ଶିବପୁର ଓ ସ୍ୱର୍ଣ୍ଣପୁର ନାମରେ ଦୁଇଟି ପଡୋଶୀ ରାଜ୍ୟ ଥିଲା । କିନ୍ତୁ ପ୍ରାୟ ତିନି ଚାରି ପୀଢି ଧରି ସେ ଦୁଇରାଜ୍ୟ ମଧ୍ୟରେ ଶତୃତା ଲାଗି ରହିଥିଲା । ସେ ଦୁଇ ରାଜ୍ୟର ଅର୍ଥ-ଶକ୍ତି ସେନା-ଶକ୍ତି ପ୍ରାୟ ସମାନ; ତେଣୁ ସେମାନଙ୍କ ମଧ୍ୟରୁ କେହି ବି କାହାକୁ ଜିଣିପାରୁ ନଥିଲେ ।
କିଛିଦିନ ପରେ ଧୀରେ ଧୀରେ ସ୍ୱର୍ଣ୍ଣପୁରୀର ସେନାବଳ କମ୍ ହୋଇଗଲା । ସେତେବେଳେ ସେଠାକାର ରାଜା ବିଷ୍ଣୁସେନ ନିଜ ରାଜ୍ୟର ରକ୍ଷା ପାଇଁ ଖୁବ୍ ଚିନ୍ତିତ ହୋଇ ପଡିଲେ । ଶିବପୁରୀର ରାଜା ଶିବସେନଙ୍କର ଗୋଟିଏ ମାତ୍ର ପୁତ୍ର ଥାଏ । ତା’ର ତ ଯୁବକ ବୟସ । ବିଷ୍ଣୁସେନଙ୍କର ମଧ୍ୟ ରତ୍ନା ନାମରେ ଅତୀବ ସୁନ୍ଦରୀ ଝିଅଟିଏ ଥାଏ । ତେଣୁ ସେ ଭାବିଲେ ଯୁଦ୍ଧ ହେବା ପୂର୍ବରୁ ଯଦି ଦୁଇରାଜ୍ୟ ମଧ୍ୟରେ ବିବାହ ସମ୍ବନ୍ଧ ସ୍ଥାପନା ହୋଇପାରେ ତ ବହୁତ ଭଲ ।
ଏହି ଇଚ୍ଛା ପ୍ରକଟ କରି ବିଷ୍ଣୁସେନ ଚିଠିଟିଏ ଲେଖି ଦୂତ ହାତରେ ତାହା ପଠାଇଦେଲେ । ଏଣେ ଶିବସେନଙ୍କ ପୁଅ ବିଜୟ ବି ପୂର୍ବରୁ ରତ୍ନାଙ୍କର ସୌନ୍ଦର୍ଯ୍ୟ ବିଷୟରେ ଶୁଣିଥିଲେ ଓ ତାଙ୍କୁ ହିଁ ବିବାହ କରିବାକୁ ଚାହୁଁଥିଲେ । ତେଣୁ ଶିବସେନ କିଛି ବି ନଭାବି ଏ ପ୍ରସ୍ତାବରେ ରାଜି ହୋଇଗଲେ ।
ଏ ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ କିଛି ବିଚାର ଆଲୋଚନା ଆବଶ୍ୟକ । ସେଥିପାଇଁ ଶିବସେନ ଗୋଟାଏ ବଡ ଭୋଜିର ଆୟୋଜନ କରି ବିଷ୍ଣୁସେନ ତଥା ତାଙ୍କ ରାଣୀ ଜୟନ୍ତୀ ଦେବୀ ଓ ରାଜକୁମାରୀ ରତ୍ନାଙ୍କୁ ଶିବପୁରକୁ ନମନ୍ତ୍ରଣ କଲେ ।
ଭୋଜିରେ ନିମନ୍ତ୍ରିତ ଭଦ୍ରବ୍ୟକ୍ତିମାନଙ୍କ ଚର୍ଚ୍ଚା କରୁଥିବା ସମୟରେ ପରିଚାରିକା ମାଳତୀ ମିଷ୍ଟାନ୍ନ ବାଢୁ ବାଢୁ ହଠାତ୍ ଖିଲ୍ ଖିଲ୍ କରି ହସି ଉଠିଲା । ଫଳରେ ସମସ୍ତେ ଚମକି ପଡିଲେ । କିନ୍ତୁ ପ୍ରତ୍ୟେକ ବ୍ୟକ୍ତିର ଚମକିବାର ଭିନ୍ନ କାରଣ ଥିଲା ।
ମାଳତୀ ଯେମିତି ଦେଖିଲା, ତା’ ହସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି, ସେ ଲାଜ କରି ମୁହଁରେ ଲୁଗା ଦେଲା, କିନ୍ତୁ ହସ ରୋକିପାରିଲା ନାହିଁ । ସେ ଅନ୍ତରାଳକୁ ପଳାଇଗଲା ।
ଶିବସେନ୍ ଭାବିଲେ ସେ ରାଣୀଙ୍କ ସହିତ ବାହାଘର ଯୌତୁକ ବିଷୟରେ ଆଲୋଚନା କରୁଥିବାର ମାଳତୀ ଶୁଣିଛି । ହୁଏତ ମାଳତୀ ଭାବିଥିବ ଯେ ଏତେ ବଡ ରାଜା ହୋଇ ପୁଣି ପୁଅ ବାହାଘରରେ ଧନ ଦାବୀ କରିବାକୁ ଚାହୁଁଛି! ସେଥିପାଇଁ ସେ ହସିଲା । ଅବଶ୍ୟ ସେ ଯୌତୁକ ବିଷୟ ସିଧାସଳଖ ମୋତେ କହି ନାହାଁନ୍ତି, କିନ୍ତୁ ସେ ଦିଗରେ ଖାଲି ଇଙ୍ଗିତ ଦେଇଛନ୍ତି ଏବଂ ସେ ଇଙ୍ଗିତ କେବଳ କନ୍ୟାପକ୍ଷ ହିଁ ବୁଝନ୍ତୁ ବୋଲି ଉଦ୍ଧେଶ୍ୟ ରଖି ଦେଇଛନ୍ତି । ଶିବସେନ୍ଙ୍କ ପତ୍ନୀ ରାଣୀ ଶାରଦା ଦେବୀ କଥାବାର୍ତ୍ତାରେ ଏତେ ଚତୁର ନୁହଁନ୍ତି ବୋଲି ନିଜକୁ ସେ ଦୂରେଇ ରଖୁଥିଲେ । ସେ ଭାବିଲେ ହୁଏତ ମାଳତୀ ଏକଥା ଜାଣିପାରି ହସୁଛି । ବିଷ୍ଣୁସେନ୍ ଭାବିଲେ ଯୁଦ୍ଧ ଭୟରେ ସିଏ ତାଙ୍କ ଝିଅର ବିବାହ ପ୍ରସ୍ତାବ ଦେଉଛନ୍ତି ଭାବି ମାଳତୀ ଆଉ ହସିଲା କି? କଥାଟି ଅବଶ୍ୟ ସତ, ଅନ୍ତତଃ ଆଂଶିକ ସତ, କିନ୍ତୁ ସେକଥା ଲୁଚାଇବାକୁ ସେ ପ୍ରାଣପଣେ ଚେଷ୍ଟା କରିଛନ୍ତି । ପ୍ରତିବେଶୀ ରାଜ୍ୟ ସହ ବନ୍ଧୁତାହିଁ ତାଙ୍କର ଏକମାତ୍ର କାମ୍ୟ, ସେ ଜଣେ ଅତ୍ୟନ୍ତ ଶାନ୍ତିପ୍ରିୟ ରାଜା, ସେ ଏହିକଥା ଦୂତ ଓ ଭାଟମାନଙ୍କ ଜରିଆରେ ପ୍ରଚାର କରିଛନ୍ତି । ପୁଣି ତାଙ୍କ ସ୍ତ୍ରୀ ରାଣୀ ଜୟନ୍ତୀ ଦେବୀ ଭାବିଲେ ତାଙ୍କ ବାଳ ଧଳା ହୋଇ ଗଲାଣି ବୋଲି ସେ ତାକୁ ଲୁଚାଇଛନ୍ତି । ବୋଧେ ସେଇଟା ଦେଖି ମାଳତୀ ହସି ଦେଲା ।
ତେବେ ଧଳା ବାଳକୁ କଳା କରି ତାହା ମୋଟେ ଧଳା ହୋଇନାହିଁ ବୋଲି ପ୍ରମାଣ କରିବା ଦିଗରେ ସେ ତାଙ୍କ ରାଜ୍ୟର ସବୁଠାରୁ ଦକ୍ଷ ବୈଦ୍ୟଙ୍କ ସାହାଯ୍ୟ ନେଇଥିଲେ । ସେ ଦିଗରେ ସେ ପ୍ରଚୁର ଟଙ୍କା ବି ଖର୍ଚ୍ଚ କରିଥିଲେ । ତଥାପି ମାଳତୀ କିପରି ବୁଝିଦେଲା? ସମସ୍ତେ ମାଳତୀର ହସର କାରଣ ଜାଣିବାକୁ ବ୍ୟାକୁଳ ।
ଏଣେ ରାଜକୁମାରୀ ଚୁପ୍ଚାପ୍ ବିଜୟଙ୍କୁ ଦେଖୁଥା’ନ୍ତି, ସିଏ ଭାବିଲେ ସେ ବୋଧେ ମାଳତୀ ଆଖିରେ ଧରା ପଡିଗଲେ । ସେ ବିଚାରା ତାଙ୍କ ମୁହଁ ଅନ୍ୟ ପଟକୁ ବୁଲାଇ ଦେଲେ । ରାଜକୁମାର ବିଜୟ ରାଜକୁମାରୀଙ୍କ ସହିତ ଏକାନ୍ତରେ ଟିକିଏ କଥା ହେବେ ବୋଲି ତାଙ୍କ ମିତ୍ର ହାତରେ ଖବର ପଠାଇଥିଲେ ସେ ଭାବିଲେ ଏକଥା ଆଉ ମାଳତୀ ଜାଣିପାରି ହସିଲା କି?
ରାଜା ଶିବସେନଙ୍କ ମନ୍ତ୍ରୀ ସୁଧର୍ମ ଖୁବ୍ ସୂକ୍ଷ୍ମବୁଦ୍ଧିସଂପନ୍ନ । ସେ ସବୁ କିଛି ଦେଖିନେଲେ ଓ ପରେ ମାଳତୀକୁ ପାଖକୁ ଡାକି ହସର କାରଣ ପଚାରିଲେ । ସମସ୍ତିଙ୍କ ସାମ୍ନାରେ ମାଳତୀ ଆସି ଆହୁରି ହସି ହସି କହିଲା, “ମୁଁ ମୋ ସ୍ୱାମୀର ଭୁଲାପଣରେ ହସୁଥିଲି । ମୁଁ ତାଙ୍କୁ ନୂଆ ଚୁଡି କିଛି କିଣି ଆଣିବାକୁ କହିଥିଲି । ସେ ସବୁକଥା ଭୁଲିଯାଏ । ସେଥିପାଇଁ ମୁଁ ତା’ ହାତରେ ମୋ ପୁରୁଣା ଚୁଡିରୁ କିଛି ପିନ୍ଧେଇ ଦେଇଥିଲି । ସେ ଚୁଡି ଆଣିବାକୁ ତ ଭୁଲିଗଲା ପୁଣି ହାତରେ ସେମିତି ଚୁଡି ରଖି ଅନ୍ତଃପୁରରେ ପହରା ଦେବାକୁ ଆସିଛି । ସେଇଆ ଦେଖି ମୁଁ ହସୁଥିଲି ।”
ତା’ପରେ ମାଳତୀର ସ୍ୱାମୀ ମଲ୍ଲବର୍ମା ହାତରେ ଚୁଡି ଦେଖି ସମସ୍ତେ ମାଳତୀ ହସର କାରଣ ଠିକ୍ ବୁଝିଗଲେ । ସମସ୍ତେ ନିଜ ନିଜ ଦୃଷ୍ଟି ମଲ୍ଲବର୍ମା ଉପରେ ନିବଧ ରଖିବାର ଦେଖି ମଲ୍ଲବର୍ମା ଶଙ୍କିଗଲା । ଏଥିରୁ ସେ କିଛି ବି ବୁଝି ନପାରି ମାଳତୀ ଆଡେ ବଲବଲ୍ କରି ଅନାଇଲା । ସେଥିରେ ସମସ୍ତଙ୍କ ଆମୋଦ ଆହୁରି ବଢିଗଲା । ସମସ୍ତିଙ୍କ ମନରେ ଯେଉଁ ବ୍ୟଗ୍ରତା, ବ୍ୟାକୁଳତା ବା ଶଙ୍କା ଥିଲା ସବୁ ଦୂର ହୋଇଗଲା । ପରିଶେଷରେ ସମସ୍ତେ ଏକ ସାଙ୍ଗରେ ହସିବାକୁ ଲାଗିଲେ ।