ନିସ୍ତବ୍ଧ ରାତି । ଘନ ଅନ୍ଧକାର । ତୁହାକୁ ତୁହା ଶୀତଳ ପବନ, ପୁଣି ତା’ସାଙ୍ଗକୁ ଝିପିଝିପି ବର୍ଷା । ବଣବୁଦା ଭିତରୁ ଭାସି ଆସୁଥାଏ ସାଇଁ ସାଇଁ ଶବ୍ଦ । ବିଲୁଆମାନଙ୍କର ହୁ କ୍ୟା ହୁଆ ହୁ କ୍ୟା ହୁଆ ରଡି ସାଙ୍ଗକୁ କୁକୁରମାନଙ୍କର ଭୋ ଭୋ ରଡି । ତା’ ସାଙ୍ଗକୁ ଭୁତ ପିଶାଚ ମାନଙ୍କର ହିଁ ହିଁ ହୋ… ହୋ ଅଟ୍ଟହାସ୍ୟ । କିନ୍ତୁ ରାଜା ବିକ୍ରମାଦିତ୍ୟ ଏ ସବୁକୁ ତିଳେମାତ୍ର ଭୟ ନକରି, ବିଚଳିତ ନହୋଇ ପୁନର୍ବାର ସେହି ପ୍ରାଚୀନ ବୃକ୍ଷ ପାଖକୁ ଲେଉଟି ଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ଶବଟିକୁ କାଢ଼ିଆଣିଲେ । ସେ ତାକୁ କାନ୍ଧରେ ପକାଇ ମଶାଣୀ ଭୂଇଁକୁ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହି ଉଠିଲା – “ରାଜନ, ଏହା ମତେ ଜଣାଅଛି ଯେ ତୁମ୍ଭର ତଥା ତୁମ୍ଭ ରାଜ୍ୟରେ କୌଣସି ଅଭାବ ଅସୁବିଧା ନାହିଁ । ତେବେ ମୋର ଧାରଣା ହୁଏ ଯେ ତୁମ୍ଭେ ନିଶ୍ଚିତ ଭାବରେ କୌଣସି ଆକର୍ଷଣୀୟ ଯୁକ୍ତା ସୁନ୍ଦରୀ କନ୍ୟାର ଚିନ୍ତାରେ ଥାଇ ଏପରି କାର୍ଯ୍ୟ କରୁଅଛ । ତୁମ୍ଭକୁ ଏଥିରୁ ନିବୃତ ହେବା ନିମନ୍ତେ ମୁଁ ତୁମ୍ଭକୁ ଗୋଟିଏ କାହାଣୀ କହୁଅଛି । ଯେଉଁ କାହାଣୀ ଶୁଣିଲେ ତୁମ୍ଭର ଗନ୍ତବ୍ୟ ପଥର ପରିବର୍ତ୍ତନ ହେବା ସହିତ ତୁମ୍ଭର ପଥଶ୍ରମ ଜନିତ କ୍ଳାନ୍ତ ବି ଲାଘବ ହେବ । ଏହା କହି ସେ ବେତାଳ କାହାଣୀଟି କହିବା ଆରମ୍ଭ କଲା”
ମଗଧ ନାମକ ଏକ ପ୍ରସିଦ୍ଧ ରାଜ୍ୟ । ସେ ରାଜ୍ୟର ରାଜାଥିଲେ ଜୟବର୍ମା । ତାଙ୍କର ଏକମାତ୍ର ପୁତ୍ର, ତାର ନାମ ମହେନ୍ଦ୍ର ବର୍ମା । ମହେନ୍ଦ୍ର ବର୍ମା ଅସ୍ତ୍ର ବିଦ୍ୟାରେ ଖୁବ୍ ଧୁରନ୍ଧର ଥିଲେ । ଅସ୍ତ୍ର ଚାଳନାରେ ସମ୍ଭବତଃ ତାଙ୍କ ସମକକ୍ଷ କେହି ବି ନଥିଲେ । ସ୍ୱଭାବରେ ସେ ଅତ୍ୟନ୍ତ ଶାନ୍ତ, ସରଳ ଓ ନମ୍ର ଥିଲେ । ରୂପରେ ମଧ୍ୟ ଯୁବରାଜ ମହେନ୍ଦ୍ର ଅତ୍ୟନ୍ତ ସୁନ୍ଦର ଥିଲେ । ତେଣୁ ରୂପ ଗୁଣରେ ପରିପୁର୍ଣ୍ଣ ଥିବା ରାଜକୁମାର ମହେନ୍ଦ୍ର ବର୍ମାଙ୍କୁ ବିଭିନ୍ନ ରାଜ୍ୟର ରାଜାମାନେ ନିଜର କନ୍ୟା ସମର୍ପଣ କରିବାକୁ ଆଗ୍ରହ ପ୍ରକାଶ କରୁଥାଆନ୍ତି ।