ଏଭଳି କଥା ଶୁଣି ରାଜା ସ୍ନେହରେ କନ୍ୟାକୁ ଆଉଁସି ଦେଲେ ଓ ତା’ର ଆହତ ମନକୁ ସାନ୍ତ୍ୱନା ଦେଲେ । ତା’ପରେ କିଛି ଘୋଷଣା କରିବା ପାଇଁ ସେ ଦଣ୍ଡାୟମାନ ହେଲେ ।
ରାଜା କହିବା ଆରମ୍ଭ କଲେ – “ପ୍ରିୟ ଅତିଥି ବୃନ୍ଦ! ମୁଁ ଆପଣଙ୍କୁ କିଛି କହିବାକୁ ଯାଉଛି ।”
ରାଜା ପୁଣି ଥରେ ଆରମ୍ଭ କଲେ, “ଦୟା କରି ଶୁଣନ୍ତୁ! ଆଜିର ରାତିର ଏକ ସ୍ୱତନ୍ତ୍ରତା ରହିଛି । ଏକ ରକ୍ତାକ୍ତ ଯୁଦ୍ଧର ପରିସମାପ୍ତି ଘଟିଛି । ଆମେମାନେ ଶାନ୍ତିର ଉତ୍ସବ ପାଳନ କରୁଛୁ । ସେନାପତିମାନଙ୍କର ପୋଷାକରେ ଥିବା ରିବନ୍ ସେମାନଙ୍କର ସାମରିକ ପଦବୀର ପ୍ରତୀକ ଅଟେ । କିନ୍ତୁ ଆମେ ଏବେ ଶାନ୍ତିର ଉତ୍ସବ ପାଳନ କରୁଥିବାରୁ, ମୁଁ ସେମାନଙ୍କୁ ପୋଷାକରୁ ରିବନ୍ ଉତାରି ଦେବାକୁ ଅନୁରୋଧ କରୁଛି । ସେମାନେ ତାହା ଅବିଳମ୍ବେ ପାଳନ କରନ୍ତୁ । ଏହା ଆମମାନଙ୍କ ତରଫରୁ ଶାନ୍ତିର ଜୟଗାନ ପାଇଁ ଉପଯୁକ୍ତ ସମ୍ମାନ ହେବ ।”
ଅତିଥିମାନେ ରାଜାଙ୍କର ଏପରି ଘୋଷଣାକୁ କରତାଳି ଦ୍ୱାରା ସମର୍ଥନ କଲେ ଓ ସବୁ ସେନାପତି ସେମାନଙ୍କ ପୋଷାକରୁ ରିବନ୍ ବାହାର କରିଦେଲେ । ପରିଚାରକଗଣ ମହମବତୀରେ ଆଲୋକର ବ୍ୟବସ୍ଥା କଲେ । ସବୁ କିଛି ପୁନଶ୍ଚ ସ୍ୱଭାବିକ ଅବସ୍ଥାକୁ ଫେରି ଆସିଲା ।
ଅତିଥିମାନେ ବିଦାୟ ନେବାପରେ ରାଜା ରାଜକୁମାରୀଙ୍କୁ କହିଲେ, “ମୋ ସୁନାଝିଅ! ତୁମେ ମୋର ମନର ଅବସ୍ଥା ବୁଝି ପାରୁଥିବ । ଯେଉଁ ସେନାପତି ତୁମକୁ ଦୁର୍ବବ୍ୟବହାର କରିଛି, ହୁଏତ ସେ ସାମାନ୍ୟ ନିଶାଗ୍ରସ୍ତ ହୋଇ ପଡିଥିବ । ସେ ଯାହା ବି ହେଉ, ଏହା ଗୋଟିଏ ସମ୍ମାନର ଉତ୍ସବ । ସେମାନେ ରାଜ୍ୟ ପାଇଁ ସାହସ ର ସହିତ ଲଢେଇ କରିଛନ୍ତି । ଥରେ ଗୋଟିଏ ଲୋକର ଅପରାଧ ଏତେ ଲୋକଙ୍କ ସମ୍ମୁଖରେ ଘୋଷିତ ହୋଇଗଲେ, ତାକୁ ଦଣ୍ଡିତ କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ । ତା’ପରେ ଏହି ଉତ୍ସବ ମୁଖର ପରିବେଶର ଅବସ୍ଥା କ’ଣ ହୋଇଥାନ୍ତା, ତୁମେ ନିଜେ ଅନୁମାନ କର, ସବୁଆଡେ ଦୁଃଖର କଳାବାଦଲ ଛାଇ ହୋଇ ଯାଇଥାଆନ୍ତା । ସେମାନଙ୍କର ଜଣେ ସହକର୍ମୀର ମୃତ୍ୟୁଦଣ୍ଡ ଘୋଷଣା ଶୁଣିବା ପରେ, ଅନ୍ୟମାନେ ଆଉ ଆନନ୍ଦମୁଖର ହୋଇ ପାରି ନଥାନ୍ତେ । ଏପରି ଅନେକ କଥା ଘଟିଯାଏ, କିନ୍ତୁ ତାହା ହଠାତ୍ ବୁଝି ହୁଏ ନାହିଁ । ଏପରିକି ଆମେ ତା’କୁ ଚିହ୍ନଟ କରିବା ବା ସେ ସମ୍ପର୍କରେ ଅନୁସନ୍ଧାନ କରିବା ଦ୍ୱାରା ମଧ୍ୟ ଉତ୍ସବର ଆନନ୍ଦ ଉଲ୍ଲାସ ବ୍ୟାହତ ହୋଇ ଥାଆନ୍ତା । ତେଣୁ ମୋର ସୁନାଝିଅ! ତୁମେ ଏଣିକି ଶାନ୍ତ ଓ ଦୟାଶୀଳ ହୁଅ ।”
ଏହି ଘଟଣାର ପ୍ରାୟ ବର୍ଷକ ପରେ ‘ଛୁ’ରାଜ୍ୟକୁ ଗୋଟିଏ ପଡୋଶୀ ରାଜ୍ୟ ଆକ୍ରମଣ କଲା । ରାଜା ଝୁଆଙ୍ଗ୍ ଏଥର ନିଜେ ତାଙ୍କ ସେନାବାହିନୀର ନେତୃତ୍ୱ ନେଲେ । କିନ୍ତୁ ହଠାତ୍ ପଡୋଶୀ ରାଜ୍ୟର ସେନାବାହିନୀ ତାଙ୍କୁ ଘେରିଗଲେ । ଏବେ ତାଙ୍କ ପାଇଁ ଉଦ୍ଧାରର ଆଉ କୌଣସି ପନ୍ଥା ନ ଥିଲା । ସେ ଆତ୍ମସମର୍ପଣ କରିବାକୁ ଯାଉଥିବା ବେଳେ ହଠାତ୍ ତାଙ୍କ ନିଜ ବାହିନୀର ଜଣେ ସେନାପତି ଅତ୍ୟନ୍ତ ସାହସିକତାର ସହ ଶତ୍ରୁଙ୍କର ଘେର ମଧ୍ୟରେ ପ୍ରବେଶ କଲେ ଓ ବିଜୁଳି ବେଗରେ ଖଣ୍ଡା ଚାଳନା କରି ଶତ୍ରୁ ପକ୍ଷର ସେନାଙ୍କୁ ମାରି ପକାଇଲେ ।
ଏହା ଯୁଦ୍ଧର ଗତିପଥ ବଦଳାଇ ଦେଲା । ଶତ୍ରୁପକ୍ଷ ପଛଘୁଂଚା ଦେଲେ । ରାଜା ଝୁଆଙ୍ଗ୍ ବିଜୟୀ ହେଲେ ।
ତା’ପରଦିନ ରାଜା ଏକ ଶାନ୍ତ ପରିବେଶରେ ସେହି ସେନାପତିଙ୍କୁ କହିଲେ “ଆମେ ତୁମକୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରିବାକୁ ଚାହୁଁ ।”
ସେନାପତି ନମ୍ର ଭାବରେ କହିଲେ “ମଣିମା, ତା’ର କୌଣସି ଆବଶ୍ୟକତା ନାହିଁ । ଆପଣ ବର୍ଷକ ତଳେ ମୋତେ ଜୀବନ ଦାନ ଦେଇ ସାରିଛନ୍ତି ।”
ରାଜା ବିସ୍ମିତ ହୋଇ ପ୍ରଶ୍ନ କଲେ “ତୁମେ କ’ଣ କହିବାକୁ ଚାହଁ?”
ତା’ପରେ ସେନାପତି କହିଲେ ଯେ, ସେ ହେଉଛନ୍ତି ରାଜକୁମାରୀଙ୍କୁ ଦୁର୍ବବ୍ୟବହାର କରିଥିବା ସେହି ବ୍ୟକ୍ତି । ଏହା ପଛରେ ତା’ଙ୍କର କୌଣସି ମନ୍ଦ ଅଭିପ୍ରାୟ ନଥିଲା । ଯେତେବେଳେ ପବନ ଧକ୍କାରେ କାଷ୍ଠସ୍ତମ୍ଭ ଦୋହଲି ଯାଇ ପଡିଯିବା ପରି ମନେ ହେଲା, ସେତେବେଳେ ସେ ରାଜକୁମାରୀଙ୍କୁ ତା’ ନିକଟରୁ ଟାଣି ଆଣିଥିଲେ । ତାଙ୍କର ଏହି ଆଚରଣକୁ ଠିକ୍ ଭାବେ ବୁଝାଇବା ପାଇଁ ସେତେବେଳେ ତାଙ୍କ ନିକଟରେ ଯଥେଷ୍ଟ ସମୟ ନ ଥିଲା । ତେଣୁ ରାଜା ତାଙ୍କୁ ଦଣ୍ଡିତ କରିଥିଲେ, ସେ ନିଜର ନିର୍ଦ୍ଦୋଷପଣିଆ ପ୍ରମାଣ କରିବାକୁ ମଧ୍ୟ ସୁଯୋଗ ପାଇ ନଥାନ୍ତେ । ରାଜକୁମାରୀଙ୍କ ହାତରେ ତାଙ୍କ ପୋଷାକର ରିବନ୍ ରହି ଯାଇଥିବାରୁ ସେ ତାଙ୍କୁ ସହଜରେ ଚିହ୍ନି ପାରି ଥାଆନ୍ତେ । କିନ୍ତୁ ଉଦାର ହୃଦୟର ରାଜା, ସେନାପତିମାନଙ୍କର ରିବନ୍ କାଢିବା ପାଇଁ ନିର୍ଦ୍ଧେଶ ଦେଇ ତାଙ୍କୁ ମୃତ୍ୟୁ ଓ ଅପମାନରୁ ରକ୍ଷା କଲେ । ଏପରି ଜଣେ ମହାନ୍ ରାଜାଙ୍କ ପ୍ରତି କୃତଜ୍ଞତା ଜଣାଇବାକୁ ଯାଇ ସେ ନିଜ ଜୀବନ ବିପନ୍ନ କରି ତାଙ୍କୁ ରକ୍ଷା କଲେ ।
ଏହା ଶୁଣିବା ପରେ ରାଜା ସେନାପତିଙ୍କୁ ଆଲିଙ୍ଗନ କଲେ । ଯେତେବେଳେ ରାଜକୁମାରୀ ଏହି ବିଷୟ ଜାଣିପାରିଲେ, ତାଙ୍କ ଆଖିରୁ ଦୁଇଧାର ଅଶ୍ରୁ ନିଗିଡି ଆସିଲା । ଗୋଟିଏ ଧାର ଅଶ୍ରୁ ତାଙ୍କ ପିତାଙ୍କ ଉଦ୍ଧେଶ୍ୟରେ ଥିଲା, ଯିଏ କି ବର୍ଷକ ତଳେ ସେନାପତିଙ୍କ ଜୀବନ ରକ୍ଷା କରିଥିଲେ ଓ ଆଉ ଗୋଟିଏ ଧାର ସେହି ସେନାପତିଙ୍କ ଉଦ୍ଧେଶ୍ୟରେ, ଯିଏ କି ତାଙ୍କ ପିତାଙ୍କ ଜୀବନ ରକ୍ଷା କଲେ ।