ବହୁ ପୁରାକାଳର କଥା । ଗୋଟିଏ ନଗରୀରେ ‘ସୋମିଲାକ୍’ ନାମକ ଏକ ତନ୍ତୀ ବାସ କରୁଥିଲା । ଲୁଗା ବୁଣି ସେ ନିଜର ଗୁଜୁରାଣ ମେଂଟାଏ । ସେ ବୁଣୁଥିବା ଲୁଗା ଗୁଡିକ ଏତେ ଉତ୍କୃଷ୍ଟମାନର ଥିଲା ଯେ ରାଜା ମଧ୍ୟ ଏହା ପିନ୍ଧିବାକୁ ସବୁ ସମୟରେ ଚାହୁଁଥିଲେ । କିନ୍ତୁ ସେ ତା’ର କାର୍ଯ୍ୟ ଅନୁଯାୟୀ ପାରିଶ୍ରମିକ ପାଉ ନଥିଲା । ଅନ୍ୟ ତନ୍ତୀମାନେ କିନ୍ତୁ ନିକୃଷ୍ଟ ମାନର ପୋଷାକ ପ୍ରସ୍ତୁତ କରୁଥିଲେ ମଧ୍ୟ ସେମାନେ ଅଧିକ ପାରିଶ୍ରମିକ ପାଉଥିଲେ । ଏହା ଦେଖି ଦିନେ ସୋମିଲାକ୍ ତା’ର ପତ୍ନୀକୁ କହିଲା, “ଦେଖ! ଆଜି ମୋର ମନ ଭଲ ନାହିଁ । ମୁଁ ଆଉ ଏ ଦେଶରେ ରହିବା ପାଇଁ ଚାହୁଁ ନାହିଁ ।” ପତ୍ନୀ ସଂଗେ ସଂଗେ ନ ରହିବାର କାରଣ ଜାଣିବାକୁ ଇଚ୍ଛା ପ୍ରକାଶ କଲେ । ସୋମିଲାକ୍ କହିଲେ, ‘ଉତ୍କୃଷ୍ଟ ମାନର ଲୁଗା ପ୍ରସ୍ତୁତ କଲେ ମଧ୍ୟ ମୋତେ ଠିକ୍ ପାରିଶ୍ରମିକ ମିଳୁନାହିଁ । ଅଥଚ ଯେଉଁମାନେ ନିକୃଷ୍ଟ ମାନର ଲୁଗା ବୁଣୁଛନ୍ତି ସେମାନେ ଦିନକୁଦିନ ଅଧିକ ଅର୍ଥ ଉପାର୍ଜନ କରୁଛନ୍ତି ।
ସୋମିଲାକ୍ ଙ୍କର ଏହି କଥା ଶୁଣି ପତ୍ନୀ କହିଲେ, “ତୁମେ କହୁଛ ଯେ ତୁମେ ଅନ୍ୟତ୍ର ଯାଇ ଅଧିକ ଅର୍ଥ ରୋଜଗାର କରିବ । କିନ୍ତୁ ଗୋଟିଏ କଥା ମନେରଖ, ଯାହା ତୁମ ଭାଗ୍ୟରେ ଥିବ ତାହା ନିଶ୍ଚୟ ଘଟିବ । ଭାଗ୍ୟ ଏବଂ କର୍ମ ସର୍ବଦା ହାତ ଧରାଧରି ହୋଇ ଚାଲିଥାଆନ୍ତି । ଯେପରି ଗୋଟିଏ ବାଛୁରୀ ଶହ ଶହ ଗାଈଙ୍କ ମଧ୍ୟରୁ ତା’ର ମାଆକୁ ଖୋଜି ପାଇପାରେ, ଠିକ୍ ସେହିପରି ଭାଗ୍ୟ ଶହ ଶହ କର୍ମୀଙ୍କ ମଧ୍ୟରୁ ଉଚିତ୍ କର୍ମୀଙ୍କୁ ଖୋଜି ପାଇପାରେ । ତେଣୁ ମୋର କଥା ମାନି, କେଉଁଆଡେ ନଯାଇ ଏହିଠାରେ ହିଁ ନିଜ କାର୍ଯ୍ୟରେ ମନ ଦିଅ ।” ପତ୍ନୀର କଥା ଶୁଣି ସୋମିଲାକ୍ କହିଲେ, ତୁମେ ଯାହା କହୁଛ ମୋତେ ଠିକ୍ ଲାଗୁ ନାହିଁ । ସବୁ କିଛି କର୍ମ ଉପରେ ନିର୍ଭର କରେ । କର୍ମ ନ କଲେ କେହି କେବେ ତୁମ ହାତ ପାଖରେ ଆଣି ଖାଦ୍ୟ ଦେବେ ନାହିଁ । ସିଂହଟିଏ ଯଦି ତା’ର ଶୀକାର ଖୋଜିବ ନାହିଁ ତା’ ହେଲେ ଶିକାର କଦାପି ସିଂହର ମୁହଁ ପାଖକୁ ଆସିବ ନାହିଁ । ଏହା କହି ସୋମିଲାକ୍ କହିଲେ ମୁଁ ମନସ୍ଥ କରିସାରିଛି, ମୁଁ ଏହି ଯାଗାଛାଡି ଅନ୍ୟତ୍ର ଚାଲିଯିବି ।