ଦର୍ଶନ କରି ଫେରି ଆସିବା ବେଳେ, ସେ ମନ୍ଦିର ମଣ୍ଡପରୁ ତାଙ୍କୁ ମୃଦୁ ମଧୁର ବୀଣା ନାଦ ଶୁଣିବାକୁ ମିଳିଲା । ସେ ପଛକୁ ଅନାଇ ଦେଖିଲେ ଯେ, ମେଘ ରଙ୍ଗର ବସ୍ତ୍ର ପରିଧାନ କରିଥିବା ଜଣେ ଚମତ୍କାର ଦେବକନ୍ୟା ବୀଣାରେ ଝଙ୍କାର ତୋଳୁଛନ୍ତି । ଜୟନ୍ତ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ କିଛି ସମୟ ଚାହିଁଲେ ଓ ତା’ପରେ ତା’ଙ୍କ ନିକଟକୁ ସେ ଗଲେ । ଦେବକନ୍ୟା ସ୍ମିତ ହସି ବୀଣା ତଳକୁ ରଖିଲେ ଓ କହିଲେ, “ମୁଁ ଗନ୍ଧର୍ବ କନ୍ୟା ଚିତ୍ରଲେଖା । ଏବେ ମୁଁ ଆପଣଙ୍କର ପରିଚୟ ଜାଣି ପାରେ କି?”
ଜୟନ୍ତ ଅତ୍ୟନ୍ତ ଭଦ୍ର ଭାବେ ନିଜର ସମ୍ପୂର୍ଣ୍ଣ ପରିଚୟ ପ୍ରଦାନ କଲେ । ତା’ପରେ ଚିତ୍ରଲେଖା କହିଲେ, “କୌଣସି ଗନ୍ଧର୍ବ ଯୁବକ ମୋର ମନ ପସନ୍ଦ ହେଉ ନ ଥିବାରୁ ମୁଁ ଆଜିଯାଏଁ ଅବିବାହିତ ରହିଛି । ଆପଣଙ୍କର ସୌନ୍ଦର୍ଯ୍ୟ ମୋତେ ଅତ୍ୟନ୍ତ ମନ୍ତ୍ରମୁଗ୍ଧ କରି ପାରିଛି । ଆମେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେଲେ ଗନ୍ଧର୍ବ ଲୋକରେ ସୁଖର ଜୀବନ ବିତାଇ ପାରିବା ।”
ଚିତ୍ରଲେଖାଙ୍କ କଥା ଶୁଣି ଜୟନ୍ତ ଚକିତ ହୋଇ କହିଲେ, “ମୁଁ ଏହି ଦେଶର ଭାବୀ ଶାସକ । ସିଂହାସନ ଆରୋହଣ କରିବା ପୂର୍ବରୁ ମୁଁ ଜନତାଙ୍କର ସୁଖ ଦୁଃଖ ସହିତ ପରିଚିତ ହେବା ଉଦ୍ଧେଶ୍ୟରେ ରାଜ୍ୟ ସାରା ଭ୍ରମଣ କରିବା ପାଇଁ ବାହାରିଛି । ମୋର ଲକ୍ଷ୍ୟ ପୂରଣ ନ ହେବା ପର୍ଯ୍ୟନ୍ତ ବିବାହ କରିବା ପାଇଁ ମୋର ମୋଟେ ଆଗ୍ରହ ନାହିଁ ।” ଏପରି କହି ଜୟନ୍ତ ସେଠାରୁ ଆସିବାକୁ ଉଦ୍ୟତ ହେବାରୁ ତା’କୁ ବାଧା ଦେଇ ଚିତ୍ରଲେଖା ଅନୁରୋଧ ପ୍ରକାଶ କରିବାକୁ ଯାଇ କହିଲେ, ଅନ୍ତତଃ ପକ୍ଷେ ମୋତେ ଆପଣଙ୍କ ସହିତ କିଛି ଦିନ ଭ୍ରମଣ କରିବାକୁ ତ ସୁଯୋଗ ଦିଅନ୍ତୁ ।”
ଏହା ପରେ, ଜୟନ୍ତ ଚିତ୍ରଲେଖାଙ୍କୁ ସାଙ୍ଗରେ ଧରି ତାଙ୍କ ରାଜ୍ୟର ଅନେକ ଅଂଚଳ ଘୁରି ବୁଲିଲେ । ପ୍ରତ୍ୟେକ ସ୍ଥାନରେ ସେ ଜନତାଙ୍କର କିଛି ନା କିଛି ସମସ୍ୟା ଥିବାର ଦେଖି ପାରିଲେ ଓ ସାଧ୍ୟମତେ ତା’ର ସମାଧାନ ପାଇଁ ଚେଷ୍ଟା ବି କଲେ ।
ଦିନେ ଚିତ୍ରଲେଖା ଓ ଜୟନ୍ତ ଅରଣ୍ୟମାର୍ଗ ଦେଇ ଯାତ୍ରା କରୁଥିଲେ । ଗୋଟିଏ ଗଛ ତଳେ ଜଣେ ଅସୁନ୍ଦରୀ ଯୁବତୀକୁ ବସିଥିବାର ସେମାନେ ଦେଖିଲେ । ସେ ବହୁତ ଉଦାସ ଦିଶୁଥିଲା । ଜୟନ୍ତ ତା’କୁ ତା’ର କାରଣ ପଚାରିଲେ । ତା’ପରେ ସେହି ଯୁବତୀ ମ୍ଲାନ କଣ୍ଠରେ କହିଲା, “ମୋର ନାମ ଜଳଜା ଅଟେ । ମୁଁ ଜନ୍ମରୁ କଳାକାର ଅଟେ । ରବି ନାମକ ଜଣେ ଯୁବକ ମୋତେ ଖୁବ୍ ଭଲ ପାଏ । ତା’ର ହୃଦୟରେ ମୋ ପ୍ରତି ସମ୍ପୂର୍ଣ୍ଣ ସହାନୁଭୂତି ରହିଛି । ସେ ସବୁବେଳେ କହେ, “ଜଳଜା ଅସୁନ୍ଦରୀ ହେଲେ କ’ଣ ହେବ, ହେଲେ ତା’ର ସ୍ୱଭାବ ଅତ୍ୟନ୍ତ ଭଲ । ସେ ଗୋଟିଏ ଭଲ ଝିଅ । ମୁଁ ତା’ ବ୍ୟତୀତ ଆଉ କାହାକୁ ମଧ୍ୟ ବିବାହ କରିବି ନାହିଁ । କିନ୍ତୁ ତା’ର ମା’ ଏହି ପ୍ରସ୍ତାବରେ ଆଦୌ ଏକମତ ନୁହଁନ୍ତି । ସେ ତାଙ୍କ ପୁତ୍ରକୁ ଧମକ ଦେଇଛନ୍ତି ଯେ, ଯଦି ରବି ମୋତେ ବିବାହ କରିବେ, ତେବେ ସେ କୁଅକୁ ଡେଇଁ ପଡି ଆତ୍ମହତ୍ୟା କରିବେ । ମୁଁ ଏହା ସହ୍ୟ କରି ପାରିଲି ନାହିଁ । ଏଣୁ ନିଜ ଜୀବନକୁ ଶେଷ କରିଦେବା ପାଇଁ ଜଙ୍ଗଲକୁ ମୁଁ ଚାଲି ଆସିଲି । କିନ୍ତୁ ମରିବାକୁ ଏବେ ମୋର ସାହସ ହେଉ ନାହିଁ ।”