ଚାରିଆଡେ ଶାଳ ବଣ । ମଝିରେ ଗୋଟିଏ ବିରାଟ ବଡ ପାହାଡ । ନିଧୁମୁ ଖରା ବେଳେ ମଧ୍ୟ ଜଙ୍ଗଲ ଭିତରେ ସୂର୍ଯ୍ୟ ରଶ୍ମି ପଡିବା ବିରଳ । ସେହି ପାହାଡଟି ମଧ୍ୟ କଂଟା ଝଂଟା ଗଛର ଡାଳ ଛନ୍ଦା ଛନ୍ଦିରେ ଆବଦ୍ଧ । ପାହାଡ ଦେହରୁ ସାପ ଲମ୍ବିଲା ପରି ଝରଣା ଟାଏ କୁଳୁ କୁଳୁ ହୋଇ ତଳକୁ ଆସି ବହି ଯାଇଛି । କାହିଁ କେତେ ଦୂରକୁ । ସେ ଜଙ୍ଗଲ ମଧ୍ୟରେ ଭର୍ତ୍ତି ହୋଇଛନ୍ତି ଜଙ୍ଗଲି ଜନ୍ତୁ ଅନେକ । ଗଛ ଦେହରୁ ଅଜଗର ସାପ ଲମ୍ବି ଆସି କେତେବେଳେ କେଉଁ ଜଙ୍ଗଲି ଜନ୍ତୁକୁ ନେଇ ଗିଳି ଦିଏ । ସେହି ପାହାଡରେ ଗୋଟେ ଗହ୍ୱର ଅଛି । ତା ମଧ୍ୟରେ ବିରାଜ ମାନ କରିଛି ହାଡ ଗିଳା ଭୂତ । ସେ ଗୁମ୍ଫା ମଧ୍ୟରେ ହାଡ ଗିଳା ଭୂତ ହାଡକୁ କଡ ମଡ କରି ଚୋବାଉ ଥାଏ । ହାଡର ଅଭାବ ହେଲେ ସେ କେତେବେଳେ କେଉଁ କାଣ୍ଡ କରି ବସେ । ବେଳେ ବେଳେ ହାଡକୁ ହାଡ ବାଡେଇ ଉଦଣ୍ଡ ନୃତ୍ୟ ମଧ୍ୟ ସେ କରେ ।
ଥରେ ହାଡ ଗିଳା ଭୂତର ରହୁଥିବା ବାଟ ଦେଇ ସର୍ବ ଗିଳା ଭୂତ ଯାଉ ଥିଲା । କଡ ମଡ ଶବ୍ଦ ଶୁଣି ସେ ସର୍ବ ଗିଳା ଭୂତ ସେହି ଗୁମ୍ଫା ମଧ୍ୟରେ ପ୍ରବେଶ କଲା । ହାଡ ଗିଳା ଭୂତ ତା ଘରେ ଯୋର ଜବରଦସ୍ତ ଆଉ ଗୋଟିଏ ଭୂତ ପ୍ରବେଶ କରିବାର ଦେଖିକି ଆଉ ସମ୍ଭାଳେ । ସେ ଗୋଟାଏ ହାଡ ଧରି ମାଡି ଆସିଲା । ସର୍ବ ଗିଳା ଭୂତ କି ଛାଡିବାର ଅଟେ । ସେ ମଧ୍ୟ ଆଉ ଗୋଟାଏ ହାଡ ଧରି ଡେଇଁ ପଡିଲା । ଚାଲିଲା ଦୁହିଁଙ୍କ ମଧ୍ୟରେ ଘମାଘୋଟ ଯୁଦ୍ଧ । ହାଡକୁ ହାଡ ମାଡ ହୋଇ ଖାଲି ଯାହା ନିଆଁ ବାହାରିଲା । ହାଡ ଗୁଡାକ ଗଣ୍ଡ ହୋଇ ଚାରି ଆଡେ ପଡୁ ଥାଏ । ତା ପରେ ଦୁହେଁ ଦୁଇଟା କଙ୍କାଳ ହୋଇ ନିଜ ଓ ଗୋଡ ହାଡରେ ଯୁଦ୍ଧ ଚାଲିଲା । ନିଜ ଖପୁରୀ କାଢି ତା ଦେହରେ ଯୁଦ୍ଧ । ନ ଦେଖିବା ଲୋକ ଦେଖିଲେ ଏ ଯୁଦ୍ଧ ଭେଟଣା ହେବାଟା ସାରା । ଗୁମ୍ଫା ଭିତରେ ଥିବା ଲଟା ଗଛ ସବୁ ୟାଙ୍କ ଯୁଦ୍ଧ ଯାହା ଦେଖୁ ଥିଲେ ।
ସେ ବାଟ ଦେଇ ଯାଉ ଥିଲା ଜଣେ କାପାଳିକ । ସେ କେତେ ଭୂତଙ୍କୁ ବନ୍ଦୀ କରି ରଖିଛି । ସେ ତା ମନ୍ତ୍ର ବଳରେ କେତେକ ଭୂତଙ୍କୁ ତା ସ୍ୱାର୍ଥରେ ଲଗାଇଛି । କହାକୁ ହାଡ ଗୋଟାଇବାରେ ତ କାହାକୁ ପାଣି ଆଣିବାରେ । କାହାକୁ ଚୋରି କରିବାରେ ତ କାହାକୁ ପୁଣି ଘରର ସବୁ ଜିନିଷ ସଫା କରିବାରେ । କାପାଳିକର ବିରାଟ ଜଟା । ମୋଡି ମୋଡି ମୁଣ୍ଡରେ ଗୁଡାଇଛି । ହାତରେ ତାର ପୁଣି ଅଛି ତ୍ରିଶୂଳ । ଦାଢୀ ଲମ୍ବିଛି ଯେ ପେଟ ପର୍ଯ୍ୟନ୍ତ । ସେ ପିନ୍ଧିଛି ଖଣ୍ଡେ ଲେଙ୍ଗଟା । ସାରା ଦେହରେ କେବଳ ଭଷ୍ମ ବୋଳି ହୋଇଛି । ସେ ପୁଣି ମଲା ମଣିଷ ପୋଡା ହେଉ ଥିବା ଚୁଲିର ଭଷ୍ମ । କପାଳରେ ଲାଗି ଥିବା ତିଳକ ମଧ୍ୟରେ ସିନ୍ଦୂରର ଏକ ବିରାଟ ତ୍ରିଶୂଳ ଚିହ୍ନ । ଜଙ୍ଗଲରେ ଯାଉ ଯାଉ ସେ ତା ମନ୍ତ୍ର ଶକ୍ତି ବଳରେ ଜାଣି ପାରିଲାଯେ ଏହି ଭୂତ ଦୁହିଁଙ୍କର ଯୁଦ୍ଧ ବିଷୟ । କାରଣ କୁକୁର ଯେପରି ତା ଘ୍ରାଣଶକ୍ତି ବଳରେ କେଉଁଠି କ’ଣ ଅଛି ଜାଣି ପାରେ । କାପାଳିକ ମଧ୍ୟ ଠିକ୍ ସେମିତି ଅତୃପ୍ତ ଆତ୍ମା ଓ ଭୂତ, ପ୍ରେତ, ଚିରୁଗୁଣୀ ମାନଙ୍କୁ ଜାଣି ପାରେ ।