ଏହିସବୁ କଥା ମନରେ ଚିନ୍ତା କରି ସିମୋନୀ ଏକ ଦୁଃସାହସିକ ପଦକ୍ଷେପ ନେଲେ । ସେ ଚାକିରି ଛାଡିଦେଇ ଚାଲିଆସିଲେ ଦୁଃଖୀଙ୍କର ଦୁଃଖ ବୁଝିବା ଲାଗି । ସଡକ ପାର୍ଶ୍ୱ ଗଛ ଛାଇରେ ବସି ସେ ପଥର ଭାଙ୍ଗିଲେ । କଳ କାରଖାନାରେ ଶ୍ରମିକମାନଙ୍କ ସହିତ ମିଶି ସେ ମୂଲ ବି ଲାଗିଲେ । ଦୁଃଖୀ ଆଉ ରୋଗୀଙ୍କ ସହିତ ମିଶି ସେ ଏକାକାର ହୋଇଗଲେ । ସେତେବେଳେ ଯାଇ ସିମୋନୀ ଜାଣିପାରିଲେ ଯେ, ମୂଲିଆମାନଙ୍କ ଅବସ୍ଥା କେତେ ଖରାପ? କେତେ ଦୁଃଖଭରା ଜୀବନ ସେମାନେ ବିତାଉଛନ୍ତି? ଯେଉଁଭଳି ଅବସ୍ଥାରେ ସେମାନେ କାମ କରୁଛନ୍ତି ସେମାନଙ୍କର ଦେହ ଓ ମନ ରୋଗିଣା ହୋଇଯିବାଟା ତ ସ୍ୱାଭାବିକ୍ ।
ସମାଜରେ ସବୁଠାରୁ ଦୁଃଖୀ ଓ ସବୁଠାରୁ ନିର୍ଯ୍ୟାତିତ ଗରିବଙ୍କ ପରି ସିମୋନୀ ମଧ୍ୟ ନିଜର ଜୀବନ ବିତାଇଲେ । ଯେଉଁମାନଙ୍କୁ କଷ୍ଟ ଦିଆଯାଏ, ଦୂର୍ଦୂର୍ ମାର୍ମାର୍ କରାଯାଏ, ଯେଉଁମାନଙ୍କ ପରିଶ୍ରମର ଉପାର୍ଜନରେ ଅନ୍ୟ ଲୋକ ମଉଜ ମଜଲିସ୍ କରନ୍ତି, ତାଙ୍କରି ପାଇଁ ଲଢେଇ କରିବା କାମ ନିଜ ହାତକୁ ସିମୋନୀ ନେଲେ ।
ଶେଷରେ ସିମୋନୀ ସ୍ପେନ୍ର ଗୃହଯୁଦ୍ଧରେ ଝାମ୍ପଦେଲେ । ରାଜନୈତିକ ଆନ୍ଦୋଳନରେ ମଧ୍ୟ ସେ ଯୋଗ ଦେଲେ । ଗରିବଙ୍କ ପାଇଁ ସେ ନିଜେ ଗରିବ ହୋଇଗଲେ । ଗରିବଙ୍କ ସେବା କରି କରି ସିମୋନୀ ସିନା ମରି ମାଟିରେ ମିଶିଗଲେ, ହେଲେ କାଳକାଳକୁ ସେ ଅମର ହୋଇ ରହିଗଲେ।