ଜଳଜାର ଦୁଃଖଭରା କାହାଣୀ ଶୁଣି ଜୟନ୍ତଙ୍କ ହୃଦୟ ସତେ ଯେମିତି ଥରି ଉଠିଲା । ସେ ଚିତ୍ରଲେଖାକୁ କହିଲେ, “ତୁମେ ତ ଜଣେ ଦେବକନ୍ୟା । ତା’ର କୁରୂପକୁ ହଟାଇବା ପାଇଁ ତୁମ ପାଖରେ କିଛି ଦିବ୍ୟଶକ୍ତି ଅଛି କି?” ଏଭଳି କଥା ଶୁଣି ଚିତ୍ରଲେଖା ସାମାନ୍ୟ ହସି ଜଳଜା ପାଖକୁ ଆସିଲେ ଓ ତା’ର ମଥାକୁ ତିନି ଥର ସ୍ପର୍ଶ କଲେ । ଚାହୁଁ ଚାହୁଁ ଜଳଜା ସୁନ୍ଦରୀ ଯୁବତୀ ରୂପ ଧାରଣ କଲା । ଏହାପରେ ସେ ଦୁଇଜଣଙ୍କ ପ୍ରତି କୃତଜ୍ଞତା ଜଣାଇ ଜଳଜା ସେଠାରୁ ବିଦାୟ ନେଲା ।
ଜଳଜା ଚାଲିଯିବା ପରେ ଚିତ୍ରଲେଖାଙ୍କୁ ଅଭିନନ୍ଦନ ଜଣାଇବା ଉଦ୍ଧେଶ୍ୟରେ ଜୟନ୍ତ ପଛକୁ ବୁଲିବା ବେଳକୁ ସେ ଦେଖିଲେ ଯେ, ଚିତ୍ରଲେଖାଙ୍କର ରୂପର ଆତ୍ମଳଚୁଳ ପରିବର୍ତ୍ତନ ଘଟି ଯାଇଛି । ସେ ତାଙ୍କର କୁରୂପ ଦେଖି ସ୍ତବ୍ଧ ହୋଇଗଲେ । ତାଙ୍କ ପାଟିରୁ ଆଉ କିଛି ବି ଶବ୍ଦ ବାହାରିଲା ନାହିଁ । ଗୋଟିଏ କ୍ଷଣ ଆଗର ଚିତ୍ରଲେଖା ଓ ଏବେର ଚିତ୍ରଲେଖା ମଧ୍ୟରେ ଆକାଶ ପାତାଳ ଫରକ୍ ଥିଲା । ସୌନ୍ଦର୍ଯ୍ୟର ଚିହ୍ନବର୍ଣ୍ଣ ନ ଥିଲା । କେବଳ କୁରୂପ ହିଁ କୁରୂପ ଥିଲା ।
କିଛିକ୍ଷଣ ପରେ ଜୟନ୍ତ ନିଜକୁ ସମ୍ଭାଳି ନେଇ ଚିତ୍ରଲେଖାଙ୍କୁ କହିଲେ, “ତୁମେ ଏତେ ବଡ ତ୍ୟାଗ କଲ କାହିଁକି? ତୁମେ ତୁମର ଦେବୋପମ ସୌନ୍ଦର୍ଯ୍ୟ ଜଳଜାକୁ ସମର୍ପଣ କରିଦେଲ?”
ଚିତ୍ରଲେଖା ଆଦୌ ବ୍ୟସ୍ତ ନ ହୋଇ ଶାନ୍ତ ଭାବେ କହିଲା, “ତୁମ ସହିତ ମୁଁ ଏତେ ଦିନ ହେଲା ଭ୍ରମଣ କରୁଛି, ମୁଁ ଜାଣି ପାରିଛି ଯେ ନିଃସ୍ୱାର୍ଥ ସେବାରୁ ଖୁବ୍ ଆନନ୍ଦ ମିଳିଥାଏ । ଏହା ବ୍ୟତୀତ ଜଳଜାକୁ ସୌନ୍ଦର୍ଯ୍ୟ ପ୍ରଦାନ କରିବା ନିମନ୍ତେ ମୋ ନିକଟରେ ଆଉ କୌଣସି ବି ଉପାୟ ମଧ୍ୟ ନ ଥିଲା । ତେଣୁ ମୁଁ ଖୁସି ମନରେ ମୋର ସୌନ୍ଦର୍ଯ୍ୟ ତା’କୁ ଅର୍ପଣ କରିଛି ।”
ଚିତ୍ରଲେଖାଙ୍କର ଉତ୍ତରରେ ଜୟନ୍ତ ଅତ୍ୟନ୍ତ ଆନନ୍ଦିତ ହେଲେ । ସେ ସ୍ନେହଭରା କଣ୍ଠରେ ଚିତ୍ରଲେଖାଙ୍କୁ କହିଲେ, “ତୁମେ ଏବେ ଆଉ କୁରୂପିଣୀ ନୁହଁ । ଦିବ୍ୟ ସୌନ୍ଦର୍ଯ୍ୟରେ ବିଭୂଷିତ ହୋଇ ତୁମେ ଅପୂର୍ବ ସୁନ୍ଦରୀ ମନେ ହେଉଛ । ଏବେ ମୁଁ ତୁମକୁ ବିବାହ କରିବାକୁ ନିଷ୍ପତି ଗ୍ରହଣ କରୁଛି ।” ଏପରି କହି ସେ ଚିତ୍ରଲେଖାର ହସ୍ତ ଧାରଣ କଲେ ।
ଠିକ୍ ତା’ ପରକ୍ଷଣରେ, ଚିତ୍ରଲେଖା ତାଙ୍କର ପୂର୍ବର ସେହି ସୌନ୍ଦର୍ଯ୍ୟମୟୀ ରୂପ ଫେରି ପାଇଲେ । ଗୁଣବତୀ ଓ ରୂପବତୀ ଚିତ୍ରଲେଖାକୁ ସାଙ୍ଗରେ ଧରି ଜୟନ୍ତ ରାଜପ୍ରାସାଦକୁ ପ୍ରତ୍ୟାବର୍ତ୍ତନ କଲେ ।
ବେତାଳ ଏହି କାହାଣୀ ଶୁଣାଇବା ପରେ ନିଜର ସନ୍ଦେହ ବ୍ୟକ୍ତ କରି ରାଜା ବିକ୍ରମାର୍କଙ୍କୁ ପ୍ରଶ୍ନ କଲା, “ରାଜନ୍! ଏହା ନିଃସନ୍ଦେହ ଯେ, ଜୟନ୍ତ ଜଣେ ସୁନ୍ଦରପୁରୁଷ । ତାଙ୍କର ସୌନ୍ଦର୍ଯ୍ୟ ଦେଖି ଗନ୍ଧର୍ବ – କନ୍ୟା ଚିତ୍ରଲେଖା ମଧ୍ୟ ବିମୋହିତ ହୋଇଥିଲେ । ମାତ୍ର ଜୟନ୍ତ ପ୍ରଥମେ ଏହି ପ୍ରସ୍ତାବ ଗ୍ରହଣ କରି ନଥିଲେ । ମାତ୍ର ଚିତ୍ରଲେଖା ଯେତେବେଳେ ନିଜର ସୌନ୍ଦର୍ଯ୍ୟ ହରାଇ କୁରୂପିଣୀ ହୋଇଗଲେ, ଜୟନ୍ତ ତାଙ୍କୁ ଅର୍ଥହୀନ କଥା ସବୁ କହି ବିବାହ କରିବାକୁ ପ୍ରସ୍ତୁତ ହୋଇଗଲେ । ଜୟନ୍ତର ଏପରି ବ୍ୟବହାର ମାନସିକ ସନ୍ତୁଳନର ଅଭାବ ନୁହେଁ ତ ଆଉ କ’ଣ?”
ମୋର ସନ୍ଦେହର ସମାଧାନ ଜାଣି ମଧ୍ୟ ତୁମେ ନୀରବ ରହିଲେ ତୁମର ମସ୍ତକ ଶତଧା ବିଦୀର୍ଣ୍ଣ ହେବ ।
ବିକ୍ରମାର୍କ ଉତ୍ତର ଦେଲେ, “ଜୟନ୍ତର ବ୍ୟବହାର ତା’ର ମାନସିକ ପରିପକ୍ୱତାର ଏକ ନିଦର୍ଶନ । ଏହାକୁ ମାନସିକ ଭ୍ରମ ଭାବେ ଗ୍ରହଣ କରିବା ତୁମର ଏକ ଭ୍ରମ । ଜୟନ୍ତ ପ୍ରଥମରୁ ହିଁ ଅଳୀକ ବାରଥ ସୌନ୍ଦର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ନାହିଁ । ଅନ୍ତରର ସୌନ୍ଦର୍ଯ୍ୟ ହେଉଛି ଉତ୍ତମ ଗୁଣ । ସେହି ଶାଶ୍ୱତ ସୌନ୍ଦର୍ଯ୍ୟ ପ୍ରତି ସେ ସର୍ବଦା ସମ୍ମାନ ଦେଖାଇ ଆସିଛି । ଚିତ୍ରଲେଖା ସହିତ ବିବାହ କରିବା ପାଇଁ ଅନାଗ୍ରହ ପ୍ରକାଶ କରିବାରୁ ଚିତ୍ରଲେଖା ଜୟନ୍ତର ସ୍ୱଭାବ ସହିତ ପରିଚିତ ହେବା ପାଇଁ ଚେଷ୍ଟା କରିଛି । ନିଃସ୍ୱାର୍ଥପର ସେବା ଓ ଉତ୍ତମ ଗୁଣ ପ୍ରତି ଜୟନ୍ତର ଆଦର ରହିଥିବା ସେ ଜାଣି ପାରିଛି । ତେଣୁ ସେ ମଧ୍ୟ ସେହି ଦେବୋପମ ଗୁଣ ହାସଲ କରିବା ପାଇଁ ଆଗ୍ରହୀ ହୋଇଛି । ତେଣୁ ସେ ବିନା ଦ୍ୱିଧାରେ ନିଜର ସୌନ୍ଦର୍ଯ୍ୟ ଅର୍ପଣ କରି ଅନ୍ତରରେ ଶାନ୍ତି ଓ ପବିତ୍ରତା ଅନୁଭବ କରିଛି । ଏହି ପରୋପକାର ଓ ତ୍ୟାଗର ଅଳଙ୍କାରରେ ବିମଣ୍ଡିତ ହେବା ପରେ ଚିତ୍ରଲେଖା ଜୟନ୍ତ ନିକଟରେ ଅଧିକ ସୌନ୍ଦର୍ଯ୍ୟମୟୀ ଓ ମହନୀୟା ରୂପରେ ପ୍ରକଟିତ ହୋଇଛି । ତେଣୁ ସେ ତାକୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଛି । ନିଃସ୍ୱାର୍ଥପର ସେବା ଓ ତ୍ୟାଗର ମହିମାରୁ ଚିତ୍ରଲେଖା ମଧ୍ୟ ତା’ର ପୂର୍ବ ସୌନ୍ଦର୍ଯ୍ୟ ଆଉଥରେ ଫେରି ପାଇଛି ।”
ଏହିଭଳି ଭାବେ ସେ ରାଜାଙ୍କର ମୌନ ଭଙ୍ଗ କରିବାରେ ସଫଳ ହୋଇ ଶବ ଓ ଶବସ୍ଥିତ ବେତାଳ ଅଦୃଶ୍ୟ ରୂପରେ ପୁନଶ୍ଚ ବୃକ୍ଷଡାଳରେ ଯାଇ ଝୁଲିପଡିଲା ।