କେବଳ ପିଲାଏ ନୁହଁନ୍ତି ବାପ ମାଆ ସମସ୍ତିଙ୍କର ସେ ଟାଇଗର ଭାରି ପ୍ରିୟ । ସେଦିନ ସମସ୍ତେ ଯାଇଥାନ୍ତି ଏୟାରପୋର୍ଟ । କାହିଁକିନା ଦିଲ୍ଲୀରୁ ମାଉସୀ ଆସୁଚନ୍ତି । ସେ ଜିଲ୍ଲାର ଜଣେ ବଡ ଅଫିସର୍ଙ୍କ ସ୍ତ୍ରୀ । ଏମାନଙ୍କ ଘରେ ସେ ମାଉସୀ ରହିବେ ସପ୍ତାହେ ।
ମାଉସୀ ଓହ୍ଲେଇଲେ – କିନ୍ତୁ ତାଙ୍କ ହାତରେ ଇଏ କଣ? ସେ ଓହ୍ଲାଇଲା ପରେ କେହି ଜଣେ ଉଡାଜାହାନ କର୍ମଚାରୀ ତାଙ୍କ ହାତକୁ ପଞ୍ଜୁରୀଟିଏ ଆଣି ବଢାଇଦେଲା । ଆଉ ସେହି ପଞ୍ଜୁରୀ ଭିତରେ ଚକ୍ଚକ୍ ସବୁଜ ରଙ୍ଗର ଶୁଆଟିଏ । ତା ଗାଡ ସବୁଜ ରଙ୍ଗ ଦେହର ବେକରେ, ନାଲି ହାରଟିଏ କିଏ ଯେମିତି ଗୁଡେଇ ଦେଇଚି ।
ସମସ୍ତେ ଖାଲି ସେ ଶୁଆର ପ୍ରଶଂସା କରିବାକୁ ଲାଗିଲେ । ଆଶ୍ଚର୍ଯ୍ୟ କଥା ସେ ଠିକ୍ ଦିଲ୍ଲୀବାଲିଙ୍କ ଷ୍ଟାଇଲ୍ରେ କହୁଥାଏ –
…ନମସ୍ତେ, ନମସ୍ତେ, ନମସ୍ତେ… ପରିଷ୍କାର ତା ସ୍ୱର । ତା’ପରେ ସେଠି ସମସ୍ତେ ଘେରି ଗଲେ ସେ ଶୁଆକୁ ।
ତାପରେ ଘରକୁ ଆସିଲା ପରେ ତ ଚାଲିଲା ଖାଲି ସେହି ‘ସୁଇଟି’ର ଚର୍ଚ୍ଚା । ତା ପଞ୍ଜୁରୀ ଚାରିପଟେ ଗହଳି । ଫଳରେ ଟାଇଗର ଆଉ ସମୀର ଆନାଙ୍କ ମଧ୍ୟ ଦେଖା ପାଇଲା ନାହିଁ । ତେଣୁ ତା ମନ ଅତ୍ୟନ୍ତ ଖରାପ ହୋଇଗଲା । ସେ ସମୀର ପାଖକୁ ଲାଗି ଗଲାରୁ ଠିକ୍ ତାରି ସ୍ୱର ଅନୁକରଣ କରି ଶୁଆ ଚାହୁଁ ଚାହୁଁ ବୋବେଇ ଉଠିଲା – ଭୋ – ଭୋ । ଆଉ ତାପରେ ବନ୍ଦ ନ ହୋଇ ସେମିତି ଚଲାଇଥାଏ ଭୋ– ଭୋ – ଯେ – ଟାଇଗର ବିରକ୍ତ ହୋଇ ଚାଲିଗଲା ସେଠୁ ଓ ଉପରକୁ ଯାଇ ଛାତ ଉପରେ ଏକୁଟିଆଟି ହୋଇ ବସିଲା । ଆଉ ଯମାରୁ ତଳକୁ ଆସିଲା ନାହିଁ ସେ । ଶୁଆର ଭୋ ଭୋ ଡାକରେ ଆଖପାଖ ଘରର କୁକୁରମାନେ ମଧ୍ୟ ବୋବେଇବାକୁ ଲାଗିଲେ । ଏହି କାରଣରୁ ସେଠି ଗୋଟେ କେମିତି ବିରକ୍ତିକର ପରିସ୍ଥିତି ସୃଷ୍ଟି ହେଲା । ଟାଇଗରକୁ ଖାଇବାକୁ ଡାକିଲାରୁ ସେ ଆଉ ମୋଟେ ଆସିଲା ନାହିଁ । ଖାଲି ଚୁପ୍ ଚାପ୍ ହୋଇ ଶୋଇ ରହିଲା । କୁଆଡେ ବି ଗଲାନି । କାହିଁକି ନା ଶୁଆ ତାକୁ ଦେଖିଲା ମାତ୍ରେ ଭୋ– ଭୋ – ହେଉଥାଏ । ଘରବାଲାକୁ ତ ଏସବୁ ଭାରି ମଜ୍ଜା ଲାଗୁଥାଏ । ଟାଇଗରକୁ ଆଉ ପୁଣି ଖୋଜୁଚି କିଏ?
ପରଦିନ ପଞ୍ଜୁରୀକୁ ତଳେ ଥୁଆ ହୋଇଥିବା ଦେଖି ତାକୁ ଗଡିଆ ଗଡି କରୁ କରୁ କେମିତି କେଜାଣି ତା କବାଟ ଖୋଲିଗଲା ଓ ଟାଇଗର ଚାହିଁଚି ଫୁର୍କରି ଉଡିଗଲା ସୁଇଟି ତାଙ୍କ ବଗିଚାର ବଡ ବଡ ଗଛ ଗହଳକୁ ।
କିଛି ସମୟ ପରେ ମାଉସୀ ଆସି ଖାଲି ପଞ୍ଜୁରୀକୁ ଦେଖି ହାଉଳି ଖାଇଲେ । ତାପରେ ଘରଯାକ ସମସ୍ତେ ଦୌଡିଲେ ବଗିଚାକୁ । ଏ କଣ ଶୁଆ? ଘର ଚଟିଆମାନଙ୍କ ସହିତ ମିଶି ଛୋଟ ଛୋଟ କାଠି କୁଟା ବୋହି ଆଣି ତାଙ୍କୁ ତାଙ୍କ ଘର ତିଆରିରେ ସାହାଯ୍ୟ କରୁଚି ବଗିଚାରେ ମାଳି ରହୁଥିବା ଘରର ସ୍କାଇଲାଟ୍ରେ ।
ମାଉସୀ କାନ୍ଦୁଣୁ ମାନ୍ଦୁଣୀ ସ୍ୱରରେ ତାକୁ ଡାକିଥାନ୍ତି । ଘରେ ଯେତେ ଯାହା ଫଳ ଥିଲା ସବୁ ଆଣି ତା ପଞ୍ଜୁରୀରେ ରଖି ତାକୁ ଲୋଭ ଦେଖାଉଥାନ୍ତି । କିନ୍ତୁ ନା ସେ କାହାରି କଥା ବି ଶୁଣୁ ନ ଥାଏ ଓ ସେ ସେମିତି ଚଟିଆଙ୍କ ଘର ସଜାଡୁଥାଏ । ବେଶୀ ତା ପଛରେ ଗୋଡେଇଲାରୁ ସେ ଫୁରକିନି କୁଆଡେ ଉଡି ଚାଲି ଗଲା । ତା’ପରେ ଖାଲି ସମସ୍ତେ ପରସ୍ପରକୁ ଦୋଷ ଦେବାକୁ ଲାଗିଲେ । ମାଉସୀ ତ ଟାଇଗର ଉପରେ ରାଗି ନିଆଁବାଣ । କିଛି ସମୟ ପରେ ପୁଣି ସେ ଆସିଲା ଚଟିଆଙ୍କ ସାଙ୍ଗରେ କିଛି ସମୟ ରହି ଯାଇ ବସିଲା ପାଖ ଗଛର ଗୋଟେ ଡାଳରେ । ଜଣେ ସିଡି ପକେଇ ସେ ଗଛ ଉପରକୁ ଧୀରେ ଚଢିବାକୁ ଚେଷ୍ଟା କଲେ । ଶୁଆଟି କେମିତି ଦେଖି ପାରିଲା ବୋଧେ ଉଡିଗଲା ଯେ ଆଉ ଫେରିଲା ନାହିଁ ।
ତେଣୁ ଘରେ ସବୁରି ଖିଆପିଆ ବନ୍ଦ – ଘର ଭିତର ଚୁପ୍ ଚାପ୍ । ଏପରିକି କେହି କାହା ସହିତ କଥାବାର୍ତ୍ତା ବି ହେଉ ନ ଥାନ୍ତି । ଏମିତିରେ ମନଦୁଃଖରେ ରାତି କଟିଲା । ସକାଳ ହେଲାରୁ ସମସ୍ତିଙ୍କ ଆଖି ବଗିଚାର ସେଇ ଗଛମାନଙ୍କ ଉପରେ । କିନ୍ତୁ ନା ସେ ସୁଇଟି କୋଉଠି ବି ନାହିଁ ।