ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସ୍ୱପ୍ନରୁ ବାସ୍ତବ

                ଅଭୟର ଦୁର୍ଦ୍ଦଶା ଦେଖି ଜୟାନନ୍ଦଙ୍କ କର୍ମଚାରୀମାନେ ହସିଲେ । ଅଭୟ ଭୀଷଣ ଅପମାନ ବୋଧ କଲା ଓ ସେଠାରୁ ସେ ବାହାରିଗଲା ।

                ରାଗ ଓ ଦୁଃଖରେ ସେ ଗୋଟିଏ ବଣରେ ଯାଇ ପ୍ରବେଶ କଲା । ସେ ଦେଖିଲା, ଗୋଟିଏ ଗଛ ମୂଳରେ ଜଣେ ତପସ୍ୱୀ ବସିଛନ୍ତି ।

                ଅଭୟ ମାସଟିଏ ତପସ୍ୱୀଙ୍କର ସେବା ଶୁଶ୍ରୁଷା କଲା । ଦିନେ ତପସ୍ୱୀ ତାକୁ କହିଲେ, “ବାପା! ତୁ ସିନା ଏଠି ରହିଛୁ, କିନ୍ତୁ ତୋ ମନ ଯାଇ ଲୋକାଳୟରେ । ଏଥର ଯା, କୌଣସି ଗ୍ରାମ ବା ସହରରେ ଘରଦ୍ୱାର କରି ରହିବୁ ।”

                ଅଭୟ କହିଲା, “ମହାତ୍ମା! ଆପଣ ଠିକ୍ କହିଛନ୍ତି । କିନ୍ତୁ ଏବେ ମୁଁ ଯିବି କୁଆଡେ?” ସେ ନିଜ ଦୁଃଖ କଥା ଜଣାଇ ପ୍ରାର୍ଥନା କଲା, “ମୋତେ ଆପଣ ଏମିତି କିଛି ବର ଦିଅନ୍ତୁ, ଯାହା ଫଳରେ ଜୟାନନ୍ଦ ମୋତେ ନେହୁରା ହେବେ ।”

                ତପସ୍ୱୀ କହିଲେ “ବାପା! ଜୟାନନ୍ଦ ପରିଶ୍ରମ କରି ପ୍ରତିଷ୍ଠା ପାଇଛି । ତୁ ବି ଠିକ୍ ସେହିପରି କରିବା ଉଚିତ୍ ।”

                “ମହାଭାଗ! ଆପଣ ଯାହା କହିଲେ, ସେକଥା ତ ଯେ କୌଣସି ଲୋକ ମଧ୍ୟ କହି ପାରିଥାନ୍ତା । ଆପଣଙ୍କଠାରୁ ମୁଁ ସିନା କିଛି ବର ଆଶା କରୁଥିଲି!”

                ତପସ୍ୱୀ କିଛି ସମୟ ଚୁପ୍ ରହି କହିଲେ, “ହେଉ ବାପା, ମୁଁ ତୋତେ ଗୋଟାଏ ଏପରି ମନ୍ତ୍ର ଦେବି, ଯାହା ସାତଥର ଜପ କରି ତୋର ଯାହା ଇଚ୍ଛା ତାହା ଉପରେ ଗୋଟିଏ ମୁହୂର୍ତ୍ତ ମନୋନିବେଶ କଲେ ତୋ ଇଚ୍ଛା ପୂରଣ ହେବ ।” ଏହା କହି ତପସ୍ୱୀ ତାକୁ ସେ ମନ୍ତ୍ରଟି ଶିଖାଇ ଦେଲେ ।

                ଏହାପରେ ସେ ଅଭୟ ଅତ୍ୟନ୍ତ ପ୍ରସନ୍ନ ହୋଇ ତାଙ୍କଠାରୁ ବିଦାୟ ନେବାକୁ ଉଦ୍ୟତ ହେଲା । ସେତେବେଳେ ତପସ୍ୱୀ କହିଲେ, “ବାପା! ମଣିଷ ଯାହା ଚାହେଁ, ତାହା ସେ ଦୁଇ ପ୍ରକାର ଉପାୟରେ ପାଇପାରେ । ସ୍ୱାଭାବିକ ଉପାୟରେ ନହେଲେ ଅସ୍ୱାଭାବିକ ଉପାୟରେ । ମଣିଷ ଯାହା ଅସ୍ୱାଭାବିକ ଉପାୟରେ ପାଏ, ତା’ର ପ୍ରତିକ୍ରିୟା ସହ୍ୟ କରିବାକୁ ସେ ପ୍ରସ୍ତୁତ ଥିବା ଆବଶ୍ୟକ । ଶୁଣ । ଯେଉଁ ମନ୍ତ୍ର ତୋତେ ମୁଁ ଶିଖାଇ ଦେଲି, ତାହା ତୋ ଜୀବନରେ ତିନିଥର କାମ ଦେବ । ମାତ୍ର ତାଠୁ ଆଉ ବେଶି ନୁହେଁ ।”

                ଅଭୟ ତିନିଦିନ ପରେ ଆସି ପାଟଳିପୁତ୍ରରେ ପହଁଚିଲା । ସେତେବେଳକୁ ସଂନ୍ଧ୍ୟା । ସେ ଗୋଟିଏ ଚଟିଘର ବାରାନ୍ଦାରେ ଶୋଇ ସ୍ୱପ୍ନ ଦେଖିଲା, ଜୟାନନ୍ଦ ତାକୁ ତାଙ୍କ କନ୍ୟା ସୁଶୀଳାକୁ ସମର୍ପଣ କରୁଛନ୍ତି ।

ନିଦ ଭାଙ୍ଗି ଯିବାରୁ ଅଭୟ ଭାବିଲା, “ଆଉ ଏ ସ୍ୱପ୍ନକୁ ସ୍ୱପ୍ନ ଭାବରେ ରହିବାକୁ ମୁଁ ଦେବି କାହିଁକି? ମୁଁ ଇଚ୍ଛା କଲେ ତ ଏହା ବାସ୍ତବ ହୋଇଯିବ!” ଏହିଭଳି ଚିନ୍ତା କରି ତା’ପରେ ସେ ତା’ ମନେ ମନେ ମନ୍ତ୍ର ଜପିଲା ଓ ଜୟାନନ୍ଦ ତାକୁ କନ୍ୟାଦାନ କରନ୍ତୁ, ଏହି କାମନା ସେ କଲା ।

ତା’ପରେ ତାକୁ ଆଉ ସହଜରେ ନିଦ ଆସିଲା ନାହିଁ । ସତରେ କ’ଣ ମନ୍ତ୍ର ଫଳିବ? ଯଦି ଫଳେ, ତେବେ କେତେ ମଜା ନ ହେବ!

ରାତି ଶେଷ ହେବା ବେଳକୁ ତାକୁ ନିଦ ଆସି ଯାଇଥିଲା । ସକାଳ ହେଲାଣି । ତଥାପି ସେ ଶୋଇଥାଏ । ହଠାତ୍ ମହୁରି ଓ ଢୋଲ ଶବ୍ଦରେ ତା’ ନିଦ ଭାଙ୍ଗିଗଲା । ସେ ଧଡପଡ ହୋଇ ଉଠି ବସି ଦେଖେ ତ ଜୟାନନ୍ଦ ଆସି ତା’ ଆଗରେ ଠିଆ ହୋଇଛନ୍ତି ।

“ବାପା! ତମେ ପଛ କଥା ସବୁ ଭୁଲି ଯାଅ । ରାତିରେ ଆମ କୁଳଦେବତା ମୋତେ ସ୍ୱପ୍ନରେ ଦେଖାଦେଇ କହିଲେ କି ତମେ ଏଇଠି ଅଛ । ତମକୁ ମୁଁ ଜାମାତା ରୂପେ ବରଣ କରିବା ଉଚିତ୍ । ଚାଲ ଏଥର ତମେ ଆମ ଘରକୁ ଚାଲ ।” ଏହା କହି ଜୟାନନ୍ଦ ନେହୁରା ହୋଇ ଅଭୟର ହାତ ଧରି ତାକୁ ବାହାରେ ଅପେକ୍ଷା କରିଥିବା ପାଲିଙ୍କି ଭିତରେ ନେଇ ବସାଇଦେଲେ । ପରଦିନ ତା’ ସହ ତାଙ୍କ ଝିଅର ବାହାଘର ହୋଇଗଲା ।

ଏବେ ସେ ଅଭୟର ଆନନ୍ଦ କହିଲେ ଆଉ ନ ସରେ । ସେ ଆରାମ୍ରେ ଖାଇ ପିଇ ରହିଥାଏ । କିନ୍ତୁ ଦିନେ ଚାକରମାନେ ନିଜ ନିଜ ଭିତରେ କିଛି ଟିପ୍ପଣୀ ଦେଉଥିବାର ସେ ଶୁଣିଲା । ଜଣେ କହିଲା, “କେଇଦିନ ତଳେ ସେ ଆମରି ଭଳି ଏ ଘରର ଚାକର ଥିଲା । ବର୍ତ୍ତମାନ ଜୁଆଇଁପଣିଆ ଦେଖାଉଛି ଯେ, ହେଲେ ତାହା କିନ୍ତୁ ତାକୁ ମାନୁନାହିଁ । ଗର୍ବରେ ତା’ ଗୋଡ ଆଉ ତଳେ ପଡୁନାହିଁ ।” ଅନ୍ୟମାନେ ଏ ଟିପ୍ପଣୀ ଉପରେ ଆହୁରି ଥଟ୍ଟାଳିଆ ଟିପ୍ପଣୀ ଦେଲେ ।

ଏସବୁ କଥାରେ ସେ ଅଭୟର ମନ ଭାରି ଖରାପ୍ ହୋଇଗଲା । ସେହି ଦିନରୁ ସେ ଲକ୍ଷ୍ୟ କରି ଦେଖିଲା, ସେ କିଛି ଆଦେଶ ଦେଲେ ତାକୁ ସେମାନେ ହାଲୁକା ଭାବରେ ନେଉଛନ୍ତି । କ୍ରମେ ତାକୁ ସେ ପରିସ୍ଥିତି ବିଷମୟ ଲାଗିଲା ।

ଦିନେ ସେ ଯାଇ ତା’ ଶ୍ୱଶୁରଙ୍କୁ କହିଲା, “ମହାଶୟ! ମୁଁ ନିଜେ କିଛି କରିବାକୁ ଚାହେଁ ।”

ଜୟାନନ୍ଦ କହିଲେ, “ତାହା ତ ଅତ୍ୟନ୍ତ ଆନନ୍ଦର ବିଷୟ । ତମେ ମୋ ବ୍ୟବସାୟର କୌଣସି ବିଭାଗ ବୁଝାବୁଝି କର ।”

“ନା । ମୁଁ ଗୋଟିଏ ସ୍ୱତନ୍ତ୍ର ବ୍ୟବସାୟ କରିବାକୁ ଚାହେଁ । ମୋର ଖାଲି ସାମାନ୍ୟ ମୂଳଧନ ଲୋଡା ।”

ଜୟାନନ୍ଦ ଏଥିରେ କୌଣସି ଆପତ୍ତି ନ କରି ଅଭୟ ଯେତିକି ମୂଳଧନ ଚାହିଁଲା, ତାହା ତାକୁ ସେ ଦେଇଦେଲେ ।

ଅଭୟ ସ୍ତ୍ରୀ ସୁଶୀଳାକୁ ନେଇ ଗୋଟିଏ ବଡ କୋଠାକୁ ଉଠିଗଲା ଓ ମନ୍ତ୍ର ଜପ କରି ସହରରେ ସବୁଠାରୁ ବଡ ଧନୀ ବ୍ୟବସାୟୀ ହେବାର କାମନା କଲା । ମାତ୍ର ତିନିମାସ ଭିତରେ ତା’ ବାସନା ପୂର୍ଣ୍ଣ ହେଲା । ସେ ଯେଉଁ ବେପାରରେ ହାତ ଦେଲା, ଆକସ୍ମିକ ଭାବରେ ସେଥିରେ ଲକ୍ଷ ଲକ୍ଷ ଟଙ୍କା ଲାଭ ହେଲା । କିପରି ଭାବରେ ଏହା ହେଉଥାଏ, ସେକଥା ସେ ନିଜେ ବି ବୁଝିପାରୁ ନଥାଏ ।

କିନ୍ତୁ ଅଭୟର ଏଭଳି ଆଶ୍ଚର୍ଯ୍ୟଜନକ ଉନ୍ନତି ଅନ୍ୟ ବ୍ୟବସାୟୀମାନେ ସହ୍ୟ କରି ପାରିଲେ ନାହିଁ । ରାଜଦରବାରରେ ସେମାନଙ୍କର ଅନେକ ପ୍ରଭାବ ଥିଲା । ସେମାନେ ମନ୍ତ୍ରୀ ଓ ଅମାତ୍ୟମାନଙ୍କୁ ଲଗାଇ ରାଜାଙ୍କ କାନରେ ତା’ ବିରୁଦ୍ଧରେ ନାନା କଥା ପକାଇଲେ ।

ଦିନେ ରାଜଦରବାରରୁ ତାକୁ ଡାକରା ଆସିଲା । ସେ ଯାଇ ରାଜାଙ୍କୁ ଅଭିବାଦନ କରିବା ମାତ୍ରେ ରାଜା ତାକୁ କହିଲେ, “ବାବୁ! ମାତ୍ର ତିନିମାସ ତଳେ ତମର ନିଜର ବୋଲି ଏଠି କିଛିବି ନଥିଲା । ତିନିମାସ ଭିତରେ ତମେ ଏପରି ମାତ୍ରାରେ ଧନୀ ହୋଇଗଲ ଯେ ତମ ସହ ପ୍ରତିଯୋଗିତାରେ ଅନ୍ୟ କୌଣସି ବଣିକ ପାରୁ ନାହାଁନ୍ତି । କେହି କେହି ଦେବାଳିଆ ମଧ୍ୟ ହୋଇ ଗଲେଣି । ଅମାତ୍ୟମାନେ ସନ୍ଦେହ କରୁଛନ୍ତି କି ତମେ କିଛି ଚୋରା କାରବାର କରି କିମ୍ବା ଅନ୍ୟ ରାଜ୍ୟର ଡାକୁମାନଙ୍କ ସହ ସମ୍ପର୍କରଖି ଏପରି ଧନୀ ହୋଇଛ । ତମେ ଏକ ସପ୍ତାହ ଭିତରେ ତମର ଟିକିନିଖି ହିସାବ ଦାଖଲ କର । ନହେଲେ ତମର ସବୁ ସମ୍ପତ୍ତି ବ୍ୟାଜ୍ୟାପ୍ତ ହେବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ