ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସ୍ୱପ୍ନରୁ ବାସ୍ତବ

ଏଣେ ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ବି ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ୱାନଶ୍ୱାପଦଙ୍କ ରଡି ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନ ଘନ ବିଜୁଳି ଆଲୁଅରେ ଚକ୍ଚକ୍ ହୋଇ ଦିଶିଯାଉଥାଏ ।

                କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ଆପଣା କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ରାଜା! ତମେ ନିଶାର୍ଦ୍ଧରେ ନିଜ ଜୀବନକୁ ପାଣି ଛଡାଇ ଯେଉଁ କାମ ହାତକୁ ନେଇଛ, ସେଥିରୁ ଏହା ପ୍ରମାଣିତ ହେଉଛି ଯେ ତୁମେ ଅତ୍ୟନ୍ତ ସାହସୀ । କିନ୍ତୁ ସାହସହିଁ ଯଥେଷ୍ଟ ନୁହେଁ । ବୁଦ୍ଧି ଓ ବିବେକ୍ଜ୍ଞାନ ପ୍ରୟୋଜନ । ସାହସୀ ଓ ବୁଦ୍ଧିମାନ ଲୋକେ ମଧ୍ୟ କିପରି ଥରେ ବୋକାଙ୍କ ଭଳି ବ୍ୟବହାର କରନ୍ତି, ତାର ଗୋଟାଏ ଉଦାହରଣ ଦେଉଛି । ମନଦେଇ ଶୁଣ । ଶୁଣିଲେ ତମ ଶ୍ରମଭାର ଲାଘବ ମନେ ହେବ ।”

                ଏତିକି କହି ସେ ବେତାଳ ଗପିଲା: ଅନେକ ଦିନ ତଳର କଥା । ପାଟଳିପୁତ୍ର ନଗରୀରେ ଜୟାନନ୍ଦ ନାମକ ଜଣେ ବିଶିଷ୍ଟ ବଣିକ ଥିଲେ । ତାଙ୍କ ଘରେ ଅଭୟ ନାମକ ଜଣେ ଯୁବକ ରହୁଥାଏ । ଅଭୟର ବାପା ଜୟାନନ୍ଦଙ୍କର ବନ୍ଧୁ ଥିଲେ । ଥରେ ଏକତ୍ର ଦୁଇ ପରିବାର ତୀର୍ଥଯାତ୍ରା କରିବାକୁ ଯାଇଥିବା ବେଳେ ଅଭୟର ବାପା ମା’ ଗୋଟିଏ ଦୁର୍ଘଟଣାରେ ପ୍ରାଣ ତ୍ୟାଗ କଲେ । ଅଭୟ ସେତେବେଳେ ପିଲା । ଏଣୁ ଜୟାନନ୍ଦ ତାକୁ ନିଜ ଘରେ ଆଶ୍ରୟ ଦେଲେ ।

                ଅଭୟ ଅତ୍ୟନ୍ତ ଉଚ୍ଚାକାଂକ୍ଷୀ ଯୁବକ ଥିଲା । ଜୟାନନ୍ଦଙ୍କ ଘରେ ଅନେକ ଚାକରବାକର ଥିଲେ । ଅଭୟ ମଧ୍ୟ ପ୍ରାୟ ସେହିମାନଙ୍କ ଭଳି ଚଳୁଥିଲା । ଅବଶ୍ୟ ତାକୁ କେହି କୌଣସି କଠିନ କାମଦାମ ଦେଉ ନଥିଲେ କିମ୍ବା କଡା କଥା ମଧ୍ୟ କହୁ ନଥିଲେ । ତଥାପି ସେଭଳି ଭାବରେ ରହିବାକୁ ତାକୁ ମୋଟେ ସୁଖ ଲାଗୁ ନଥାଏ ।

                ଅନେକ ସମୟରେ ସେ ଦିବାସ୍ୱପ୍ନ ଦେଖୁଥାଏ । ସତେ ଯେମିତି ସେ ବଡଲୋକ ହୋଇ ଯାଇଛି ଓ ଜୟାନନ୍ଦ ତା’ ପାଖରେ ଆସି କୃପାପ୍ରାର୍ଥୀ ହୋଇ ଠିଆ ହୋଇଛନ୍ତି!

                ଦିନେ ଖରାବେଳେ ସେ ଶୋଇ ରହି ସେମିତି କଳ୍ପନାରେ ମଶ୍ଗୁଲ୍ ଥାଏ । ସେଦିନ ଜୟାନନ୍ଦ ଦୂରକୁ ଯାଇଥାନ୍ତି । ଆଖପାଖରେ ବି କେହି ନଥାନ୍ତି । ତେଣୁ ଅଭୟ ମନକୁ ମନ ଧୀର କଣ୍ଠରେ କଥା କହୁଥାଏ: “ଦେଖ ଜୟାନନ୍ଦ! ମୋ ଭଳି ଯୁବକକୁ ତମେ କନ୍ୟାଦାନ କରିବ, ଏ କଳ୍ପନା କରନାହିଁ ।” ପୁଣି ସେ ଜୟାନନ୍ଦ ହୋଇ କହୁଥାଏ, “ବାପା ଅଭୟ! ଏ ଅଧମ ଜୟାନନ୍ଦର ପ୍ରାର୍ଥନା ମଞ୍ଜୁର କର । ମୋ କନ୍ୟା ସୁଶୀଳାକୁ ଗ୍ରହଣ କରି ମୋ ସାତ ପୁରୁଷଙ୍କୁ କୃତାର୍ଥ କର!”

                ଠିକ୍ ଏହି ସମୟରେ ଜୟାନନ୍ଦ ହଠାତ୍ ଭିତରକୁ ପଶି ଆସିଲେ । ସେ ସେତିକିବେଳେ ଫେରିଥାନ୍ତି । ଆଶ୍ଚର୍ଯ୍ୟ କଥା ବିରକ୍ତ ହୋଇ ଅଭୟକୁ ତତ୍କ୍ଷଣାତ୍ ତାଙ୍କ ଘରୁ ବାହାରି ଯିବାକୁ ସେ କହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ