ଶାଳ୍ୱ ଦେଶର ରାଜା ବ୍ରହ୍ମଦତ ନିଃସନ୍ତାନ ଥିଲେ । ଜଣେ ଋଷି ତାଙ୍କୁ କହିଲେ, “ତୁମର ପ୍ରଜାମାନେତ ହିଁ ତୁମର ସନ୍ତାନ । ସେମାନଙ୍କ ଭିତରୁ ତୁମେ କୌଣସି ମହତ୍ ଓ ବୀର ସ୍ୱଭାବର ପିଲା ବାଛି ନିଅ । ସେ ହେବ ତୁମର ଉତ୍ତରାଧିକାରୀ ।” କିନ୍ତୁ ଏଥିରେ ସେ ରାଜାଙ୍କ ମନ ମୋଟେ ମାନିଲା ନାହିଁ । ଏଣୁ ସେ ରାଜା କୈଳାଶ ପର୍ବତକୁ ଯାଇ ଶିବଙ୍କୁ ସେଠାରେ ଧ୍ୟାନ କଲେ ।
ତାଙ୍କ ପ୍ରାର୍ଥନା ପୂର୍ଣ୍ଣ ହେଲା । ତାଙ୍କର ଦୁଇ ରାଣୀ ହଂସ ଓ ଡିମ୍ବକ ନାମକ ଦୁଇ ଶିଶୁପୁତ୍ରଙ୍କୁ ଜନ୍ମ ଦେଲେ ।
ଏହାପରେ ରାଜାଙ୍କୁ ତାଙ୍କର ସେହି ଶୁଭେଚ୍ଛୁ ଋଷି ଉପଦେଶ ଦେଲେ “ରାଜପୁତ୍ରମାନେ ଯେପରି ସତ୍ ଶିକ୍ଷା ପାଇବେ, ସେ ବ୍ୟବସ୍ଥା କର ।” କିନ୍ତୁ ରାଜା ସ୍ନେହାନ୍ଧ ହୋଇ ସେ ଉପଦେଶ ପ୍ରତି ଆଦୌ ଧ୍ୟାନ ଦେଲେନାହିଁ । ସେ ଦୁଇ ବାଳକ କ୍ରମେ ଯେତିକି ଯେତିକି ବଡ ହେଲେ, ସେମାନେ ସେତିକି ସେତିକି ସ୍ୱାର୍ଥପର ମଧ୍ୟ ହେଲେ । ସେମାନେ ତପସ୍ୟା ବି କରୁଥାନ୍ତି, କିନ୍ତୁ ବର ହିସାବରେ ଅଧିକରୁ ଅଧିକ କ୍ଷମତା ସେମାନେ କାମନା କରୁଥାନ୍ତି । ସମସ୍ତଙ୍କ ଉପରେ ପ୍ରଭୁ ବୋଲାଇବା ହେଲା ସେମାନଙ୍କର ଉଚ୍ଚାଭିଳାଷ ।
ସେତେବେଳେ କୃଷ୍ଣ ଦ୍ୱାରକାରେ ରାଜା ଥିଲେ । ସେ ଏ ହଂସ ଓ ଡିମ୍ବକଙ୍କ ପ୍ରଭୁତ୍ତ୍ୱ ସ୍ୱୀକାର କଲେ ନାହିଁ । ଫଳରେ ଯୁଦ୍ଧ ହେଲା । ହଂସ ଯୁଦ୍ଧ କ୍ଷେତ୍ରରେ ମଲା; ଡିମ୍ବକ ପଳାଇ ଯାଇ ଯମୁନାକୁ ଡେଇଁପଡି ମଲା ।
ଏସବୁ ଘଟଣା ଦେଖି ସେ ଋଷି ଦୀର୍ଘଶ୍ୱାସ ଛାଡି କହିଲେ, “ରାଜା, ଏଭଳି ପୁଅ ପାଇ ଲାଭ କ’ଣ ହେଲା? ଯଦି ପୁଅ ଜନ୍ମ କଲ, ସେମାନଙ୍କୁ ସତ୍ମାର୍ଗରେ ଚଳାଇବା ନିମନ୍ତେ ଚେଷ୍ଟା କାହିଁକି କଲନାହିଁ?”
ମାତ୍ର ସେତେବେଳକୁ ତ ବହୁ ବିଳମ୍ବ ହୋଇଗଲାଣି ।