ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡ ଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନ କରି ପୁନର୍ବାର ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତାକୁ କାନ୍ଧରେ ପକାଇ ସେ ସେହି ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ, ଶବସ୍ଥିତ ବେତାଳ କହିଲା, “ହେ ରାଜନ୍, ତୁମେ ଜଣେ ବହୁତ ବଡ ରାଜା । ବିଳାସବ୍ୟସନ ମଧ୍ୟରେ ତୁମେ ବଢିଛ । କେଉଁ କାର୍ଯ୍ୟସିଦ୍ଧି ପାଇଁ ଏହି ଭୟଙ୍କର ଶ୍ମଶାନରେ ରାତ୍ରି ଅନିଦ୍ରା ହୋଇ ଏତେ କଷ୍ଟ ସହୁଛ? ତୁମେ ଜାଣ ଯେ ଏ ସାରା ସଂସାର ସ୍ୱାର୍ଥରେ ଭରା । ତୁମେ ଭାବୁଛ କି ତୁମର ନିଷ୍ଠା, ନିଃସ୍ୱାର୍ଥ ପ୍ରଭୃତି ଗୁଣକୁ କେହି ମୂଲ୍ୟ ଦେବେ? ଅଧିକାଂଶ ଲୋକ ସ୍ୱାର୍ଥ, ଅନୀତି ପ୍ରଭୃତି ଦୁର୍ଗୁଣରେ ଭରା । ତୁମେ କାହା ପାଇଁ ସୁଖମୟ ଜୀବନ ଛାଡି ଏତେ କଷ୍ଟ ସହୁଛ? ତୁମକୁ ସାବଧାନ କରିବାକୁ ବୈଶାଳୀ ଓ ଶିବଚନ୍ଦ୍ରଙ୍କ ବିଷୟରେ ମୁଁ କାହାଣୀଟିଏ ଶୁଣାଇବି । ମନ ଦେଇ ତାହା ଶୁଣ । ଶ୍ରମଭାର ଲାଘବ ହେବ । ଏହାପରେ ସେ ବେତାଳ ଗପିଲା –
ବିଶାଳ ଦେଶର ରାଜା ମହାଦତଙ୍କର ଗୋଟିଏ ଝିଅ ଥା’ନ୍ତି । ତାଙ୍କର ନାମ ବୈଶାଳୀ । ସେ ଯୌବନରେ ପଦାର୍ପଣ କରିବା ମାତ୍ରେ, ଦେଖିବାକୁ ଯେପରି ଅଦ୍ୱିତୀୟ ସୁନ୍ଦରୀ ହୋଇ ଉଠିଲେ, ଗୁଣରେ ମଧ୍ୟ ସେପରି ଅନୁପମା । ପଡୋଶୀ ରାଜ୍ୟମାନଙ୍କର ରାଜକୁମାରମାନେ ତାଙ୍କୁ ବିବାହ କରିବାକୁ ଚାହିଁଲେ । ରାଜା ମହାଦତ ମଧ୍ୟ ତାଙ୍କ ମନେ ମନେ ଯୋଗ୍ୟ ବରପାତ୍ରଟିଏ ଖୋଜୁଥା’ନ୍ତି । ଥରେ ସେ ଚାରିଟି ରାଜପୁତ୍ରଙ୍କ ଚିତ୍ରପଟ୍ଟ ଝିଅର ପସନ୍ଦ ପାଇଁ ତା’ ପାଖକୁ ପଠାଇଲେ ।
ବୈଶାଳୀଙ୍କ ପାଇଁ କେହି ହେଲେ ଯୋଗ୍ୟ ବିବେଚିତ ହେଲେ ନାହିଁ, ସେ ପିତାଙ୍କୁ କହିଲେ, “ବାବା, ମୁଁ ଚାହୁଁଥିଲି କି ବିଶାଳ ଦେଶର ଯିଏ ରାଜା ହେବ, ସେ ସୁନ୍ଦର, ଗୁଣବାନ ଓ ତେଜସ୍ୱୀ ହେବା ଆବଶ୍ୟକ । କିନ୍ତୁ ଏହି ଚିତ୍ରପଟ ମଧ୍ୟରୁ ମୋର ମନେ ହେଲା ନାହିଁ ଯେ କେହିହେଲେ ସେପରି ଯୋଗ୍ୟ ଅଛି ।”
ରାଜା ଏକଥା ଶୁଣି ଆଶ୍ଚର୍ଯ୍ୟ ହେଲେ । କାରଣ ସେମାନେ ସୌନ୍ଦର୍ଯ୍ୟ, ଗୁଣ ଓ ତେଜରେ ଏକକୁ ଆରେକ ବଳି କରିଥିଲେ ।
ବିଶାଳ ଦେଶର ଉତ୍ତରପଟରେ ଏକ ପର୍ବତାରଣ୍ୟ ଥିଲା । ସେଠାରେ ଜଣେ ରାକ୍ଷସୀ ଥାଏ; ଯିଏ ଲୋକମାନଙ୍କୁ ମାରେ, ପିଟେ, ଖାଏ । ଲୋକମାନେ ବଡ ଭୟଭୀତ ହୋଇଥା’ନ୍ତି । ସେହି ପାହାଡ ତଳର ଗ୍ରାମମାନଙ୍କ ମଧ୍ୟରୁ ଜଣେ ମୁଖିଆ ରାଜାଙ୍କୁ ଆସି କହିଲା, “ମହାରାଜ, ଆମେ ସର୍ବଦା ମୃତ୍ୟୁର କବଳରେ ପଡୁଛୁ । ମୃତ୍ୟୁରୂପୀ ସେହି ରାକ୍ଷସୀ ଅଚାନକ ଆସି ପହଁଚିଯାଏ, ଦୁଇଟି ପ୍ରଶ୍ନ କରେ ଓ ତା’ପରେ ଜଣେ ଦିଜଣଙ୍କୁ ଉଠାଇ ନେଇ ପଳାଏ ଓ ତା’ ଗୁମ୍ଫା ଭିତରେ ବସି ଖାଏ ।”
ରାଜା ପଚାରିଲେ, “ଆଚ୍ଛା ରାକ୍ଷସୀର ସେ ଦୁଇଟି ପ୍ରଶ୍ନ କ’ଣ କୁହତ?” ମୁଖିଆ କହିଲେ “ଆଜ୍ଞା, ତା’ ପ୍ରଶ୍ନ ତ କେହିବି ବୁଝିପାରୁ ନାହାଁନ୍ତି; କିନ୍ତୁ ସେ କୁହେ ମୋ ପ୍ରଶ୍ନର ଉତ୍ତର ଯିଏ ଦେବ, ତାକୁ ମୁଁ ଛାଡି ଦେବି ।”
ରାଜା ତାଙ୍କୁ ଆଶ୍ୱାସନା ଦେଇ କହିଲେ, “ତୁମେ ସବୁ ସାବଧାନ ରୁହ; ଆଦୌ ଚିନ୍ତିତ ହୁଅ ନାହିଁ । ତାକୁ ମାରିବା କାମ ମୋ ଉପରେ ଛାଡିଦିଅ ।”