ୱାକିଓର ଗାଁ ପାଖରେ ସମୁଦ୍ର । କୂଳରେ ଆବୁଡା ଖାବୁଡା ବଡ ବଡ ପଥର କୁଦ ସବୁ । ସମୁଦ୍ର ଲହରୀ ଘୂ ଘୂ ହୋଇ ଦିନ ରାତି ମଥା ପିଟୁଥାନ୍ତି ସେଠି । ଜୁଆର ଆସିଲେ ମୁଣ୍ଡ ବୁଡାଇ ଦିଅନ୍ତି ସେ ପଥରମାନେ । ପୁଣି ଜୁଆର ଫେରିଗଲେ ସେମାନେ ମୁଣ୍ଡ ଟେକନ୍ତି । ସେଇ ବେଳରେ ଗାଁ ପିଲାଏ ସବୁ ଧାଇଁ ଧାଇଁ ଯାଇ ଚଢନ୍ତି ସେ ପଥର କୁଦମାନଙ୍କ ଉପରେ । ପୁଣି ଜୁଆର ଆସିବା ବେଳ ହେଲେ କିତିକାତିଆ ହୋଇ ଧାଆଁନ୍ତି କୂଳକୁ । ଏହା ନିତି ଦିନିଆଁ ଖେଳ ସେ ଗାଁ ପିଲାଙ୍କର ।
ତାଙ୍କ ଗାଁ ଲୋକଙ୍କର ବେଉସା ହେଲା ସମୁଦ୍ରରୁ ମାଛ ମାରିବା, ନହେଲେ ତିମି ଶିକାର କରିବା । ୱାକିଓର ବାପା ଜଣେ ଭଲ ତିମି ଶିକାରୀ ।
-“ତୁମେ ସବୁବେଳେ ତିମିଙ୍କୁ ଶିକାର କର କାହିଁକି ଯେ? ମୋ ସାଙ୍ଗମାନଙ୍କ ବାପାମାନେ ତ କେତେ କେତେ ଅଲଗା କାମ କରନ୍ତି । ତାଙ୍କ ହାତ ତ କାହିଁ କେବେ ତିମିଙ୍କ ରକ୍ତରେ ନାଲି ହଉନି?” ଏହି କଥା ଦିନେ ୱାକିଓ ପଚାରିଲା ତା’ ବାପାଙ୍କୁ ।
ଏପରି ପ୍ରଶ୍ନ ଶୁଣି କିଛି ସମୟ ଭାବି ୱାକିଓର ବାପା ଉତ୍ତର ଦେଲେ – “ମତେ ତ ତିମି ଶିକାର ଛଡା ଆଉ କିଛି ବି କାମ ଜଣାନାହିଁ ।” ଏହା ଶୁଣି ୱାକିଓ ଚୁପ୍ ହୋଇ ଗଲା ସିନା କିନ୍ତୁ ତା’ ମନ ସେଥିରେ ଆଦୌ ମାନିଲା ନାହିଁ ।
ତା’ପରେ ସେ ଚୁପ୍ ଚୁପ୍ ଚାଲିଗଲା ତା ଜେଜେଙ୍କ ପାଖକୁ ଓ ତାଙ୍କୁ ମଧ୍ୟ ପଚାରିଲା ସେଇ ଏକା ପ୍ରଶ୍ନ ।
“ଜେଜେ ! ତୁମେ ମୋ ବାପାଙ୍କୁ ଆଉ କିଛି କାମ ଶିଖାଇ ପାରିଲ ନାହିଁ କାହିଁକି?”