ତା’ପରେ ରାଜା ମନ୍ତ୍ରୀମାନଙ୍କ ସହିତ ପରାମର୍ଶ କଲେ । ଯୋଜନା ଅନୁସାରେ ଘୋଷଣା କରାଗଲା କି ଯିଏ ରାକ୍ଷସୀର ପ୍ରଶ୍ନର ଉତ୍ତର ଦେଇ ତାକୁ ମାରିବ, ତାକୁ ରାଜ୍ୟର କିଛି ଅଂଶ ପୁରସ୍କାର ସ୍ୱରୂପ ଦିଆଯିବ । କିନ୍ତୁ କେହି ଜଣେ ହେଲେ ସେଥିପାଇଁ ବାହାରିଲେ ନାହିଁ । ରାଜା ଏବେ ବଡ ଚିନ୍ତାରେ ପଡିଲେ; ପାର୍ବତୀୟ ଅଂଚଳର ଲୋକମାନଙ୍କୁ କିପରି ରାକ୍ଷସୀ କବଳରୁ ମୁକ୍ତ କରାଯିବ? ଶିବଚନ୍ଦ୍ର ନାମକ ଜଣେ ବ୍ୟକ୍ତି ରାଜାଙ୍କୁ ଆସି କହିଲା – ରାକ୍ଷସୀ ପାଖକୁ ଯିବାକୁ ସେ ପ୍ରସ୍ତୁତ ।
ରାଜା କହିଲେ, “ଦେଖ ବାବୁ, ରାକ୍ଷସୀର ପ୍ରଶ୍ନ କ’ଣ ତା’ତ ଆମେ ଜାଣିନାହୁଁ । କିନ୍ତୁ ତୁମେ କେଉଁ ବିଦ୍ୟାରେ ନିପୁଣ କୁହ ତ?”
ଶିବଚନ୍ଦ୍ର କହିଲା, “ମହାରାଜ, ମୁଁ କୌଣସି ବିଦ୍ୟା ଜାଣେ ନାହିଁ, ମୁଁ ଚାଷ କାମ କରେ; ନିଜ ପରିଶ୍ରମ ଉପରେ ନିର୍ଭର କରୁଥିବା ମୁଁ ଏକ ସାଧାରଣ ନାଗରିକ ।”
ରାଜା ତା’ କଥା ଶୁଣି ମୁହଁ ଶୁଖାଇ ଦେଇ କହିଲେ, “ତୁମର କୌଣସି ବିଦ୍ୟା ନାହିଁ, ତୁମେ ବୀର ମଧ୍ୟ ନୁହଁ । ତଥାପି ବି ତୁମେ ସେ ରାକ୍ଷସୀକୁ ମାରିବାକୁ ବାହାରିଛ? ରାଜ୍ୟର କିଛି ଅଂଶ ଲାଭ କରିବାର ଲୋଭର ବଶବର୍ତ୍ତୀ ହୋଇ ତୁମେ ଆଜି ଏଠାକୁ ଆସିଛ ନା? ମୋ କଥା ଶୁଣ, ଚୁପ୍ଚାପ୍ ଫେରିଯାଅ । ଖାଲିଖାଲି କାହିଁକି ତୁମର ଜୀବନ ନଷ୍ଟ କରିବ?”
ଶିବଚନ୍ଦ୍ର ବିନୟପୂର୍ବକ କହିଲା, “ଯଦି ମୁଁ ଜିତିଯାଏ, ରାଜ୍ୟ ପାଳନ ମୋ ଦ୍ୱାରା ତ ହୋଇ ପାରିବ ନାହିଁ । କାହିଁକିନା ମୋର ଏତେ ବୁଦ୍ଧି ନାହିଁ । ମହାରାଜ ମୁଁ କୌଣସି ଲୋଭରେ ପଡି ଏଠାକୁ ଆସି ନାହିଁ । ମୋର ଲକ୍ଷ୍ୟ ହେଉଛି ପାର୍ବତୀୟ ଲୋକଙ୍କୁ ସେ ରାକ୍ଷସୀର ଦାଉରୁ ରକ୍ଷା କରିବା । ମୋତେ ବିଶ୍ୱାସ କରନ୍ତୁ ଓ ସେଠାକୁ ଯିବାର ଅନୁମତି ଦିଅନ୍ତୁ । ମୋର ଗ୍ରାମରେ ରହୁଥିବା ପଣ୍ଡିତ ଚନ୍ଦ୍ରସ୍ୱାମୀ ମଧ୍ୟ ମୋ ସହିତ ଆସିବେ । ମୁଁ ଭାବୁଛି ଲକ୍ଷ୍ୟ ପ୍ରାପ୍ତି ପାଇଁ ଉଭୟ ବିଦ୍ୟା ଓ ବୀରତ୍ୱର ବିଶେଷ ଆବଶ୍ୟକତା ନାହିଁ ।”
ରାଜା ଦେଖିଲେ ଶିବଚନ୍ଦ୍ର ବୁଦ୍ଧିମାନ୍, ନୀତିବାନ୍ ଓ ବିବେକବାନ୍ । ତେଣୁ ତାକୁ ସେ ସେହି କାର୍ଯ୍ୟଲାଗି ଅନୁମତି ଦେଲେ । ଶିବଚନ୍ଦ୍ର ସେଠାରୁ ଆସି ଚନ୍ଦ୍ରସ୍ୱାମୀଙ୍କୁ ଦେଖାକରି ତାଙ୍କୁ ସବୁ ଖବର ଜଣାଇଲା ।
ରାଜାଙ୍କ ଅନୁମତିପ୍ରାପ୍ତି କଥା ଶୁଣି ଚନ୍ଦ୍ରସ୍ୱାମୀଙ୍କ ମୁହଁ ହଠାତ୍ ଫିକା ପଡିଗଲା । ସେ ଶିବଚନ୍ଦ୍ରକୁ କହିଲେ, “ଶୁଣ, ତୁମେ ଜଙ୍ଗଲ ଭିତରକୁ ଯିବ, ମୁଁ ବାହାରେ ବସିଥିବି, ଭିତରକୁ ଯିବାର ମୋର କୌଣସି ଆବଶ୍ୟକତା ନାହିଁ ।”
ଶିବଚନ୍ଦ୍ର କହିଲା – “ଠିକ୍ ଅଛି । ତୁମେ ଯେପରି ଚାହଁ, କରିବ । ଚାଲ ଏବେ ଯିବା । ଆଉ ବିଳମ୍ବ କାହିଁକି?” ତା’ପରେ ସେ ଦୁହେଁ ଜଙ୍ଗଲକୁ ଗଲେ । ଜଙ୍ଗଲ ପାଖରେ ପହଁଚି ବଡ ବଡ ଗଛସବୁ ଦେଖି ଚନ୍ଦ୍ରସ୍ୱାମୀ କହିଲେ, “ମୁଁ ବାବା ଆଉ ଆଗକୁ ଯାଉନାହିଁ । ଏଇଠି ବସିଲି” – ଏହା କହି ସେ ସେହିଠାରେହିଁ ବସି ପଡିଲେ । ଇତିମଧ୍ୟରେ ସେଠାରେ ଜଣେ ଯୁବକ ଆସି ପହଁଚି ନିଜର ପରିଚୟ ଦେଇ କହିଲା, “ତୁମେ କିପରି ସେ ରାକ୍ଷସୀକୁ ମାରିବ? ତୁମ ବନ୍ଧୁଙ୍କ ସହିତ ମୁଁ ମଧ୍ୟ ଏହିଠାରେ ଦେଖିବି ।”
ଶିବଚନ୍ଦ୍ର ଖୁସି ହୋଇ କହିଲା, “ଇଏ ମୋର ମିତ୍ର ବିଖ୍ୟାତ ପଣ୍ଡିତ ଚନ୍ଦ୍ରସ୍ୱାମୀ । ରାକ୍ଷସୀର ପ୍ରଶ୍ନର ଉତ୍ତର ଦେବାରେ ସେ ମୋତେ ସାହାଯ୍ୟ କରିବେ । ଆଚ୍ଛା, ତମେମାନେ ଏହିଠାରେ ଥାଅ, ମୁଁ ଏବେ ଭିତରକୁ ଯାଉଛି ।”
ଶିବଚନ୍ଦ୍ର ଜଙ୍ଗଲରେ ପ୍ରବେଶ କଲା । ଅନେକ ଦୂର ଯିବା ପରେ ହଠାତ୍ ସେ ଏକ ଅଟ୍ଟହାସ ଶୁଣିଲା । ପଛକୁ ଚାହିଁବା ପୂର୍ବରୁ ତାକୁ ଗୋଟାଏ ବିରାଟ ହାତ ଆସି ଟେକି ନେଇଗଲା ।
ଶିବଚନ୍ଦ୍ର ନିଜକୁ ସମ୍ଭାଳି ନେଲା । ରାକ୍ଷସୀ ଯାହାକୁ ଧରେ, ସେ ଖାଲି ପ୍ରାଣ ଭୟରେ ଛଟପଟ ହୁଏ, ପ୍ରାଣଭିକ୍ଷା କରେ । କିନ୍ତୁ ଏସବୁ ଲକ୍ଷଣ ଶିବଚନ୍ଦ୍ର ପାଖରେ ଆଦୌ ନଥିଲା । ତେଣୁ ରାକ୍ଷସୀ ପ୍ରଥମେ ବହୁତ ଆଶ୍ଚର୍ଯ୍ୟ ହେଲା ।
ରାକ୍ଷସୀ କହିଲା, “ମୋର ଏହି ଭୟଙ୍କର ରୂପ ଦେଖି ମଧ୍ୟ ତୁମର କ’ଣ ଭୟ ହେଲା ନାହିଁ? ତୁମେ ଆଉ ଜଣେ ମୂର୍ଖ ନୁହଁତ? ତୁମର ବୁଦ୍ଧି, କୌଶଳ ଓ ବୀରତ୍ୱ ଉପରେ ମୋର କାହିଁକି ଟିକେ ସନ୍ଦେହ ହେଉଛି । ତୁମେ ଯିଏ ବି ହୁଅ ମୋ ପ୍ରଶ୍ନର ଉତ୍ତର ଦିଅ ।” ଶିବଚନ୍ଦ୍ର ଶାନ୍ତ ଭାବରେ କହିଲା, “କୁହ, ତୁମର ପ୍ରଶ୍ନ କ’ଣ?” ରାକ୍ଷସୀ ପଚାରିଲା “ପୃଥିବୀ ବା ଭୂମି ଉପରେ ଦେଖୁଥିବା ପ୍ରତ୍ୟକ୍ଷ ଦୈବ କିଏ?”
ଶିବଚନ୍ଦ୍ର କହିଲା “ବାସ୍, ଏଇ ଗୋଟିଏ ପ୍ରଶ୍ନ?”
ରାକ୍ଷସୀ ଦ୍ୱିତୀୟ ପ୍ରଶ୍ନ ପଚାରିଲା “ଅନ୍ୟ ପ୍ରଶ୍ନଟି ହେଲା, ଅପରାଧିକୁ ଦଣ୍ଡ ଦେବାବାଲା କିଏ ନିଜର ଅସହାୟତା ବିଷୟ ଭାବି ପରେ ଦୁଃଖୀ ହୁଏ?”
ଶିବଚନ୍ଦ୍ର କହିଲା – “ଉତ୍ତର ଦେବା ପୂର୍ବରୁ ମୁଁ ମଧ୍ୟ କିଛି କହିବାକୁ ଚାହେଁ”
ରାକ୍ଷସୀ ପ୍ରଶ୍ନକଲା “କୁହ ତୁମର ଇଚ୍ଛା କ’ଣ?”
ଶିବଚନ୍ଦ୍ର ଅନୁରୋଧ କରି କହିଲା “ମୋର ଦୁଇଜଣ ବନ୍ଧୁ ଏହି ଜଙ୍ଗଲ ବାହାରେ ବସିଛନ୍ତି । ମୁଁ ଥରେ ସେମାନଙ୍କୁ ଦେଖି ଆସିବି; ତା’ପରେ ମୁଁ ତୁମ ପ୍ରଶ୍ନର ଉତ୍ତର ଦେବି । ଯଦି ମୋ ଉତ୍ତର ଠିକ୍ ନ ହୁଏ ତେବେ ମୁଁ ଆଉ କିପରି ସେମାନଙ୍କର ଦେଖା ପାଇବି?”
ଶିବଚନ୍ଦ୍ରର ଏଭଳି ନିର୍ଭୀକତା ଦେଖି ରାକ୍ଷସୀ ଭାବିଲା, “ବରଂ ମୁଁ ଏହାର କଥା ମାନିନିଏ । କାରଣ ଜଣାଯାଉଛି ଲୋକଟି ଯମାରୁ ଠକ ପ୍ରକୃତିର ନୁହେଁ ।” ଶିବଚନ୍ଦ୍ରକୁ ସେ କହିଲା, “ବୀରପୁରୁଷଙ୍କ ଉପରେ ବିଶ୍ୱାସ କରାଯାଏ, ଭୟାଳୁମାନେହିଁ ଠକନ୍ତି । ତୁମକୁ ମୁଁ ଛାଡି ଦେଉଛି, ଯାଇ ଶୀଘ୍ର ବନ୍ଧୁମାନଙ୍କ ସହିତ ଦେଖାକରି ଆସ ।”
ଶିବଚନ୍ଦ୍ର ଶୀଘ୍ର ଯାଇ ଚନ୍ଦ୍ରସ୍ୱାମୀ ଓ ବିଶାଳଦତ ସହିତ ଦେଖାକଲା ଏବଂ ସେମାନଙ୍କୁ ରାକ୍ଷସୀର ସମସ୍ତ କଥା କହିଲା ।
ଚନ୍ଦ୍ରସ୍ୱାମୀ କହିଲେ, “ଭୂମି ଉପରେ ଥିବା ପ୍ରତ୍ୟକ୍ଷ ଦେବତା ହେଲେ ଜନ୍ମଦାତ୍ରୀ ମା’ ।”
ଶିବଚନ୍ଦ୍ର ବ୍ୟସ୍ତ ହୋଇ ପଚାରିଲେ “ଆଚ୍ଛା, ଏବେ ଦ୍ୱିତୀୟ ପ୍ରଶ୍ନର ଉତ୍ତର କ’ଣ କୁହ ।”
ଚନ୍ଦ୍ରସ୍ୱାମୀ କହିଲେ, “କେବଳ ରାଜା ହିଁ ଅପରାଧିକୁ ଦଣ୍ଡ ଦେଇ, ପରେ ରାଜପଣ ଯୋଗୁଁ ନିଜର ଅସହାୟତା ସକାଶେ ପଶ୍ଚାତାପ କରନ୍ତି ।”
କିନ୍ତୁ ବିଶାଳଦତ କହିଲେ, “ନା, ଦ୍ୱିତୀୟଟି ହେଉଛି ସେହି ମା’, କାରଣ ପିଲା ଦୁଷ୍ଟ ହେଲେ ତାକୁ ଭଲ କରିବାକୁ ମା’ହିଁ ଦଣ୍ଡଦିଏ, ପୁଣି କାହିଁକି ମାରିଲା ବୋଲି ସେ ପଶ୍ଚାତାପ ବି କରେ ।”
ଶିବଚନ୍ଦ୍ର ତତ୍କ୍ଷଣାତ୍ ଫେରିଯାଇ ରାକ୍ଷସୀକୁ ଦେଖାକଲା; ରାକ୍ଷସୀ ପ୍ରଶଂସାପୂର୍ଣ୍ଣ ଦୃଷ୍ଟିରେ ତାକୁ ଚାହିଁ କହିଲା, “ତୁମେ ଆସିଗଲ? ମୁଁ ଜାଣିଥିଲି ତୁମେ ନିଶ୍ଚୟ ଆସିବ ।”
ତା’ପରେ ଶିବଚନ୍ଦ୍ର ପ୍ରଶ୍ନ ଦୁଇଟିର ଉତ୍ତର କହିଲା । ତାହା ଶୁଣିବା ପରେ ରାକ୍ଷସୀର ମୁହଁ ଅସୀମ ଆନନ୍ଦରେ ପୂର୍ଣ୍ଣ ହେଲା । ତା’ର ଉତ୍ତର ଶେଷ ହେବା ମାତ୍ରେ ରାକ୍ଷସୀ ସ୍ଥାନରେ ଏକ ଦେବକନ୍ୟା ଦେଖା ଦେଲା । ଶିବଚନ୍ଦ୍ର ଆନନ୍ଦ ଓ ବିସ୍ମୟ ମଧ୍ୟରେ ଅନାଇ ରହିଥାଏ । ସେହି ଦେବକନ୍ୟା କହିଲେ, “ଶିବଚନ୍ଦ୍ର, ମୁଁ ବିଦ୍ୟୁତ୍ପ୍ରଭା ନାମ୍ନୀ ଜଣେ ଯକ୍ଷକନ୍ୟା, ଶାପଗ୍ରସ୍ତ ହୋଇ ରାକ୍ଷସୀ ରୂପରେ ଥିଲି । ଠିକ୍ ଶହେବର୍ଷ ପୂର୍ବରୁ ପୁଣ୍ଡରୀକ ନାମକ ଜଣେ ତପସ୍ୱୀ ଥିଲେ । ତାଙ୍କର ପତ୍ନୀ ବିୟୋଗ ହେବା ପରେ ଏକମାତ୍ର କନ୍ୟା, ସେ ପୁଣି ମାତ୍ର ତିନିବର୍ଷର ଥିଲା । ତାକୁ ସେ ଅତି ଆଦର ଯତ୍ନରେ ପାଳନ କରୁଥିଲେ । ଦିନେ ପୃଥିବୀ ଉପରକୁ ଆସି ସେହି ତପସ୍ୱୀଙ୍କର ରୂପ ଗୁଣରେ ମୁଗ୍ଧ ହୋଇ ମୁଁ ତାଙ୍କୁ ବିବାହ କରିବାକୁ ଚାହିଁଲି । ସେ କିନ୍ତୁ ମୋ ପ୍ରସ୍ତାବକୁ ଅସ୍ୱୀକାର କଲେ । ତେଣୁ ମୁଁ ତାଙ୍କ ଛୋଟ ଝିଅକୁ ରାକ୍ଷସୀରୂପ ଧରି ଡରାଇଲି ଓ ହାତରେ ତାକୁ ଉଠାଇ ନେଲି, ସେ ଭୟରେ ଚିତ୍କାର କରି ମୋ ପାଖରେ ଥିବାବେଳେ ହାତଗୋଡ ଛାଟି କୌଣସିମତେ ମୋ ହାତରୁ ତଳେ ଖସିପଡିଲା । ତା’ର ସେ ଚିତ୍କାର ଶୁଣି ତପସ୍ୱୀ ଦୌଡି ଆସି ଛୁଆକୁ କୋଳକୁ ନେଲେ ଓ ମୋତେ ଏହି ଅଭିଶାପ ଦେଲେ କି ସେହିରୂପ ମୋର ଚିରଦିନ ପାଇଁ ରହିବ । ତା’ପରେ ମୁଁ ନିଜର ଅପରାଧ ହୃଦୟଙ୍ଗମ କରି ପଶ୍ଚାତାପ କରି, ତପସ୍ୱୀଙ୍କ ପାଦତଳେ ପଡି ସେପରି ଅଭିଶାପ ମୋ ଉପରୁ ଉଠାଇ ନେବାକୁ ଅନୁରୋଧ କଲି । ସେ କହିଲେ, ‘ଉଠାଇ ତ ହେବନାହିଁ । କିନ୍ତୁ ବହୁତଦିନ ପରେ ଜଣେ ଯୁବକ ତୋର ପ୍ରଶ୍ନ ଦୁଇଟିର ଉତ୍ତର କହି ଦେବା ପରେ ତୁ ନିଜର ରୂପ ଫେରି ପାଇବୁ ।’ ସେହିଦିନଠାରୁ ମୁଁ ପ୍ରଶ୍ନ ପଚାରି ଚାଲିଛି ଓ ମଣିଷ ମାରି ଚାଲିଛି ।”
ଶିବଚନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ସବୁ ଶୁଣୁଥିଲା । ତା’ପରେ ତାଙ୍କୁ ପ୍ରଣାମ କରି ସେ କହିଲା, “ମା! କିନ୍ତୁ ମୁଁ ଏ ଉତ୍ତର ମୋର ନିଜ ବୁଦ୍ଧିରୁ ଦେଇ ନାହିଁ । ମୁଁ ମୂର୍ଖ । ଏସବୁ ଉତ୍ତର ମୋର ବନ୍ଧୁ ଚନ୍ଦ୍ରସ୍ୱାମୀହିଁ ଦେଇଛନ୍ତି ।” ତା’କଥା ଶୁଣି ବିଦ୍ୟୁତପ୍ରଭା ହସି ହସି କହିଲେ, “ମୁଁ ଯକ୍ଷକନ୍ୟା, ଏତିକି କ’ଣ ମୁଁ ଜାଣି ନାହିଁ?” ତା’ପରେ ସେ ତାଙ୍କର ଦକ୍ଷିଣହସ୍ତ ଶିବଚନ୍ଦ୍ରର ମଥା ଉପରେ ରଖି କହିଲେ, “ପୁତ୍ର ଶିବଚନ୍ଦ୍ର, ସମସ୍ତ ଶାସ୍ତ୍ରରେ ତୁମେ ପାରଙ୍ଗମ ହେବ । ତୁମ ସମକକ୍ଷ ଜ୍ଞାନୀ ଆଉ କେହି ମଧ୍ୟ ରହିବେ ନାହିଁ । ଯଜ୍ଞ ଓ ତପସ୍ୟା ଦ୍ୱାରା ଲବ୍ଧ ଜ୍ଞାନ ମଧ୍ୟ ତୁମର କରଗତ ହେବ ।” ଏପରି ଆଶୀର୍ବାଦ ଦେବା ପରେ ସେ ସେଠାରୁ କୁଆଡେ ଅନ୍ତର୍ଦ୍ଧାନ ହୋଇଗଲେ ।
ଶିବଚନ୍ଦ୍ର ଆନନ୍ଦରେ ଗଦ୍ଗଦ୍ ହୋଇ ସେଠାରୁ ଫେରିଲା ଓ ସେ ତା’ର ଦୁଇ ବନ୍ଧୁଙ୍କୁ ସମସ୍ତ ବୃତାନ୍ତ ଜଣାଇଲା । ଚନ୍ଦ୍ରସ୍ୱାମୀ କହିଲେ, “ତୁମେ ତ ଯକ୍ଷକନ୍ୟାଙ୍କ ଠାରୁ ବରପ୍ରାପ୍ତ ହେଲ । ମୁଁ ସାଧାରଣ ମଣିଷ, ଯାଉଛି ମୋ ଦୁଃଖ ନେଇ ମୁଁ ରହିବି!” ଏତିକି କହି ସେ ରାଗିକରି ସେଠାରୁ ଚାଲିଗଲେ ।
ଶିବଚନ୍ଦ୍ର ହତାଶ ଓ ଆଶ୍ଚର୍ଯ୍ୟ ହୋଇ ସେମିତି ଠିଆ ହୋଇ ରହିଲେ । ବିଶାଳଦତ ତାଙ୍କୁ କହିଲେ, “ସେ ଜଣେ ସ୍ୱାର୍ଥପର ଓ ଈର୍ଷାଳୁ ବ୍ୟକ୍ତି । ତେଣୁ ତୁମେ କାହିଁକି ମନ ଦୁଃଖ କରୁଛ?” ଏହାପରେ ସେ ତାଙ୍କ ବସ୍ତ୍ର ମଧ୍ୟରୁ ମାଳାଟିଏ ବାହାର କରି ତାକୁ ଶିବଚନ୍ଦ୍ରଙ୍କ ଗଳାରେ ପକାଇ ଦେଇ କହିଲେ, “ଇଏ ଚନ୍ଦନର ହାର । ନିଜର ସୁବାସରେ ଏହା ଚତୁର୍ଦ୍ଦିଗ ମହକିତ ହୋଇ ଉଠେ । ତୁମ ମଧ୍ୟରେ ଓ ଏହି ମାଳା ମଧ୍ୟରେ କିଛିଟା ସାମଞ୍ଜସ୍ୟ ଅଛି । ଦୁହିଁଙ୍କ ମଧ୍ୟରେ ଗୋଟିଏ ଗୁଣ ଅଛି ।”
ଶିବଚନ୍ଦ୍ର କିଛି ସମୟ ମୌନ ରହିବା ପରେ କହିଲା; “ମୁଁ ଅବଶ୍ୟ ଚନ୍ଦ୍ରସ୍ୱାମୀର ଈର୍ଷାର କାରଣ ଜାଣେ । କିନ୍ତୁ ତୁମର ସ୍ନେହ ଓ ପ୍ରଶଂସାର ଯୋଗ୍ୟ ମୁଁ କିପରି ହେଲି ରାଜକୁମାରୀ?
ବିଶାଳଦତର ଛଦ୍ମବେଶରେ ରାଜକୁମାରୀ ବୈଶାଳୀ ହିଁ ସେଠାକୁ ଆସିଥିଲେ । ଏକଥା ଜଣାପଡିବା ପରେ ସେ ସେଠାରୁ ପ୍ରାସାଦକୁ ଫେରିଗଲେ । ଶିବଚନ୍ଦ୍ର ରାଜାଙ୍କ ନିକଟରେ ପହଁଚି ତାଙ୍କୁ ସବୁକଥା କହିଲା । ରାଜା ତାକୁ ଅନେକ ପୁରସ୍କାର ଦେଲେ ଓ ନିଜ କନ୍ୟା ବୈଶାଳୀ ସହିତ ତା’ର ବିବାହ କରାଇଦେଲେ ।
ଗଳ୍ପଟି କହିସାରି ବେତାଳ ରାଜାଙ୍କୁ ପ୍ରଶ୍ନକଲା, “ରାଜନ୍, ବୈଶାଳୀ ଜଣେ ମୂର୍ଖ ଝିଅ । ଏତେ ରାଜାଙ୍କୁ ପ୍ରତ୍ୟାଖ୍ୟାନ କରି ଶେଷକୁ ଶିବଚନ୍ଦ୍ର ଯକ୍ଷକନ୍ୟାଠାରୁ ବରପ୍ରାପ୍ତ ହେଲା ମାତ୍ରେ ତାଙ୍କୁ ବିବାହ କରିବାକୁ ସେ ସ୍ଥିର କଲେ? ନିଜେ ସ୍ୱାର୍ଥପର ଏବଂ ତାକୁ ଲୁଚାଇବା ପାଇଁ ଚନ୍ଦ୍ରସ୍ୱାମୀ ଉପରେ ସ୍ୱାର୍ଥର ଆରୋପ ସେ କିପରି ଲଗାଇଲେ? ଯକ୍ଷକନ୍ୟାଙ୍କର ବର ପ୍ରାପ୍ତି ଯୋଗୁଁ ଶିବଚନ୍ଦ୍ର ବୈଶାଳୀଙ୍କ ସ୍ୱାର୍ଥ ଜାଣିପାରିଥିବେ; ପୁଣି ତାଙ୍କୁହିଁ ସେ ବିବାହ କଲେ? କାରଣ ତଦ୍ୱାରା ତାଙ୍କର ମଧ୍ୟ କିଛି ସ୍ୱାର୍ଥ ଅଛି । ସେ ରାଜା ହେବେ । ମୋର ଏସବୁ ସନ୍ଦେହ ମୋଚନ କରିବାର କ୍ଷମତା ଥାଇ ମଧ୍ୟ ତୁମେ ଯଦି ନ କରିବ; ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”
ରାଜା ବିକ୍ରମାର୍କ କହିଲେ, “ବୈଶାଳୀଙ୍କ କଥାରୁ ମନେହୁଏ ସେ ମଣିଷର ବାହ୍ୟ ସୌନ୍ଦର୍ଯ୍ୟ ନୁହେଁ, ବରଂ ଅନ୍ତରର ସୌନ୍ଦର୍ଯ୍ୟ ଦେଖି ସେ ତାଙ୍କଲାଗି ସ୍ୱାମୀ ମନୋନୟନ କଲେ । ଶିବଚନ୍ଦ୍ର ଜନସେବା ପାଇଁ ନିଜ ଜୀବନକୁ ପାଣି ଛଡାଇ ରାକ୍ଷସୀ ନିକଟକୁ ଗଲେ । ନିଜର ଗୁଣ ଯୋଗୁଁ ସିନା ଯକ୍ଷକନ୍ୟା ତାକୁ ବର ଦେଲେ! ଏପରି ବ୍ୟକ୍ତିକୁ ବିବାହ କରିବାକୁ ପୁଣି କିଏ ବା ନ ଚାହିଁବ? ଶିବଚନ୍ଦ୍ର ବୈଶାଳୀଙ୍କ ସଦ୍ଗୁଣ କଥା ଜାଣି ତାଙ୍କୁ ବିବାହ କଲା । ତେଣୁ ସେମାନେ କେହିବି ସ୍ୱାର୍ଥପର ନୁହଁନ୍ତି ।”
ରାଜାଙ୍କର ମୌନଭଙ୍ଗ ହେବାରୁ ଶବ ସହିତ ବେତାଳ ପୂର୍ବୋକ୍ତ ଗଛରେ ଯାଇ ଝୁଲି ପଡିଲା ।