ସିଂହପୁରୀକୁ ଗୋଟାଏ ସହର ବୋଲି କୁହାଯାଇ ପାରିବ ନାହିଁ । ବରଂ ତାହା ଗୋଟାଏ ବଡ ଗ୍ରାମ ଥିଲା । ତେବେ ସେ ଗ୍ରାମ ମଝିରେ ଗୋଟାଏ ବଡ ବଜାର ଥିଲା । ମୋଟାମୋଟି ଭାବେ କହିବାକୁ ଗଲେ ସେଠିକାର ଲୋକେ ବେଶ୍ ସମୃଦ୍ଧ ଥିଲେ ।
ରଜନୀକାନ୍ତ ଓ ବେଣୁଗୋପାଳ ନାମରେ ଦୁଇ ବନ୍ଧୁ ଗାଁ ବିଦ୍ୟାଳୟରେ ପାଠପଢା ଶେଷ କରି ଅଲଗା ଅଲଗା ବେପାର ଆରମ୍ଭ କଲେ । ମାତ୍ର ମଧ୍ୟେ ମଧ୍ୟେ ସେ ଦୁଇ ବନ୍ଧୁ ପରସ୍ପର ଦେଖାସାକ୍ଷାତ କରି ଗପସପ ହେଉଥାନ୍ତି ।
ଦିନେ ରଜନୀ ବେଣୁକୁ କହିଲା, “ସହରର ବେପାରୀମାନେ କେହି କେହି ବର୍ଷକ ଭିତରେ ତାଙ୍କ ମୂଳଧନକୁ ଦୁଇଗୁଣ କରିପାରିବାର ମୁଁ ଜାଣିଛି । ଆମେ ମଧ୍ୟ ସେଇଆ କରିବା ।”
ଏକଥା ଶୁଣି ବେଣୁ କହିଲା “ସେମିତି କରିପାରୁ, କିନ୍ତୁ ସଚ୍ଚା ଭାବରେ କରିବା ମୁଁ ଚାହେଁ । କୌଣସି ପ୍ରକାର ମନ୍ଦ ପନ୍ଥାର ଆଶ୍ରା ନନେଇ ଯଦି ସମ୍ପତ୍ତି ବଢାଇ ପାରିବ, ତେବେ ତ ଏହା ଖୁବ୍ ଭଲ କଥା ।”
ରଜନୀ ଜବାବ୍ ଦେଲା “ଆରେ ଭାଇ, ତୁ ଯାହା କହୁଛୁ ତାହା ତ ଆଦୌ ସମ୍ଭବ ନୁହେଁ । ଯଦି ଶୀଘ୍ର ଶୀଘ୍ର ଧନୀ ହେବା କଥା, ତେବେ ଆମକୁ କିଛି କିଛି ଏପରି କାମ ବି କରିବାକୁ ହେବ ଯାହା ନୈତିକ ନ ହୋଇପାରେ । କିନ୍ତୁ ଆମେ ତ ନୀତି ବା ଆଦର୍ଶର ପୂଜା କରିବାକୁ ଏଠି ବସିନାହୁଁ, ଆମେ ବେପାର କରୁଛୁଁ ।”
ବେଣୁ ତା’ସାଙ୍ଗକୁ ବୁଝାଇ କହିଲା “ରଜନୀ, ତୁ ପିଲାଳିଆ କଥା କହୁଛୁ । ବେଶୀ ଲାଭ କରିବା ପାଇଁ କ’ଣ ତୁ ଚିନିରେ, ତେଲରେ ସବୁ ବାଜେ ଜିନିଷ ମିଶାଇବୁ? ତୁ ନିଜେ ଯେପରି କାହାରି ଦ୍ୱାରା ଠକି ହେବାକୁ ପସନ୍ଦ କରିବୁ ନାହିଁ, ତୋ ଖରିଦ୍ଦାରମାନେ ମଧ୍ୟ ଠିକ୍ ସେହିପରି ତୋ ଦ୍ୱାରା ଠକି ହେବାକୁ ବି ମୋଟେ ପସନ୍ଦ କରିବେ ନାହିଁ । ସେ ଯାହାହେଉ, ଯିଏ ପାପ କରିବ, ତା’କୁ ତା’ର ମୂଲ ଅବଶ୍ୟ ଦିନେନା ଦିନେ ଦେବାକୁହିଁ ହେବ । ଯିଏ ଯେତେବଡ ଠକ ହେଉ ପଛକେ, ସେ ନର୍କକୁ ଠକିଦେଇ କେବେବି ଖସିଯାଇ ପାରିବ ନାହିଁ ।”
ବେଣୁର ଏଭଳି କଥା ଶୁଣି ରଜନୀ ହସିଲା ଓ କହିଲା, “ବେଣୁ, ମୂର୍ଖମାନେହିଁ ଏ ସ୍ୱର୍ଗ ନର୍କରେ ବିଶ୍ୱାସ କରନ୍ତି । ମାତ୍ର ମୁଁ ସେସବୁଥିରେ କେବେବି ବିଶ୍ୱାସ କରେ ନାହିଁ । ସେସବୁ ଖାଲି ଆମର ଗୋଟାଏ କଳ୍ପନା, କ’ଣ ବୁଝିଲୁ?”
ତହୁଁ ସେ ବେଣୁ ବିରକ୍ତ ହୋଇ କହିଲା “ତୋର ବିଚାର ଯାହା ତୁ ସେହି ଅନୁସାରେ କାମ କର ।”
ଚାହୁଁ ଚାହୁଁ ଛଅମାସ ବିତିଗଲା । ଦିନେ ସହରକୁ ଯିବା ପାଇଁ ଘୋଡାଗାଡି ଚଢିଲା ବେଳେ ସେ ଦୁଇ ବନ୍ଧୁଙ୍କ ହଠାତ୍ ଭେଟ ହୋଇଗଲା ।
ଦୁହେଁ ସହରରେ ଗୋଟିଏ ଚଟିଘରେ କୋଠରୀଟିଏ ଭଡାରେ ନେଇ ସେଠାରେ ବିଶ୍ରାମ କଲେ । ଠିକ୍ ଦୁଇପହର ବେଳକୁ ସେ ଦୁହେଁ ଅଲଗା ଅଲଗା ବାଟରେ ମାଲ୍ ଖରିଦ୍ ପାଇଁ ବାହାରିଗଲେ ।