ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ହସରେ ହସରେ ଚାପୁଡା

ଏକଦା ଗଣକବି ତାଙ୍କର ଯାତ୍ରାଦଳ ସହିତ ମଧୁପୁରଗଡ ଯାଇଥାନ୍ତି ଯାତ୍ରା ପରିବେଷଣ କରିବା ପାଇଁ । ସେଠାକାର ରାଜା ଯାତ୍ରା ଦଳର ଖାଇବା ପିଇବା ଦାୟିତ୍ୱ ରାଜଦରବାରର ପେସ୍କାରଙ୍କ ଦାଦି ଗଙ୍ଗାଧର ମହାନ୍ତିଙ୍କୁ ଦେଇଥାନ୍ତି । ପ୍ରତିଦିନ ଭଣ୍ଡାରଘରୁ ରୋଷେଇ ଲାଗି ଚାଉଳ, ଡାଲି, ପନିପରିବା, ତେଲ ମସଲା ଆଦି ଦିଆଯାଇଥାଏ । ମାତ୍ର ଗଙ୍ଗାଧର ଯାହା ନିଜ ହାତରେ ଦେଉଥାନ୍ତି ତାହା ଯାତ୍ରା ଦଳର ପେଟପୂରା ହୁଏନି । କିନ୍ତୁ ଏହିକଥା ଗଣକବି ସିଧାସଳଖ ରାଜାଙ୍କୁ କହିବାର ସୁଯୋଗ ପାଇଲେ ନାହିଁ । ତେଣୁ ଏ ସମ୍ବନ୍ଧରେ ସେ ଗୀତଟିଏ ଲେଖି ଯାତ୍ରାରେ ଦରୱାନ ଭୂମିକାରେ ଅଭିନୟ କରୁଥିବା ଅଭିନେତା ମୁହଁରେ ବୋଲାଇଲେ । ସେ ଗୀତଟି ଥିଲା ଏହିପରି –

 “ମରିଗଲୁ ପେଟକଷ୍ଟ ସହିରେ

ଚାଉଳ ମିଳିଲେ ମିଳୁ ନାହିଁ ଡାଲିରେ

ଫାଳକରୁ ଅଧଫାଳେ କଖାରୁ ଆମ୍ଭ କପାଳେ

କେମନ୍ତ ବାଂଟି ଖାଇବୁ କହ ଷୋଳ ଭାଇରେ?

ସରଘର ଗଙ୍ଗାଧର କଲେ ଯେତେ ହରବର

ଯାହା ମାଗିଲୁ ବୋଲନ୍ତି ନାହିଁ ନାହିଁରେ ।”

                ରାଜା ନିଜେ ତ ଯାତ୍ରା ଦେଖୁଥିଲେ । ଏଇ ଗୀତଟି ଶୁଣି ତାଙ୍କୁ ବହୁତ ଲାଜ ଲାଗିଲା । କଥାଟା ସର୍ବସାଧାରଣ ଦର୍ଶକ ମଧ୍ୟରେ ପ୍ରଘଟ ହୋଇଯିବାରୁ ସମସ୍ତେ ଖାଲି ଟୁପରୁଟାପର ହେଲେ । ଗଙ୍ଗାଧରଙ୍କ ଉପରେ ରାଜା ବି ଭୀଷଣ ରାଗିଗଲେ । ତାଙ୍କୁ ସବୁଦିନ ଲାଗି ସରଘରୁ ନିଲମ୍ବନ କରିଦେଲେ ।

ତହୁଁ ଗଙ୍ଗାଧର ରାଗିଯାଇ ଯାତ୍ରାଦଳର ବିଦାୟ ବେଳାରେ ରାତିକୁ ଷୋହଳ ଟଙ୍କା ହିସାବରେ ଚାରି ରାତିକୁ ଚଉଷଠି ଟଙ୍କା ଦେବା ପରିବର୍ତ୍ତେ ରାତିକୁ ବାରଟଙ୍କା ହିସାବରେ ଅଠଚାଳିଶ ଟଙ୍କା ରାଜାଙ୍କଠାରୁ ମଞ୍ଜୁର କରାଇ ଗଣକବିଙ୍କୁ ଧରାଇ ଦେଲେ । ପୂର୍ବବର୍ଷ ତୁଳନାରେ ଏହି ଟଙ୍କା କମ୍ ଥିବାରୁ ଗଣକବି ତାହା ନେଲେ ନାହିଁ ।

ଏହି କଥାଟା ଏବେ ରାଜାଙ୍କ କାନକୁ ଗଲା । ରାଜା ସବୁ ଘଟଣା ଗଣକବିଙ୍କ ଠାରୁ ବୁଝିବାକୁ ଚାହିଁବାରୁ ସେ କହିଲେ, “ଛାମୁ! ଆପଣ ପୂର୍ବବର୍ଷର ରେକର୍ଡ ମଗାଇ ଦେଖନ୍ତୁ । ଆଗରୁ ତ ରାତିକପାଇଁ ଷୋଳଟଙ୍କା ନେଉଥିଲୁ, ଏବେ ବାରଟଙ୍କା ନେବୁ କିପରି?”

ଏବେ ରାଜା ପେସ୍କାରକୁ ଡକାଇ ଷୋଳଟଙ୍କା ହିସାବରେ ସମସ୍ତ ପାଉଣା ଦେଇ ସେ ଯାତ୍ରାଦଳକୁ ବିଦା କରି ଦେବାକୁ ଆଦେଶ ଦେଲେ । ହେଲେ ପେସ୍କାର ଗଣକବିଙ୍କୁ ଟଙ୍କା ଦେଲାବେଳେ ରାଗରେ କହିଲେ, “ତୁମେ ଯାତ୍ରାଦଳର ନାଟୁଆଗୁଡାକ କୁକୁର ।”

ଏହା ଶୁଣି ସେ ଯାତ୍ରାଦଳର ଦଳପତି ବୈଷ୍ଣବପାଣି କହିଲେ, “ହଁ, ଆମେ ତ କୁକୁର ଦଳ ତୁମ୍ଭଙ୍କୁ କାମୁଡି ପକାଇଲୁ, ହେଲେ ତୁମ୍ଭେ ମଣିଷ ହୋଇ ଆମ୍ଭଙ୍କୁ କାମୁଡିଲ କିପରି?”

ଏହି ଘଟଣାରେ କ୍ଷୁବ୍ଧ ହୋଇ ପେସ୍କାରଙ୍କ ନେତୃତ୍ୱରେ ଅମଲାମାନେ ଠିକ୍ କଲେ ଯେ, ଏହି ଯାତ୍ରାଦଳକୁ ଭବିଷ୍ୟତରେ ଆଉ କେବେବି ମଧ୍ୟ ଆଣିବେ ନାହିଁ । ଆଉ ରାଜା ପଚାରିଲେ କୁହାଯିବ ଯେ, ଯାତ୍ରାଦଳର ଦଳପତି ମରିଗଲେଣି ।

ଏକଥା ରାଜମହଲରେ ପ୍ରଚାର ହୋଇଗଲା । ତୁଣ୍ଡବାଇଦ ସହସ୍ର କୋଶ ଭଳି ରାଜ୍ୟ ସାରା ଖବରଟା ଖେଳେଇଗଲା । ସୁତରାଂ ଏହି ଖବର ଶେଷରେ ଯାଇ ବୈଷ୍ଣବ ପାଣିଙ୍କ କାନରେ ବି ଯାଇ ପଡିଲା ।

ତହିଁ ପରବର୍ଷ କେହି ନ ଡାକିଲେ ମଧ୍ୟ ଯାତ୍ରା ଦଳ ଧରି ଗଣକବି ରାଜବାଟୀରେ ଯାଇ ଉପସ୍ଥିତ ହୋଇଗଲେ ।

ତା’ପରେ ରାଣୀସାହେବା ଗଣକବିଙ୍କୁ ସଶରୀରେ ଦେଖି ପଚାରିଲେ, “ଆପଣ ବଂଚି ଥାଉ ଥାଉ ଆପଣଙ୍କର ମଲା ଖବର ପ୍ରଚାର ହେଲା କେମିତି?”

ରାଣୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗଣକବି ସବୁକଥା ଖୋଲି କହିଦେବାରୁ ରାଣୀ ହସି ହସି ବେଦମ୍ ହୋଇଗଲେ ।

ଲୋକଚରିତ୍ର ଫୁଟାଇବାରେ ସେହି ସୁଦକ୍ଷ ଦଳପତି ଓ ଅତୁଳନୀୟ କଳାକାର ଗଣକବି ବୈଷ୍ଣବପାଣି ଆଜି ମରି ବି ଅମର ହୋଇଯାଇଛନ୍ତି । ତାଙ୍କର ପ୍ରତ୍ୟେକ କଥାଗୁଡିକ ଯେପରି ହସରେ ହସରେ ଚାପୁଡା ଭଳି ଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ