ଲକ୍ଷ୍ୟସ୍ଥଳ କୋଡାଇ କେନାଲ୍ । ଦକ୍ଷିଣ ଇଣ୍ଡିଆ ଭ୍ରମଣରେ ବାହାରିଛନ୍ତି ଓଡିଶାର ବିଭିନ୍ନ ସ୍କୁଲ୍ର ସ୍କାଉଟ୍ ପିଲାଏ । କେବଳ ସେଇଥିପାଇଁ ଭୁବନେଶ୍ୱର ରେଳଷ୍ଟେସନରେ କି ଗହଳି । ଆଉ ସେହି ଗହଳି ଭିତରେ ଚକ୍ଚକ୍ ସ୍କାଉଟ୍ ଡ୍ରେସ୍ରେ ବାରିହୋଇ ପଡୁଛନ୍ତି ପିଲାଏ । ଅଳ୍ପ ବୟସର ପିଲାଗୁଡା । ତାଙ୍କ ଦାୟିତ୍ୱରେ ଥିବା ଶିକ୍ଷକ ମଧ୍ୟ ପିନ୍ଧିଥାନ୍ତି ସ୍କାଉଟ୍ ପୋଷାକ । ଶିକ୍ଷକଙ୍କ ଆକଟ ସତ୍ତ୍ୱେ ଦୌଡାଦୌଡି ହେଉଥାନ୍ତି ପ୍ଲାଟଫର୍ମ ସାରା ସେ ପିଲାଏ । ଥରେ ପାଟି କରିଦେଲେ ଏକାଠି ଗୋଲ୍ ହୋଇ ଠିଆ ହୋଇ ଯାଉଥାଆନ୍ତି । ମିନିଟିଏ ତ । ପୁଣି ଫାଟି ପଡୁଥାଏ ସେ ଗୋଲେଇ । ଦଳେ ସେପଟକୁ କଣ ଗୋଟାଏ ଦେଖିବାକୁ ଦୌଡି ଗଲେଣି ତ ଆଉ ଦଳେ ଏ ପଟକୁ । ଶିକ୍ଷକ ଆସି ଖବର ଦେଲେ – “ନାଇଁ ଏଇ ପ୍ଲାଟଫର୍ମ ନୁହେଁ, ଆମ ଟ୍ରେନ ଲାଗିବ ୨ ନମ୍ବରରେ । ଓଭରବ୍ରିଜ୍ ଟପି ଯିବାକୁ ହେବ ଆରପଟକୁ । ଚାଲ ଏଥର ଉଠାଅ ନିଜ ନିଜର ଲଗେଜ୍ ।”
ଶିକ୍ଷକଙ୍କ ଏପରି କଥା ଶୁଣି ସେ ଦଉଡା ଧାପୁଡା କରୁଥିବା ପିଲାଏ ହଠାତ୍ ଏଥର ଶୃଙ୍ଖଳିତ ହୋଇଗଲେ । ନିଜ ନିଜର ବ୍ୟାଗଟିମାନ ଉଠାଇ ନେଲେ କାନ୍ଧ ଉପରକୁ । ଆଉ ତାପରେ? ଦେ ଦୌଡ । ସେମାନଙ୍କ ଦୌଡିବାର ଧପଧାପ୍ ଜୋତା ଶବ୍ଦରେ ସାରା ପ୍ଲାଟଫର୍ମର ଯାତ୍ରୀ ଯେମିତି ତାଙ୍କୁ ହିଁ ଖାଲି ଚାହିଁ ରହିଲେ । କେହି ଜଣେ କହୁଥାନ୍ତି –
“ଏ ମାଙ୍କଡ ପହ୍ଲଙ୍କୁ ଧରି ଯିଏ ଯିବନା ତା ପ୍ରାଣ ଅଧା । ଯାହା ଅମାନିଆ ହଉଚନ୍ତି ୟାଙ୍କୁ ଜଗିବ ପୁଣି କିଏ?” ବନ୍ଧୁ ତାଙ୍କର ଉତ୍ତର ଦେଲେ- “ହଁ ଏଇତ ଚଗଲାମିର ବେଳ । ହେଲେ ଏ ଦଳଙ୍କୁ ନେଇ ବୁଲେଇ ବାଲେଇ ପୁଣି ଫେରେଇ ଆଣି ଯେଝା ଯେଝା ଜାଗାରେ ଛାଡିବା ମହା ଦାୟିତ୍ୱର କଥା । ସତରେ ଠିକ୍ ତ ମାଙ୍କଡ ପହ୍ଲ ।”