ସେ ଚୁପ୍ ଚାପ୍ ଜାଗାରେ ମୁଁ ଚାହିଁଚି ହଠାତ୍ କୋଉଠୁ ଗୋଟେ ଇଲେକ୍ଟ୍ରିକ୍ ସୁଇଚ୍ ଅନ୍ କଲାପରି ଶବ୍ଦ ଶୁଭିଲା –
-ଧୀରେ ଧୀରେ ସେ ଖୋଲା ପଡିଆରେ ଦଳ ଦଳ ଲୋକ କୁଆଡୁ ଆସିବାକୁ ଲାଗିଲେ । ସେ ଉଜ୍ଜଳ ଆଲୋକିତ ଜାଗା ଝାପ୍ସା ଅନ୍ଧାରୁଆ ଦିଶିଲା । ଏଣେ ଗହଳି ବି ବଢୁଥାଏ । ଯୁଆଡେ ଚାହିଁବ ଖାଲି ମୁଣ୍ଡମାଳ । ତାରି ଭିତରେ କୋଉଠୁ ଗୋଟେ ଆହତ ପଶୁର ବିକଟାଳ ସ୍ୱର ଶୁଭି ଯାଉଥାଏ ଦୂରରୁ ଓ ଲୋକ ସେଇ ଶବ୍ଦ ଆସୁଥିବା ଦିଗକୁ ବାଇଆ ପରି ଧାଉଁଥାନ୍ତି ।
ଆମେ ଦେଖିଥିବା ଘାସ ଗାଲିଚା ସେଠୁ ଉଠି ଗଲାଣି । ଖାଲି ଶହ ଶହ ଯୋତାର ମସ୍ ମସ୍ ଶବ୍ଦ । ଏତେ ଲୋକ, ହେଲେ ସତେକି ସେମାନେ ପରସ୍ପରର ଅଚିହ୍ନା । କେହି କାହାକୁ ପଦେ ହେଲେ ବି କଥା କହୁ ନ ଥାନ୍ତି, କିନ୍ତୁ ପ୍ରତ୍ୟେକ ଗୋଟେ ଗୋଟେ ମୋବାଇଲ୍ ଧରି ଗପୁଚନ୍ତି ଅନର୍ଗଳ । ବଂଶୀର ସ୍ୱର ଚୁପ୍ ହୋଇ ଗଲାଣି କେତେବେଳୁ ।
ଆମକୁ ଏତେ ଡର ମାଡିଲା ଯେ ଆମେ ସେଠୁ ପଳେଇ ଆସିଲୁ ସ୍ୱପ୍ନ ବିକାଳିଙ୍କ ପାଖକୁ । ମୁଁ ତାଙ୍କୁ ପଚାରିଲି – “ଏ କଣ ଦେଲ, ତାଙ୍କୁ ? ଏ କି ସ୍ୱପ୍ନ?
ସ୍ୱପ୍ନ ସୌଦାଗର ଚାହିଁଲେ ମତେ । କହିଲେ – “ଏ ସ୍ୱପ୍ନ ନୁହେଁ ଲୋ ଝିଅ । ଏ ହେଲା ଟି.ଭି. ପରଦା । ସେଠି ତ କେବଳ ଏମିତି ମରାପିଟା ଆଉ ବିଭତ୍ସ ଦୃଶ୍ୟ ଦେଖା ହେଉଛି ଅନବରତ । ମୁଁ କଣ କରିପାରିବି? ମୋ ସ୍ୱପ୍ନ ସବୁ ଏଇ ବୁଜୁଳି ଭିତରେ ପୋତି ହୋଇ ରହିଚି ଦିନ ଦିନ ଧରି । ମୁଁ ବୁଲି ବୁଲି ଆସିଲି ଦେଶ ବିଦେଶ । କେହି ଆଉ ଏ ସବୁ କିଣୁ ନାହାଁନ୍ତି । ସ୍ୱପ୍ନ ଦେଖିବାକୁ କେହି ଆଉ ଭଲ ବି ପାଉ ନାହାଁନ୍ତି । ଲୋକଙ୍କ ପାଖରେ ଏତେ ଗାଡି ମଟର ଉଡାଜାହାଜ ରକେଟ୍ ପରାଏ ଯୁଗରେ! – ମୁହୂର୍ତ୍ତକରେ ସେମାନେ ଯାଇ ଚନ୍ଦ୍ର ଲୋକରେ ପହଁଚି ପାରିବେ । ସ୍ୱପ୍ନ ଦେଖିବେ କାହିଁକି?”
ୟା କହି ସେ ତାଙ୍କ ବୁଜୁଳି ବାନ୍ଧିଲେ ।
ମୁଁ ତାଙ୍କୁ କେତେ କହିଲି ମାମା – କେତେ ନେହୁରା ବି ହେଲି – ଏମିତି ପଳେଇ ଯାଅନି ସ୍ୱପ୍ନ ସୌଦାଗର । ତୁମେ ଯାହା ଭାବୁଚ ସେ ସବୁ ମିଛ । ଦେଖ ଆମେ କେତେ ଖୁସି ହଉଛୁ ତୁମ ସ୍ୱପ୍ନକୁ ଦେଖି – ତୁମେ ଯାଅନି – ତୁମେ ଯାଅନି –
କିନ୍ତୁ ମାମା ମୁଁ ଚାହିଁଚିସେ ଚାଲିଗଲେ ଆଗକୁ ଆଗକୁ । ଧୀରେ ଧୀରେ ସେ ଦିଗବଳୟରେ ବିନ୍ଦୁଟିଏ ହୋଇ କୋଉଠି ହଜିଗଲେ । ଠିକ୍ ଏତିକିବେଳେ ହଠାତ୍ ମୋ ନିଦ ଭାଙ୍ଗିଗଲା ।” ଏହା କହୁ କହୁ ସେ ଅଙ୍କିତାର ସ୍ୱରରେ କୋହ ଭର୍ତ୍ତି ହୋଇ ଯାଉଥାଏ ।
ଏଥର ଅଙ୍କିତା ମୁହଁରୁ ଆଖି ଫେରାଇ ମାମା ତାକୁ ଚାହିଁଲେ ସେ ବର୍ଣ୍ଣନା କରୁଥିବା ଅନ୍ଧାରର ସେଇ ଦୂର ଦିଗବଳୟ ଆଡକୁ – ସତରେ ତେବେ ଏ ଛୋଟ ପିଲାର ମନ ଭିତରେ ବି ସମାଜରୁ କୋମଳତା ହଜିଯାଉଥିବାର ଭୟ ଗ୍ରାସୁଚି? ଟି.ଭି. ଦେଖିବାର ପ୍ରବଳ ଆଗ୍ରହ ସତ୍ତ୍ୱେ ସେ ବିଚାର କରି ପାରୁଚି ଯେ ଉଗ୍ର ଆଧୁନିକତା ଶେଷ କଥା ନୁହେଁ । ଆଉ ତା ଅବଚେତନ ମନ ଏକ କୋମଳ ସ୍ୱର୍ଗକୁ ବିକଳ ହୋଇ ଖୋଜୁଚି? ମାମାର ମନ କହିଲା ଏ ଶୁଭ ଲକ୍ଷଣ ।
ତାପରେ ମାମା ସେ ଅଙ୍କିତାକୁ କୋଳକୁ ଆଉଜାଇ ଆଣିଲେ । ତା ଅଲରା ବାଳ ପୁଳାକୁ ଆଉଁଷି ଦେଇ କହିଲେ –
“ଆମେ ସିନା ପାରିଲୁନିରେ ମା’, ତୁମ ଆଗାମି ଯୁଗର ପିଲାଏ ଏ ଧରାକୁ ସ୍ୱପ୍ନମୟ କରିବ । ସେ ସ୍ୱପ୍ନ ସୌଦାଗର ପୁଣି ଫେରିବେ ତାଙ୍କ ବୁଜୁଳା ଧରି ଏଥିରେ କୌଣସି ସନ୍ଦେହ ନାହିଁ । ଯାଆ ଶୋଇ ପଡିବୁ ଯା –”