ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସ୍ୱର୍ଗ ନର୍କ

                ସେଦିନ ତ ଭୀଷଣ ଗରମ ପଡିଥାଏ । ଗୋଟାଏ ଗଳି ରାସ୍ତାରେ ଯାଉ ଯାଉ ଅଚାନକ ରଜନୀର ମୁଣ୍ଡ ବୁଲାଇଦେଲା । ସେ ବାଟ କମ୍ କରିବା ପାଇଁ ଏମିତି ଅଜଣା ଗଳିରେ ପଶିଥିଲା, ଯେଉଁଠାରେ କି ଖରା ଦାଉରୁ ବଂଚିବା ପାଇଁ ଗୋଟାଏ ଚାଳି ବା ଗଛ ନଥିଲା । ହଠାତ୍ ସେ ଅନୁଭବ କଲା ତା’ ତଂଟି ଶୁଖି ଯାଉଛି । ସେ ଦେଖିଲାବେଳକୁ ଚାରିଆଡେ ଅନ୍ଧାର ଓ ସେ ତଳେ ପଡିଗଲା ।

                ସେଠାରୁ ଅଳ୍ପ ଦୂରରେ ରତନ ନାମକ ଜଣେ କମାର ବସି ଚୁଲିରେ ତା’ ଲୁହାଦଣ୍ଡକୁ ତତାଉଥିଲା । ସେ ଦୌଡି ଆସି ରଜନୀକୁ ଟେକି ନେଇ ଯାଇ ନିଜ ବାରାନ୍ଦାରେ ତାକୁ ଶୁଆଇ ପକାଇଲା ଓ ତା’ ମୁହଁରେ ପାଣି ଆଣି ସିଞ୍ଚିଲା ।

                କ୍ରମେ ସେ ରଜନୀର ଚେତା ଫେରି ଆସିଲା । ତା’ପରେ ସେ ଧିରେ ଧିରେ ତା’ ଆଖି ଖୋଲିଲା । ସେ ଦେଖିବା ବେଳକୁ ମଜବୁତ୍ ଲୋକଟାଏ ତା’ ଆଡେ ଅନାଇଛି ଓ ନିଆଁରେ ଲୁହାଦଣ୍ଡ ତତାଉଛି । ରଜନୀର ସିନା ଚେତା ଫେରିଥିଲା, କିନ୍ତୁ ସବୁକିଛି ଯଥାର୍ଥ ଭାବରେ ବୁଝିବା ଭଳି ଅବସ୍ଥା ତା’ର ଆସି ନଥିଲା । ତା’ର ଧାରଣା ହେଲା ସେ ହୁଏତ ମରିଯାଇଛି ଓ ନର୍କରେ ଆସି ପହଁଚିଛି । ସେ ମଜବୁତ୍ ଲୋକଟି ନର୍କପୁରୀର ଜଣେ ଦଣ୍ଡଦାତା । ତାକୁ ଚେଙ୍କିବା ପାଇଁ ଲୁହାଦଣ୍ଡ ସେ ଗରମ କରୁଛି! ତେଣୁ ହାତଯୋଡି କରି ରଜନୀ କହିଲା, “ମୋତେ ଛାଡିଦିଅ ବାବୁ! ମୋତେ କାହିଁକି ଯନ୍ତ୍ରଣା ଦେବ? ମୁଁ ତ ସେଭଳି ଗୁରୁତର ପାପ କିଛି କରିନାହିଁ!”

ରଜନୀ ଗୁଣୁ ଗୁଣୁ ହୋଇ କ’ଣ ସବୁ କହୁଥିଲା ସେକଥା ରତନ ଆଦୌ ବୁଝିପାରିଲା ନାହିଁ । ସେ ଧରିନେଲା ଅସୁସ୍ଥ ଲୋକଟି ତାକୁ ଧନ୍ୟବାଦ ଦେଉଛି ।

“ତମକୁ ଏଠାକୁ ଆଣି ମୁଁ ଖାଲି ମୋ କର୍ତ୍ତବ୍ୟ କରିଛି ମାତ୍ର!” ରତନ ଏହା କହି ଚୁଲି ପାଖକୁ ଯାଇ ଲୁହାଦଣ୍ଡଟି ନିଆଁ ଭିତରକୁ ଗୁଞ୍ଜି ଦେଲା ।

ନର୍କର ସେ ପ୍ରହରୀ ଯେ ତାକୁହିଁ କଲବଲ କରିବା ନିମନ୍ତେ ଲୁହା ଦଣ୍ଡ ଗରମ କରୁଛି, ଏଥିରେ ରଜନୀର ଆଉ ତିଳେ ମଧ୍ୟ ସନ୍ଦେହ ରହିଲା ନାହିଁ ।

ତା’ପରେ ସେ ଚିତ୍କାର କରି କହିଲା “ମୋତେ ଏ ନର୍କରୁ ରକ୍ଷା କର, ରକ୍ଷା କର! ମୋତେ ଉତ୍ତପ୍ତ ଲୁହାଦଣ୍ଡରେ ଖେଂଚାଖେଂଚି କରନାହିଁ!”

ଏଭଳି ଚିତ୍କାର ଶୁଣି ସେଠାରେ ସବୁଲୋକ ଜମିଗଲେ । ଅନେକେ ରତନକୁ ଜାଣିଥିଲେ । ସେ ଲୁହା ଦଣ୍ଡ ତତାଇ କାହା ଦେହରେ ଗେଞ୍ଜିବ, ଏକଥା କେହି ବିଶ୍ୱାସ କରିବା କଥା ନୁହେଁ ।

ସେମାନେ ପଚାରିଲେ “କିଏ ଏ ଲୋକ? ଇଏ ଏମିତି ପାଗଳଙ୍କ ଭଳି କାହିଁକି ଏଠି ରଡି କରୁଛି?”

ଏହାପରେ ରତନ କୈଫିୟତ୍ ଦେଲା “ପାଗଳ ହୋଇଥିବ ପରା! ବାଟରେ ଚେତା ହରାଇ ପଡିଗଲା । ମୁଁ ତାକୁ ଆଣି ପାଣି ସିଞ୍ଚି ତା’ ଚେତା ଫେରାଇଆଣିବା ପରେ ସେ ତ ଏମିତି କ’ଣ ଗପୁଛି!”

ବେଣୁ ହଠାତ୍ ସେ ଭୀଡ ଠେଲି ଆଗକୁ ଆସିଲା । ସେ କହିଲା, “ନା, ନା, ସେ ପାଗଳ ନୁହେଁ । ଗରମ ଯୋଗୁଁ ହଠାତ୍ ତା’ ମତିଭ୍ରମ ହୋଇଯାଇଛି । ସେ ମୋର ବନ୍ଧୁ । ମୁଁ ଏଥର ତା’କଥା ବୁଝିବି ।”

ଜଣେ ଲୋକ ମନ୍ତବ୍ୟ ଦେଲା “ଲୋକଟା ପାପୀ ହୋଇଥିବ ବୋଲି ଏଠି ନର୍କ ଦେଖିଲା!” ତା’ର ଏଭଳି କଥା ଶୁଣି କେତେଜଣ ହସିଲେ । ଲୋକେ ଚାଲିଗଲେ । ବେଣୁ ରତନକୁ ଧନ୍ୟବାଦ ଦେଇ ରଜନୀକୁ ଧରି ସେଠାରୁ ସେ ଚାଲିଗଲା ।

ରଜନୀକାନ୍ତ କିଛି ସମୟ କଥାବାର୍ତ୍ତା କଲା ନାହିଁ । ତା’ପରେ ସେ କହିଲା, “ଭାଇ, ବର୍ତ୍ତମାନ ମୁଁ ନର୍କରେ ବିଶ୍ୱାସ କରୁଛି । ନର୍କ ବୋଲି କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ନଥାଇ ପାରେ । କିନ୍ତୁ ଅନ୍ୟାୟ ବା ପାପ କରୁଥିବା ଲୋକ ମନରେ ତାହା ନିଶ୍ଚୟ ରହିଥାଏ ।”

ବେଣୁ କହିଲା “ଠିକ୍ କହୁଛୁ । ନ୍ୟାୟ କ’ଣ ଅନ୍ୟାୟ କ’ଣ, ସେକଥା ବିଚାର କଲାଭଳି ଶକ୍ତି ଆମ ସମସ୍ତିଙ୍କର ରହିଛି । ଅନ୍ୟାୟ କଲେ ଆମେ ଗ୍ଳାନି ଅନୁଭବ କରୁ । ଆମେ ତାକୁ ଯେତେ ଚାପି ରଖିଲେ ବି ଦିନେ ନା ଦିନେ ତାହା ବାହାରି ଆସି ଆମକୁ ଯନ୍ତ୍ରଣା ଦେବ । ସେହି ଯନ୍ତ୍ରଣା ହିଁ ହେବ ଆମର ନର୍କ ଭୋଗ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ