ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସେମାନେ ବି ଥିଲେ ସହଯାତ୍ରୀ

ଟ୍ରେନ୍ ପହଁଚିଲା । ତା’ପରେ ଚଢିଗଲେ ସ୍କାଉଟ୍ ଦଳ ତାଙ୍କ ରିଜର୍ଭ କମ୍ପାଟ୍ମେଂଟରେ । ଆଖିଟି ମାନ ଦିଶୁଥାଏ ଚଳ ଚଂଚଳ । ମୁହଁ ପ୍ରଫୁଲ୍ଲ । ଗୋଡହାତ କିନ୍ତୁ ଆଦୌ ବୋଲ ମାନୁ ନ ଥାଏ ସେମାନଙ୍କର । ଏତେ ଅଥୟ ଯେ ଭଦ୍ରଲୋକ ଠିକ୍ ଉପମା ଦେଇଥିଲେ । ମାଙ୍କଡ ପହ୍ଲ । ତାଙ୍କ ରିଜର୍ଭ କମ୍ପାଟ୍ମେଂଟରେ ଡବାରେ ଦୁଇପଟେ ପ୍ଲାଟଫର୍ମକୁ କବାଟ ଥାଏ ସିନା ହେଲେ ଡବାରୁ ଡବାକୁ ଯିବାକୁ ସେ ବାରଣ୍ଡା ପରି ଜାଗାକୁ ରାସ୍ତା ନାହିଁ । କେମିତି ଅମୁହାଁ ଲାଗୁଥାଏ ସେ ଡବା ଭିତର । ଝର୍କାରେ ରେଲିଂ ନାହିଁ । ଖାଲି ତାର ଜାଲିର ପର୍ଦା । ବୋଧେ ମଶା ନ ପଶିବା ପାଇଁ ଏହିଭଳି ବ୍ୟବସ୍ଥା । ସଂନ୍ଧ୍ୟା ହେଲା । ରାତି ବି ବଢିବାକୁ ଲାଗିଲା । ନିଦ ଲାଗି ଆସିଲା ଏ ଚଗଲା ଦଳଙ୍କୁ । ତାଙ୍କ କ୍ୟାପଟେନ୍ ରାଜାକୁ କିନ୍ତୁ ନିଦ ହେଉନଥାଏ । ୪୮ ଘଂଟାର ଯାତ୍ରା । କାଲି ରାତି ଏଠି ବଡ କାଲୁବାଲୁରେ କଟିଚି । ଝର୍କାର ପର୍ଦ୍ଦା ଖୋଲିବାକୁ ମନା ଏଠି । ଭୟ ବୋଧେ ସେ ଖୋଲା ଝର୍କା ବାଟେ କିଏ କାଳେ ମୁହଁ ଗଳେଇ ଚାହିଁଥିଲାବେଳେ ଗଳି ପଡିବ । ରାଜା ତା ବଗିରେ ଉଠିଲା । ଧୀରେ ଧୀରେ ଯାଇ ଦୁଇ ତିନିଟା ଝର୍କାର ପର୍ଦ୍ଦାକୁ ଉପରକୁ ଖୋଲି ଦେଇ ଗଳେଇ ପକେଇଲା । ଆଃ, କି ସୁନ୍ଦର ପବନ – ରାଜାକୁ ହଠାତ୍ ନିଦ ଲାଗି ଆସିଲା । ଟ୍ରେନ୍ ଚାଲିଚି ଦକ୍ଷିଣ ଇଣ୍ଡିଆର ସୁଦୂର ଉପାନ୍ତ ଅଂଚଳରେ । ଧୀରେ ଧୀରେ ଫରଚା ହୋଇ ଆସୁଚି । ଏହି ସମୟରେ ହଠାତ୍  କଣ ଗୋଟେ ଅସ୍ୱାଭାବିକ ଶବ୍ଦରେ ଚମକି ପଡିଲା ରାଜା । ତେଣୁ ନିଦ ଭାଙ୍ଗିଗଲା ତା’ର । ଆଖି ଫିଟାଇ ଯାହା ସେ ଦେଖିଲା ତା ଛାତି ସେଥିରେ ଧଡ୍ ଧଡ୍ ହୋଇଗଲା । ହଲଚଲ ହେବାକୁ ମଧ୍ୟ ସେ ସାହସ କଲା ନାହିଁ । ସେମିତି ପଡି ରହି ଅଳ୍ପ ଆଖି ମେଲାକରି ଦେଖିଲା –

ଗୋଟେ ବଡ ଗେଧ ମାଙ୍କଡ ତା ସିଟ୍ ପାଖରେ ବସି ତା ଜୋତାର ଲେସ୍କୁ ଦାନ୍ତରେ ଟାଣି ଛିଣ୍ଡଉଚି । ଆଉ ଗୋଟେ ତା ସ୍କାଉଟ୍ ସାର୍ଟ ଖଣ୍ଡକୁ ନେଇ କୁତକୁତା କରି ଚିରି ସାରିଲାଣି । ସେ ଜାଣିଚି ଏ ବଡ ବଡ ମାଙ୍କଡ ଗୁଡା ରିତିମତ ବଣୁଆଁ। ମଣିଷକୁ ମଧ୍ୟ ବିଦାରି ଦେବେ ମିନିଟ୍କରେ । ସେମାନଙ୍କର ଚଳପ୍ରଚଳ ଶବ୍ଦରୁ ସେ ଜାଣି ପାରିଲା ଯେ ଏ ଅନ୍ଧାରୁଆ ଡବା ଭିତରେ ଏଇ ଦିଓଟି କେବଳ ନାହାଁନ୍ତି ବରଂ ଆହୁରି କେତେ ଗୁଡିଏ ଡେରା ପକେଇଛନ୍ତି । “ହଁ, ହଁ, ଚାରି ଝର୍କାର ଜାଲି ପରଦାଗୁଡାକ ଖୋଲା ଦେଖି ସେଇବାଟେ ଏମାନେ ପଶିଛନ୍ତି ।

ସେ ରାଜା ତ ଚୁପ୍ଚାପ୍ ହୋଇ ଶୋଇ ରହିଥାଏ । ଖାଲି ଠାକୁରଙ୍କୁ ଡାକୁଥାଏ ତା ସାଙ୍ଗମାନଙ୍କ ନିଦ ନ ଭାଙ୍ଗୁ । କାଳେ ଏମାନଙ୍କୁ ଦେଖି କିଏ ଯଦି ହାଉଳି ଖାଇବ ଅବସ୍ଥା କଣ ହବ କିଏ ଜାଣେ? ଦଶମିନିଟ୍ ଖଣ୍ଡେ ପରେ ସେ ଟ୍ରେନ୍ର ଗତି ଧୀରେ ଧୀରେ ଶିଥିଳ ହେଲା ଏବଂ ଗାଡି ପୂରା ରହିବା ପୂର୍ବରୁ ସେ ମାଙ୍କଡ ପହ୍ଲ ଝର୍କାବାଟେ ଭୁସ୍ଭାସ୍ କରି ପଦାକୁ ଡେଇଁଲେ । ସେ ରାଜା ଚାହିଁ ଦେଖୁଥାଏ – କେବଳ ସେତିକି ନୁହଁନ୍ତି ଆହୁରି କେତେ ଯେ ଡେଇଁଲେ ସେ ଟ୍ରେନ୍ରୁ । ସେମାନେ ଦଳ ଦଳ ହୋଇ ସେ ପାହାଡିଆ ଅଂଚଳ ଆଡକୁ କୁଦା ମାରି ମାରି ଚାଲିଲେ । ଏ ଷ୍ଟେସନ୍ରେ ଟ୍ରେନ୍ ଟିକେ ଅଧିକା ସମୟ ରୁହେ । ରାଜା ତା’ ସାଙ୍ଗମାନଙ୍କୁ ଓ ସାର୍ଙ୍କୁ ଉଠାଇ ଏ ଦୃଶ୍ୟ ଦେଖାଇଲା । ଟ୍ରେନ୍ ରହିଲାରୁ ତାଙ୍କ ସାର୍ ଯାଇ ଷ୍ଟେସନ ମାଷ୍ଟରଙ୍କୁ ଭେଟିଲେ ଓ ପଚାରିଲେ – ଏତେ ସଂଖ୍ୟାରେ ଏ ମାଙ୍କଡମାନେ ଏ ଟ୍ରେନ୍ରୁ ଓହ୍ଲେଇଲେ ଆମେ ଦେଖିଲୁ ଯେ – କଥା କଣ?


ଗପ ସାରଣୀ

ତାଲିକାଭୁକ୍ତ ଗପ