ଗୋଟିଏ ଗାଆଁରେ ଅତି ଗରିବ ଶ୍ରେଣୀର ଲୋକମାନେ ବାସ କରୁଥାଆନ୍ତି । ସେମାନେ ନିକମା ହୋଇ ବସିବା ପାଇଁ ଭାରି ଭଲ ପାଉଥିଲେ । ସକାଳ ହେଲେ ସେମାନେ ଖାଇପିଇ ତାସ୍, ପଶା, ଲୁଡୁ, ପାଲି ଆଦି ଖେଳୁଥିଲେ । ଦିନେ ଅଧେ ମୂଲଲାଗି ସେମାନେ ଯାହା ଆଣି ଥାଆନ୍ତି, ତାହାକୁ ଲୁଣ ଭାତ ହିସାବରେ ଖାଇ ସେମାନେ ତାଙ୍କ ଜୀବନ ଧାରଣ କରନ୍ତି । ସେମାନେ ନଈରୁ ମାଛ ବି ଧରନ୍ତି । ବିଲରୁ ଧାନ ଯାହା ଆଣନ୍ତି ତାହା ଅଳ୍ପ ବହୁତ ଖାଇ ସେମାନେ ଜୀବନ ଧାରଣ କରନ୍ତି । ତେଣୁ ଦିନେ ଦିନେ ସେମାନଙ୍କୁ ଉପବାସ ମଧ୍ୟ ରହିବାକୁ ପଡିଥାଏ । ଏପରି ଗୋଲକ ଧନ୍ଦାରେ ଜୀବନ ବଂଚାଇବାରେ ଗ୍ରାମବାସୀମାନେ ଦୁଃଖ ସୁଖ ଉଭୟଙ୍କୁ ସମାନ ଭାବନ୍ତି ।
ସଂଧ୍ୟା ସମୟ । ସେତେବେଳେ ଆକାଶରେ ପୁଞ୍ଜି ପୁଞ୍ଜି ତାରକାଗୁଡିକ ହୀରା ଫୁଲପରି ଦେଖାଯାଉଥାଏ । ଜହ୍ନଟା ଆକାଶ ବକ୍ଷରେ ତୋଫା ରଙ୍ଗ ଧାରଣ କରିଥାଏ । କାରଣ ସେଦିନ ଥାଏ କୁମାର ପୂର୍ଣ୍ଣମୀ । ଝିଅମାନେ କୁମାର ପୂର୍ଣ୍ଣମୀ ଗୀତ ଗାଇ ଜହ୍ନ ରାତିର ସଫା ଆଲୋକରେ ମନଭରି ନାଚକୁଦ କରୁଥାଆନ୍ତି । ଠିକ୍ ସେତିକି ବେଳେ ନିକଟରେ ଥିବା ବଡ ପୁଷ୍କରିଣୀ ଭିତରୁ ଦଳେ ହଂସୀ ତାଙ୍କ ଆଡକୁ ଉଡି ଆସିଲେ । ସେମାନେ ବି ଠିକ୍ ଝିଅମାନଙ୍କ ପରି ଗୀତ ଗାଉଥିଲେ –
“ଆମେ ପୁଷ୍କରିଣୀ ହଂସ ଲୋ,
ଫୁଲ ବଉଳ ବେଣୀ ।
ଆମେ ହଂସୀପରୀ ବହୁତ ସୁନ୍ଦରୀ,
ଝିଏ ପାରନ୍ତିନି ଜାଣି ଲୋ ।
ଫୁଲ ବଉଳ ବେଣୀ ।
ଅଭାବୀ ଗାଆଁରେ ରହି ଲୋ,
ଫୁଲ ବଉଳ ବେଣୀ ।
ନିକମାବାଲିଙ୍କୁ ବଳ ଯୋଉଛୁ,
ପୋଖରୀ ଭିତରେ ଥାଇ ଲୋ
ଫୁଲ ବଉଳ ବେଣୀ ।”