ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସ୍ୱପ୍ନ ସୌଦାଗର

ମାମା ପଚାରିଲେ – “କଣରେ ସ୍ୱପ୍ନ ଦେଖିଲୁ? ଡର ମାଡିଲା?” ଅଙ୍କିତା କହିଲା – “ସ୍ୱପ୍ନ ନୁହେଁ ମାମା ପୂରା ସତ କଥା ।” ମୁଁ ଦେଖିଲି “ସେ ଗୋଟେ ବଡ ମଣିଷ । ଠିକ୍ କାବୁଲିବାଲାଙ୍କ ପରି ଡ୍ରେସ୍ ପିନ୍ଧିଚି । ପିଠିରେ ଗୋଟେ ବିରାଟ ବୁଜୁଳି ତା’ର । ଭାଇ ମତେ ଡରାଏ ତ ଏମାନେ କୁଆଡେ ପିଲାଙ୍କୁ ଚୋରୀକରି ସେଇ ବୁଜୁଳିରେ ପୂରେଇ ନେଇ ଯାଆନ୍ତି । କିନ୍ତୁ ଏଇ ଲୋକଟିର ବୁଜୁଳିରେ କଣ ଥାଏ ଜାଣିଚୁ ମାମା? ଖାଲି ସ୍ୱପ୍ନ । ସେ ସ୍ୱପ୍ନ ବିକାଳି । ସେ ସାରା ପୃଥିବୀ ବୁଲୁଥାଏ ସ୍ୱପ୍ନ ବିକି ବିକି । ମୁଁ ତାଙ୍କୁ ଡାକିଲି ଆମ ସାହିକୁ । ତା’ପରେ ଆମ ସାହି ସାରା ଲୋକ ଘେରୀଗଲେ ତାଙ୍କୁ । “କିଏ ତୁମେ?” ପଚାରିଲେ ଜଣେ ।

ସେ କହିଲେ “ମୁଁ ସ୍ୱପ୍ନ ସୌଦାଗର । ମୋ କାନ୍ଧର ଏ ବୁଜୁଳିରେ ରହିଚି ଖାଲି ସ୍ୱପ୍ନ, ନବ?”

ଏଥର ସେ ମେଲେଇ ଦେଲେ ତାଙ୍କ ବୁଜୁଳି । ସମସ୍ତେ ଘାଂଟି ପକେଇଲେ ସେ ସ୍ୱପ୍ନମାନଙ୍କୁ । କିନ୍ତୁ କେହି ବି କିଛି କିଣିଲେନି । ବରଂ କହିଲେ – “ଏଃ, ଇଏକି ସ୍ୱପ୍ନ? ସବୁ ପୁରୁଣା । ଏଗୁଡା ଆଉ କିଏ ଦେଖେ?” ତାଙ୍କ ଚାରିପଟେ ଲୋକ ଗହଳି ପତଳା ହେଲା । ମୁଁ ଆଉ ମିତା ଗୋଟେ ସ୍ୱପ୍ନ ଆଣିଲୁ ତାଙ୍କଠୁ ।

କି ସୁନ୍ଦର! ତାକୁ ଛୁଇଁଲେ ଦେହ ଭିତର କଣ ହୋଇ ଯାଉଥାଏ । ମୁଁ ଫିଟେଇଲି ତା ଗଣ୍ଠି ।

ଆମ ଆଖି ଆଗରେ ମେଲି ହୋଇଗଲା ଏକ ଅଦ୍ଭୁତ ଦୃଶ୍ୟ । ବିରାଟ ବିସ୍ତିର୍ଣ୍ଣ ପ୍ରାନ୍ତର । କିଏ ଯେମିତି ସବୁଜ ଘାସର ଗାଲିଚାଟିଏ ମେଲି ଦେଇଚି ଚାରି ଆଡେ । ମଝିରେ ମଝିରେ ବୁଦା ସବୁ । ବହୁ ଦୂରରୁ ବଂଶୀଟିଏ କିଏ ବଜଉଚି ଯେ ଚିହ୍ନା ଚିହ୍ନା ଲାଗୁଥାଏ ସେ ସ୍ୱର । ମାତ୍ର ଆଖ ପାଖରେ କେହି ବି ନାହାଁନ୍ତି ।

ଆଗ ଆସିଗଲେ ଦୁଇଟି ଧଳା ପାରା । ଘାସ ପଡିଆରେ କି ସୁନ୍ଦର ଭାବରେ ଘୁମୁରି ଘୁମୁରି ବୁଲୁଥାନ୍ତି ସେମାନେ ପରସ୍ପରର ଚାରିପଟେ । ତାଙ୍କ ପଛପଟର ପର ଠିଆହୋଇଥାଏ ଠିକ୍ ବିଛଣା ପରି । ସେ ସବୁଜ ଘାସ ଉପରେ ତାଙ୍କ ଧଳାରଙ୍ଗ ଚହଟୁଥାଏ । ଏପଟେ ବୁଦାମୂଳେ ଫାକୁଲା ମୂଷାଙ୍କ ଦଳଟିଏ । ଛୁଆ ବଡ ଦୌଡାଦୌଡି ହେଉଥାନ୍ତି ଯେ ମନ ହେବ ତାଙ୍କ ସାଙ୍ଗେ ଦୌଡିବାକୁ । କଣ ଖାଉଚନ୍ତି କେଜାଣି ଭାରି ଥାକୁଲା ଥାକୁଲା ହୋଇଛନ୍ତି । ପୁଣି ଗୁଣ୍ଡୁଚି, ଏଣ୍ଡୁଅ, ନେଉଳ । ଯେଝା ଯେଝା ବାଗରେ ଦି ଗୋଡରେ ଠିଆ ହୋଇ ପଡି କଣ ଯେମିତି ପରସ୍ପରକୁ କହି ପକଉଛନ୍ତି ।

ଏପଟେ ପକ୍ଷୀଙ୍କ ମେଳ । ମୁଁ ସବୁ ଆଡକୁ ଚାହିଁଲି । ଆଉ ମନେ ମନେ ଭାବିଲି ମୁଁ କ’ଣ କୋଉ ଚିଡିଆଖାନାରେ ଅଛି?

ନାଇଁତ ସବୁଆଡ ଖୋଲା ମେଲା । ଆକାଶ ତଳେ ସେମାନେ ସ୍ୱାଧୀନ ଭାବରେ ବୁଲୁଚନ୍ତି । କି ସୁନ୍ଦର ସେ ଦୃଶ୍ୟ । ସେମାନଙ୍କ ଗୋଡିଆ ଗୋଡି ଦେଖିଲେ ମନ ହେଉଛି ସବୁ ଗୁଡା ହସି ହସି ଗଡି ଯାଉଛନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ