ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ହଜାରେ ବାଲ୍ଟି ପାଣି

“ତୁମେ ଏତେ ବଡ । ମୋ ବାଲ୍ଟି ତ ଛୋଟିଆଟିଏ । କିନ୍ତୁ ବିଶ୍ୱାସ କର, ମୁଁ ତୁମ ଉପରେ ହଜାରେ ବାଲ୍ଟି ପାଣି ଅଜାଡିବି । ଜୁଆର ଆସିବା ପୂର୍ବରୁ ମୋ କାମ କଦାପି ବନ୍ଦ ହେବ ନାହିଁ ।”

ଦ୍ୱିତୀୟ ବାଲ୍ଟି ପାଣି ମଧ୍ୟ ତା’ ମୁଣ୍ଡ ଉପରେ ଅଜାଡି ପକାଇଲା ସେ । ଏମିତି ତୃତୀୟ, ଚତୁର୍ଥ ବାଲ୍ଟି ମଧ୍ୟ । କିନ୍ତୁ ସେ ଜାଣି ପାରୁଥାଏ ଯେ, ତାକୁ ସାରା ଦେହ ଓଦା କରିବାକୁ ହେବ । ନହେଲେ ସୂର୍ଯ୍ୟଙ୍କ ତାତିରେ ସେ ବିଚରା ତିମି ମରିଯିବ । ଗାଁର ଶିକାରୀଙ୍କ ପାଇଁ ଆଉ ତେଂଟା ଦରକାର ହେବ ନାହିଁ । ଏ କଥା ଭାବିଦେଲା ମାତ୍ରେ ତା’ ଦେହ ଥରି ଉଠିଲା ।

ଏଥର ସେ ବାରମ୍ବାର ସମୁଦ୍ର ଭିତରକୁ ପାଣି ପାଇଁ ଧାଇଁଲା । ପ୍ରତିଥର ଗଣୁଥାଏ କେତେ ବାଲ୍ଟି ହେଲା । ଚାରିଥର ଦେହରେ, ଚାରିଥର ଲାଞ୍ଜରେ, ପୁଣି ତିନି ବାଲ୍ଟି ମୁଣ୍ଡରେ ଓଜାଡିଲା । କେତେ ବାଲ୍ଟି ଢାଳିଲାଣି ଏ ପର୍ଯ୍ୟନ୍ତ ସେ, ତା’ର ଗଣିବା ଭୁଲ୍ ଭାଲ୍ ହୋଇଗଲା । କିନ୍ତୁ ସେ ଜାଣିଥାଏ ତା’ କାମ ବନ୍ଦ କଲେ ଚଳିବ ନାହିଁ । ତେଣୁ ଧାଉଁଥାଏ ସେ ବାରମ୍ବାର । ତିମିର କଡକୁ ଛାଇ ପଡିଥାଏ ଅରାଏ ଜାଗାରେ । ୱାକିଓ ସେଠି ଟିକେ ବସି ପଡିଲା । ଦେଖିଲା ବେଳକୁ ତା’ ଗୋଡ ଆଉ ଉଠୁ ନାହିଁ । ଛାତି ଧଡ୍ ଧଡ୍ ହୋଇ ଯାଉଛି । କିନ୍ତୁ ତିମିର ଆଖିକୁ ଚାହିଁ ଦେଲା ମାତ୍ରେ ତା’ ପ୍ରତିଜ୍ଞା ମନେ ପଡିଗଲା । ସେ ପୁଣି ଉଠି ପଡିଲା ଓ ଲାଗି ପଡିଲା ତା’ କାମରେ । ବାଲ୍ଟି ବାଲ୍ଟି ଭର୍ତ୍ତି କରି ଆଣିଲା ପାଣି । ଅଂଟା କଟକଟ ହୋଇ ଯାଉଥାଏ । ତଥାପି ବି ସେ ଲାଗି ପଡିଥାଏ ପାଣି ଢାଳିବାରେ । ମୁଣ୍ଡ, ଦେହ, ଲାଞ୍ଜ, ବାଲ୍ଟି ପରେ ବାଲ୍ଟି । କେତେବେଳେ ଯେ ସେ ପଡି ଯାଇଚି ଆଉ ଉଠି ପାରିନି, ତାହା ତାକୁ ମୋଟେ ଜଣା ନାହିଁ । କିଛି ସମୟ ପରେ କିଏ ଜଣେ ତାକୁ ଉଠେଇ ନେଲେ ଦୁଇ ହାତରେ ।

–              “ତୁ ବହୁତ କାମ କଲୁଣି । ଏଥର ଆମେ ତତେ ସାହାଯ୍ୟ କରିବୁ ।” ଏ ସ୍ୱର ଯେ

ତା’ ଜେଜେ ବାପାଙ୍କର । ସେ ତାକୁ ନେଇ ଛାଇରେ ଶୁଆଇ ଦେଲେ ଓ ନିଜେ ବାଲ୍ଟି ନେଇ ଚାଲିରେ ପାଣି ପାଇଁ । ବାଲ୍ଟିଏ ପାଣି ଇଡି ଦେଇ ସେ ଯେତେବେଳେ ପୁଣି ଯାଉଥାନ୍ତି, ୱାକିଓର ମନ ହଉଥାଏ ପାଟି କରି କହିବାକୁ – ‘ଶୀଘ୍ର ଶୀଘ୍ର ଦୌଡ ଜେଜେ? କିନ୍ତୁ ତା’ ଜେଜେ ଯେ ବୁଢା ମଣିଷ । ଚାଲୁଥାନ୍ତି ଧୀରେ ଧୀରେ ।

                ଏହି ସମୟରେ ସେ ତା’ ବାପାଙ୍କ ପାଟି ଶୁଣିଲା ଓ ଗାଁ ବାଲାଏ ସମୁଦ୍ର ଆଡକୁ ଧାଇଁ ଆସୁଥିବାର ଦୃଶ୍ୟ ଦେଖି ପାରିଲା । ସେମାନେ ବାଲ୍ଟି, ଗରା, ମାଠିଆ, ଡେକ୍ଚି, ଯେ ଯାହା ପାଇଲା ଧରି ଦୌଡିଥାନ୍ତି । କେହି କେହି ତାଙ୍କ ଜାମା ପଟା ଖୋଲି ଓଦା କରି ତିମିର ତାତିଲା ପିଠି ଉପରେ ପକାଇ ଦେଲେଣି । ତା’ପରେ ପାଣି ଇଡା ଚାଲିଲା । ଅଳ୍ପ ସମୟ ପରେ ତିମି ପୂରା ଓଦା ହୋଇଗଲା ଲାଞ୍ଜରୁ ମୁଣ୍ଡ ପର୍ଯ୍ୟନ୍ତ ।

                ଧୀରେ ଧୀରେ ଜୁଆର ପାଣି ପାଖକୁ ପାଖ ମାଡି ଆସିବାକୁ ଲାଗିଲା । ଏଥର ତା’ର ମସ୍ତବଡ ଲାଞ୍ଜ ପାଖକୁ ପାଣି ଛୁଇଁଲାଣି । ଗାଁ ଲୋକେ ଦୌଡୁଥାନ୍ତି ପାଣି ପାଖରୁ ତିମି ପାଖକୁ । ପାଟି କରୁଥାନ୍ତି – ଚଂଚଳ ଚାଲ, ଚଂଚଳ ଚାଲ । ୱାକିଓ ଜାଣି ଗଲା ଯେ, ତିମି ଏଥର ନିଶ୍ଚୟ ବଂଚିଯିବ ।

                ତା’ବାପା ଆସି ତା’ପାଖରେ ଠିଆ ହେଲେ । ୱାକିଓ ତା’ ବାପାକୁ କହିଲା “ତୁମକୁ ବହୁତ ବହୁତ ଧନ୍ୟବାଦ ବାପା, ଠିକ୍ ସମୟରେ ଗାଁ ଲୋକଙ୍କୁ ନେଇ ଆସିଲ ଏଠିକି । ଯାହା ଦ୍ୱାରା କି ତିମି ବଂଚିଗଲା ।”

                ବାପା-“ହଁରେ, ତୁ ଆମର ବୁଦ୍ଧିଆ ପିଲାଟେ, ତା ସହିତ ବଳୁଆ ମଧ୍ୟ । କିନ୍ତୁ ଗୋଟେ ବିରାଟ ତିମିକୁ ରକ୍ଷା କରିବାକୁ କେତେ କେତେ ଲୋକଙ୍କ ହାତ ଲୋଡା ପାଣି ବୋହିବାକୁ । ତୁ କ’ଣ ଏସବୁ ଏକା ପାରନ୍ତୁ?”

                ୱାକିଓ ଦେଖୁଥାଏ – ଏଥର ପ୍ରତି ନୂଆ ଲହରୀ ଆସି ତା’ ଦେହରେ ବାଜିଲା ମାତ୍ରେ ତିମି ହଲଚଲ ହେଉଥାଏ । ହଠାତ୍ ଏକ ବଡ ଲହରୀ ତାକୁ ସେ ପଥରର ଫାନ୍ଦ ଭିତରୁ ହୁଗୁଳାଇ ଦେଲା । ଟିକେ ସମୟ ପାଇଁ ସେ ଚୁପ୍ ହୋଇ ରହିଗଲା ଓ ତା’ପରେ ଲାଞ୍ଜକୁ ଜୋର୍ରେ ହଲାଇ ହଲାଇ ସମୁଦ୍ର ଆଡକୁ ସେ ତିମି ପହଁରି ଗଲା । ଗାଁ ଲୋକେ ଚୁପ୍ ଚାପ୍ ଠିଆ ହୋଇଥାନ୍ତି ଓ ତିମିର ଚାଲିଯିବାର ଦୃଶ୍ୟକୁ ଦେଖୁଥାନ୍ତି । ତା’ପରେ ଫେରିପଡି ଗାଁ ଦିଗରେ ସମସ୍ତେ ଚାଲିବାକୁ ଲାଗିଲେ ।

                ରହିଗଲା କେବଳ ୱାକିଓ । ସେ ତ ତା’ ବାପାଙ୍କ କୋଳରେ ଶୋଇ ପଡିଥିଲା । ସେ ଯେ ହଜାରେ ବାଲ୍ଟି ପାଣି ବୋହିଚି । ତା’ର କ’ଣ ଆଉ ବଳ ଅଛି ଯେ ସେ ଚାଲନ୍ତା? (ଏକ ଜାପାନୀ ଲୋକକଥା ଉପରେ ଆଧାରିତ)


ଗପ ସାରଣୀ

ତାଲିକାଭୁକ୍ତ ଗପ