ଗୃହିଣୀ ଘର ଭିତରକୁ ଚାଲିଗଲେ ଓ ହାତରେ ଗିଲାସେ ଦୁଧ ଆଣି ଗୋପାଳକୁ ଦେଲେ । ଗୋପାଳ ତୃପ୍ତିରେ ନିଃଶ୍ୱାସ ମାରି କହିଲା, ମାଆ କେତେ ମୂଲ୍ୟ ଦେବି । ଏକଥା ଶୁଣି ଲୀଳାବତୀ ଦେବୀ ହସି ହସି କହିଲେ କିଛି ଦେବାକୁ ପଡିବ ନାହିଁ । ତୃଷାର୍ତାକୁ ଜଳ ଦେବା ମୋର କର୍ତ୍ତବ୍ୟ । ତୁମେ ତ ମୋର ପୁଅ ଭଳି ତୁମ ପାଖରୁ କାହିଁକି ପଇସା ନେବି । ଗୋପାଳ ଲୀଳାବତୀଙ୍କୁ ପ୍ରଣାମ କରି ଘରକୁ ଫେରିଗଲା । ପୂର୍ବପରି ସେ ତାର ପାଠ ପଢାରେ ମନ ଦେଲା ।
ଏହା ଭିତରେ ଅନେକ ବର୍ଷ ବିତିଗଲା । ଲୀଳାବତୀଙ୍କ ଜୀବନରେ ଦୁର୍ଭାଗ୍ୟର ସମୟ ଆସିଗଲା । ତାଙ୍କ ସ୍ୱାମୀ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ । ନିଃସଙ୍ଗ ଏବଂ ଦୁଃଖ ଦାୟକ ପରିସ୍ଥିତି ଭିତରେ ପଡି ତାଙ୍କ ଦେହ ଖରାପ ହେଲା । ସ୍ଥାନୀୟ ଡାକ୍ତରମାନେ ରୋଗ ଚିହ୍ନି ପାରିଲେ ନାହିଁ । ଶେଷରେ ତାଙ୍କୁ ବାଙ୍ଗାଲୋରର ‘ଆରୋଗ୍ୟମ’ ହସପିଟାଲରେ ଭର୍ତ୍ତି କରାଗଲା । ସେଠାରେ ଥିଲେ ପ୍ରସିଦ୍ଧ ମନୋବିଜ୍ଞାନୀ ଚିକିତ୍ସକ ଡାକ୍ତର ଗୋପାଳ ସ୍ୱାମୀ । ମହିଶୁର ସହରରୁ ଜଣେ ରୋଗୀ ଆସିଛନ୍ତି ବୋଲି ଶୁଣିବା ପରେ ସେ ରୋଗୀଙ୍କୁ ଦେଖିବା ପାଇଁ ତୁରନ୍ତ ଆସିଲେ । ଦୀର୍ଘ କୋଡିଏ ବର୍ଷ ବିତି ଯାଇଥିଲେ ମଧ୍ୟ ଡାକ୍ତର ସେ ମହିଳା ଜଣଙ୍କୁ ଠିକ୍ ଚିହ୍ନିପାରିଲେ । ଶୀର୍ଣ୍ଣକାୟା ମହିଳାଙ୍କ ଚେହେରା ତାଙ୍କୁ କୋଡିଏ ବର୍ଷ ତଳର ସେଇ ଦିନଟିକୁ ନେଇଗଲା ଯେଉଁଦିନ ସେ ଭୋକରେ ଆଉଟୁ ପାଉଟୁ ହୋଇ ତାଙ୍କୁ ଗିଲାସେ ପାଣି ମାଗିଥିଲେ, ମାତ୍ର ତା ବଦଳରେ ପାଇଥିଲେ ଗିଲାସେ ମିଠା ଦୁଧ ।
ଦୃଢ଼ମନା ପରିଶ୍ରମ କରି ଗୋପାଳ ସ୍ୱାମୀ ଜଣେ ବଡ ଡାକ୍ତର ହୋଇଯାଇଥିଲେ । ଶହ ଶହ ରୋଗୀ ତାଙ୍କ ଚିକିତ୍ସାରେ ଆରୋଗ୍ୟ ଲାଭ କରୁଥିଲେ । ସେ ନିଜେ ସେ ମହିଳାଙ୍କର ଚିକିତ୍ସାଭାର ଗ୍ରହଣ କଲେ । ତାଙ୍କର ଚିକିତ୍ସା ଏବଂ ମଧୁର ବ୍ୟବହାରରେ ମହିଳା ଜଣକ ଖୁବ୍ଶୀଘ୍ର ଆରୋଗ୍ୟ ଲାଭ କରିବାକୁ ଲାଗିଲେ । କିଛିଦିନ ପରେ ସେ ସଂପୂର୍ଣ୍ଣ ରୋଗମୁକ୍ତ ହୋଇ ସୁସ୍ଥ ହୋଇ ଉଠିଲେ । ତାଙ୍କର ପୂର୍ବସ୍ୱାସ୍ଥ୍ୟ ଫେରି ଆସିଲା । ଦୀର୍ଘଦିନ ଧରି ଚିକିତ୍ସା ହୋଇଥିବାରୁ ତାଙ୍କର ବିଲ୍ ଟଙ୍କା ବହୁତ ହେବ ବୋଲି ସେ ଆଶଙ୍କା କରୁଥିଲେ ।
କିଛି ସମୟ ପରେ ଲୀଳାବତୀଙ୍କୁ ଡାକ୍ତରଖାନାର ବିଲ୍ ମିଳିଗଲା । ସେ ବିଲ୍ ଖୋଲି ଦେଖିଲେ ଯେ, ସେଥିରେ ଡାକ୍ତର ଗୋପାଳ ସ୍ୱାମୀ ନିଜର ସ୍ୱାକ୍ଷର କରି ଲେଖିଛନ୍ତି, ସେଦିନ ଗିଲାସେ କ୍ଷୀରର ପାଉଣା ସ୍ୱରୂପ ଏ ବିଲ୍ ମୁଁ ପଇଠ କଲି । ଡାକ୍ତରଙ୍କ କୃତଜ୍ଞତା ଦେଖି ଲୀଳାବତୀଙ୍କ ଆଖିରୁ ଝର ଝର ହୋଇ ଲୁହ ଗଡିପଡିଲା ।