନୁଭବ କଲେ ।
ହଠାତ୍ ରାଜ ଅଗଣା ମଧ୍ୟଦେଇ ଖୁବ୍ ଜୋର୍ରେ ପବନ ଝଲକାଏ ବହିଗଲା । ଏହା ସବୁ ମହମବତୀ ଗୁଡିକୁ ଲିଭାଇ ଦେଲା ଓ ସେହି ବାତାବରଣକୁ ଅନ୍ଧକାର କରିଦେଲା । ଚାନ୍ଦୁଆ ବନ୍ଧା ହୋଇଥିବା କାଷ୍ଠସ୍ତମ୍ଭ ଗୁଡିକୁ ମଧ୍ୟ ଦୋହଲାଇ ଦେଲା । ଯଦିଓ ସଂଗୀତ ଓ ନୃତ୍ୟ ବନ୍ଦ ହୋଇ ଯାଇଥିଲା, ତଥାପି କୌଣସି ପ୍ରକାର ବିଶୃଙ୍ଖଳା କି କୋଳାହଳ ସୃଷ୍ଟି ହୋଇ ନ ଥିଲା । ଅତିଥିମାନେ ମହମବତୀର ଆଲୋକକୁ ଅପେକ୍ଷା କରି ରହିଲେ ।
କିନ୍ତୁ ରାଜକୁମାରୀ ଝୁ କାନ୍ଦ କାନ୍ଦ ହୋଇ ରାଜାଙ୍କ ଆସନ ପାଖକୁ ଦୌଡିଯାଇ ରାଜାଙ୍କ କାନରେ ନିମ୍ନ ସ୍ୱରରେ କହିଲେ, “ପିତା, ଅତ୍ୟନ୍ତ ଅଶୋଭନୀୟ ଘଟଣା ଘଟିଗଲା । ଆପଣଙ୍କର ସେନାପତିମାନଙ୍କ ମଧ୍ୟରୁ କେହି ଜଣେ ଅନ୍ଧକାରର ସୁଯୋଗ ନେଇ ମୋତେ ତା’ ନିକଟକୁ ଟାଣି ନେଲା । ମୁଁ ତା’ର ବାହୁଫାଶରୁ ନିଜକୁ ମୁକୁଳାଇ ଆଣିଲି । କିନ୍ତୁ ତା’ ପୂର୍ବରୁ ମୁଁ ତା’ ପୋଷାକରୁ ରିବନ୍ ଛିଣ୍ଡାଇ ଆଣିଛି । ଯାହା ଦ୍ୱାରାକି ସେ ଦୋଷୀକୁ ଧରିବା ଖୁବ୍ ସହଜ ହେବ ।”