ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସ୍ୱାଧୀନତା ଆନ୍ଦୋଳନରେ ନିର୍ଭୀକ ସନ୍ନ୍ୟାସୀ

ଅସହଯୋଗ ଆନ୍ଦୋଳନ ତୀବ୍ରରୂପ ଧାରଣ କଲା । ସାରାଦେଶରେ ହରତାଳ ଚାଲିଲା । ଦିଲ୍ଲୀରେ ଦୋକାନ ବଜାର ବନ୍ଦ ହୋଇଗଲା । ମାତ୍ର ଜଣେ ବ୍ୟବସାୟୀ ଦୋକାନ ବନ୍ଦ କରିବାକୁ ମନା କରିବାରୁ ସେହି ଦୋକାନ ଆଗରେ ଦୁଇଜଣ ସ୍ୱୟଂସେବକ ଧାରଣା ଦେଲେ । ସେମାନଙ୍କୁ ପୋଲିସ୍ ଗିରଫ୍ କରି ନେବାରୁ ଲୋକଙ୍କ ଭିତରେ ଉତ୍ତେଜନା ଦେଖାଗଲା । ସେଦିନ ଏକ ବିଶାଳ ଜନସମାବେଶରେ ଉତ୍କ୍ଷିପ୍ତ ଜନତାକୁ ଶାନ୍ତ କରିବା ପାଇଁ ସ୍ୱାମିଜୀ ଚେଷ୍ଟା କରିଥିଲେ ।

ସଭା ଶେଷରେ କୋଡିଏ ପଚିଶ ହଜାର ବ୍ୟକ୍ତିଙ୍କର ସମୂହ ଶୋଭାଯାତ୍ରା ଚାଲିଥାଏ । ଯେତେବେଳେ ଶୋଭାଯାତ୍ରା ଦିଲ୍ଲୀର ଚାନ୍ଦିନୀଚୌକ ଛକରେ ପହଁଚିଗଲା ଠିକ୍ ସେତିକିବେଳେ ହଠାତ୍ ବନ୍ଧୁକରୁ ଗୁଳି ଶବ୍ଦ ଶୁଣାଗଲା । ଲୋକଙ୍କ ଭିତରେ ହଇଚଇ ସୃଷ୍ଟି ହେବା ସହିତ ଉତ୍ତେଜନା ବଢିଗଲା ।

ଏଥର ସ୍ୱାମିଜୀ ଆଗକୁ ବଢିଯାଇ ବନ୍ଧୁକ ଚଳାଇଥିବା ସିପାହୀମାନଙ୍କୁ କହିଲେ, “ତୁମେମାନେ ଗୁଳି ଚଳାଇବାର କାରଣ କ’ଣ ଥିଲା?”

ଏବେ ସିପାହୀମାନେ ସ୍ୱାମିଜୀଙ୍କୁ ଡରାଇବା ପାଇଁ ତାଙ୍କ ଛାତିଆଡକୁ ବନ୍ଧୁକ ମୁନ ରଖି କହିଲେ, “ଘୁଂଚିଯାଅ, ନ ହେଲେ ତୁମେ ବି ଏଠାରୁ ପ୍ରାଣ ନେଇ ଆଉ ଫେରିପାରିବ ନାହିଁ ।”

ଏଥର ସ୍ୱାମୀ ଶ୍ରଦ୍ଧାନନ୍ଦ ଅତି ନିର୍ଭୀକର ସହିତ ନିଜର ଗେରୁଆ ବସ୍ତ୍ର ଖୋଲି ଛାତିକୁ ଦେଖାଇ ଦେଇ ଆଉ ଏକପାଦ ଆଗକୁ ବଢିଯାଇ କହିଲେ, “ମାରିଦିଅ! ମୁଁ ତୁମର ଧମକକୁ ଆଦୌ ଡରି ନାହିଁ ।”

ଠିକ୍ ଏତିକିବେଳେ ଇଂରେଜ ସିପାହୀଙ୍କର ଅଫିସର୍ ଘୋଡା ଝପଟାଇ ଆସି ସେଠାରେ ପହଁଚିଗଲେ । ତାଙ୍କୁ ଦେଖି ସିପାହୀମାନେ ବନ୍ଧୁକକୁ ତଳମୁହାଁ କରିଦେଲେ ।

ଏଥର ସ୍ୱାମିଜୀ ଅଫିସରଙ୍କୁ ପଚାରିଲେ, “ବନ୍ଧୁକରୁ ଗୁଳି ଚଳାଗଲା କାହିଁକି?”

ଅଫିସର ଧୀର ଭାବରେ କହିଲେ, “ଗୁଳି ଭୁଲ୍ରେ ଚଳାଇ ଦିଆଯାଇଥିଲା ।” ଏହା କହି ସେ ସିପାହୀମାନଙ୍କୁ ନେଇ ରାସ୍ତାରୁ ହଟିଗଲେ, ଆଉ ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ଭାବରେ ଆଗକୁ ମାଡିଚାଲିଲା ।

ଏହାର ଫଳସ୍ୱରୂପ ଶ୍ରଦ୍ଧାନନ୍ଦଜୀଙ୍କର ନାମ ନେତାମାନଙ୍କ ତାଲିକାରେ ଆଗକୁ ଚାଲିଗଲା । ଆଗରୁ ତାଙ୍କୁ ଭଲ ପାଉନଥିବା ମୁସଲମାନମାନେ ତାଙ୍କୁ ଏତେ ଭଲ ପାଇଲେ ଯେ, ତାଙ୍କୁ ଦିଲ୍ଲୀର ଜୁମା ମସ୍ଜିଦ୍ରେ ଭାଷଣ ଦେବାପାଇଁ ଅନୁରୋଧ ଜଣାଇଲେ ।

ସୁତରାଂ ଏଠାରେ ଭାଷଣ ଦେବା ଅବସରରେ ଯେତେବେଳେ ଜଣେ ସନ୍ନ୍ୟାସୀ ଗେରୁଆ ବସ୍ତ୍ର ପରିଧାନ କରି ବୁଝାଇ ଦେଲେ ଯେ, “ହିନ୍ଦୁ-ମୁସଲମାନ ଭାଇ ଭାଇ । କାରଣ ଯେକୌଣସି ଧର୍ମ ଆଉ ପ୍ରେମ ଉଦାରତାର ହିଁ ଶିକ୍ଷା ଦେଇଥାଏ । ସୁତରାଂ ଛୋଟ ଛୋଟ କଥା ଉପରେ ଜିଦ୍ ଧରିବା କେବଳ ଅଜ୍ଞାନତା ବା ଅବୁଝାପଣିଆ ଅଟେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ