ଟେବୁଲ୍ ଉପରେ ସୁନ୍ଦର ସୁନ୍ଦର ପାତ୍ରମାନଙ୍କରେ ଭର୍ତ୍ତି ହୋଇଛି ଲୋଭନୀୟ ଖାଦ୍ୟସବୁ । ତା ବାସ୍ନାରେ ଖାଲି ମହକ ଉଠୁଚି ସେ ଜାଗା । ସେଠି ଥିବା ପ୍ରତି ମଣିଷଙ୍କ ହାତରେ ବନ୍ଧା ହୋଇଛି ଗୋଟେ ଗୋଟେ ବଡ ବଡ ଲମ୍ବା ବେଂଟ ଥିବା ଚାମୁଚ୍ । ପ୍ରତ୍ୟେକ ସେ ଚାମଚ୍କୁ ଖାଦ୍ୟଥିବା ପାତ୍ରରେ ବୁଡାଉଛନ୍ତି । ଚାମୁଚେ ଲେଖା ଉଠେଇ ଆଣୁଛନ୍ତି କିନ୍ତୁ ପାଟିକୁ ନେବେ କେମିତି? ଚାମୁଚ୍ ତ ପାଟି ପାଖକୁ ଆସି ପାରୁନି । କାହିଁକିନା ତାହା ରହୁଚି ମୁହଁଠାରୁ ବହୁ ଦୂରରେ । ପ୍ରତ୍ୟେକ ସେଇ ଏକା ଚେଷ୍ଟା କରୁଛନ୍ତି ଓ ଖାଇ ପାରୁ ନ ଥିବାରୁ ଏମିତି କାଉ କାଉ ହେଉଛନ୍ତି । ଫଳରେ ଛିନ୍ଛତର ହୋଇ ଖାଦ୍ୟ ସବୁ ପଡିଛି ଟେବୁଲ୍ ସାରା ଓ ଘର ସାରା । ମଣିଷ ପରି ତ କେହି ହେଉ ନାହାଁନ୍ତି । ସତେକି ପୁଳାଏ ପଶୁ ଏକାଠି ହୋଇଛନ୍ତି । ଖାଲି କିଳିକିଳା ରାବରେ ସେ ଜାଗା କମ୍ପୁଚି । ଏସବୁ ଦେଖି ସେ ଭଲ ମଣିଷ ଜଣକ ଆଉ ସେଠି ଠିଆ ହୋଇ ପାରିଲେ ନାହିଁ । ବାହାରି ଆସିଲେ ସେଠୁ । ତାଙ୍କ ରଥ ଚାଲିଲା ଆଗକୁ ।
ଅଳ୍ପବାଟ ପରେ ପୁଣି ସେମିତି ଏକ ଜାଗା । ସେଠାରେ ବି ରଥ ରହିଲା । ଠିକ୍ ଆଗ ପରି ବଗିଚା । ସେମିତି ସଜା ହୋଇଛି । ସେମିତି ଆଲୁଅ ଜଳୁଚି ହାଲୋଳ ହୋଇ । ଭିତରେ କୋଉଠି କୋଳାହଳ ଶୁଭୁଚି ଆଗ ପରି । ବଗିଚା ଟପି ସେ ଭିତରକୁ ଗଲେ । ସବୁ ସମାନ ସେମିତି ଖାଇବା ହଲ୍ । ସେମିତି ଟେବୁଲ୍ ଚୌକିମାନ ପଡିଛି । ଅପୂର୍ବ ଖାଦ୍ୟ ସବୁ ବଢା ହୋଇ ରହିଚି । ସେମିତି ଚକ୍ଚକ୍ ପୋଷାକ ପିନ୍ଧିଥିବା ମଣିଷଙ୍କ ହାତରେ ବନ୍ଧା ହୋଇଛି ଲମ୍ବ ବେଂଟ ଥିବା ଚାମୁଚ୍ । ଖାଲି ଗୋଟିଏ କଥା ଅଲଗା । ଏ ମଣିଷମାନେ କେହି କ୍ଷୁଧାର୍ତ ନୁହଁନ୍ତି । ସମସ୍ତେ ଚାମୁଚ୍ ବୁଡାଇ ସେ ପାତ୍ରରୁ ଖାଦ୍ୟ ଆଣୁଚନ୍ତି କିନ୍ତୁ ଚାମୁଚ୍ ନିଜ ମୁହଁକୁ ନ ନେଇ ବରଂ ବଢେଇ ଦେଉଚନ୍ତି ପାଖରେ ଥିବା ଲୋକଟିର ମୁହଁକୁ । ଏମିତି ପରସ୍ପରକୁ ଖୁଆଖୁଇ ହେଉଛନ୍ତି ସେମାନେ । ତେଣୁ ସେମାନଙ୍କ ମଧ୍ୟରେ କିଛି ବି ଅସୁବିଧା ହେଉନି । ସମସ୍ତିଙ୍କ ମୁହଁରେ ତୃପ୍ତିର ହସ । ହାତରେ ବନ୍ଧା ଚାମୁଚ୍ ସିନା ନିଜ ପାଟି ପାଖକୁ ଯାଉନି ହେଲେ ପାଖରେ ଥିବା ମଣିଷକୁ ଖୁଆଇ ଦେବାରେ ଅସୁବିଧା କଣ? ଚମତ୍କାର ପରିବେଶ ।
ଭଲ ମଣିଷ ସେଠୁ ବାହାରି ଆସିଲେ । ରଥ ଚାଳକ ତାଙ୍କୁ ବୁଝେଇ ଦେଲା – “ସେ ଥିଲା ନର୍କ ଆଉ ଏ ହେଲା ସ୍ୱର୍ଗ । ଏକା ଜାଗା । ଏକା ପରିବେଶ । ମଣିଷର ପ୍ରକୃତି କୋଉ ଜାଗାକୁ ସ୍ୱର୍ଗ କରେ ତ ପୁଣି କୋଉ ଜାଗାକୁ ନର୍କ ।”
ଏହାପରେ ସେ ଭଲ ମଣିଷଙ୍କ ସ୍ୱର୍ଗ ଓ ନର୍କ ଦର୍ଶନ ସରିଲା – ରଥ ଆଗେଇ ଚାଲିଲା ଏଥର ତା ଗନ୍ତବ୍ୟ ପଥରେ ।