କାପାଳିକ ଏଥର ସେହି ପାହାଡ ପାଖ ଗୋଟେ ବିରାଟ ପଥର ଉପରେ ବସି ପଡି କ’ଣ ଗୁଡାଏ ମନ୍ତ୍ର ପାଠ କଲା । ତ୍ରିଶୂଳକୁ ବାରମ୍ବାର ହଲାଇ ଶେଷକୁ ସେ ଛାଡି ଦେଲା । ଏଥର ତ୍ରିଶୂଳଟା ସଁ ସଁ ଶବ୍ଦ କରି ଆଗେଇ ଚାଲିଲା । ଆଗକୁ ଭୂତର ଗୁମ୍ଫା ମଧ୍ୟରେ ପ୍ରବେଶ କରି ଭୂତ ଦୁଇଟାଙ୍କ ମଝିରେ ରହି ଗଲା । ଭୂତ ଦୁଇଟା ଯେମିତି ସେହି ତ୍ରିଶୂଳକୁ ଧରିଛନ୍ତି ସେମିତି ସେମାନେ ସଙ୍ଗେ ସଙ୍ଗେ ଚୁମ୍ବକ ପରି ଲାଖି ଗଲେ ତ୍ରିଶୂଳରେ । ତ୍ରିଶୂଳ ଭୂତ ଦୁଇଟାଙ୍କୁ ଧରି ପୁଣି ଉଡି ଉଡି ସେହି କାପାଳିକ ପାଖରେ ଯାଇ ପହଁଚିଲା । କାପାଳିକ ତ୍ରିଶୂଳଟାକୁ ଧରି ଅଟହାସ୍ୟ କଲା । ଏଥର ଭୂତ ଦ୍ୱୟ ଜାଣି ପାରିଲେ ସେମାନେ ଏବେ ବନ୍ଦୀ । ବିନୟ ହୋଇ ବହୁତ ଅନୁରୋଧ ସେହି କାପାଳିକଙ୍କୁ କଲେ । କାପାଳିକ ସେହି ସମୟରେ କେବଳ ଅଟହାସ୍ୟ କରୁ ଥିଲା । କାପାଳିକର ଅଟହାସ୍ୟରେ ଜଙ୍ଗଲ ଥରି ଉଠୁ ଥିଲା । ଅଜଗର ଯାଇ ଗଛରେ ଲୁଚିଲା । ହିଂସ୍ର ଜନ୍ତୁ ମାନେ ଯାଇ ନିଜ ନିଜ ରହୁଥିବା ସ୍ଥାନରେ ଲୁଚି ପଡିଲେ ।
ଏଥର କାପାଳିକ ସେହି ଜଙ୍ଗଲର ଗଭୀର ଅଂଚଳକୁ ମନ୍ତ୍ର ବଳରେ ଗଛ ଉପରେ ବସି ଉଡିବାକୁ ଲାଗିଲା । ସେ ଯାଇ ଯେଉଁଠି ଅଟକିଲା ସେଇଟା ଥିଲା ଗୋଟାଏ ଘର । ଚାରି ଆଡେ କେବଳ ଗଛ । ସେ ଘରଟା ସଂପୂର୍ଣ୍ଣ ଥିଲା ହାଡରେ ତିଆରି । ମଣିଷ ହାଡକୁ ଏପରି କାରୁ କାର୍ଯ୍ୟରେ ଖଞ୍ଜା ଯାଇ ଥିଲାଯେ ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ । ମଣିଷ ଖପୁରୀ ଗୁଡାକ ଘରର ଶୋଭା ବଢାଉ ଥିଲା କାନ୍ଥରେ ଲଗା ଯାଇ । ହାଡର ଚଉକି, ହାଡର ଟେବୁଲ୍ । ମଣିଷ ଖପୁରୀରେ ପାଣି ଭର୍ତ୍ତି ହୋଇ ଥୁଆ ଯାଇ ଥାଏ । ଟେବୁଲ୍ ଉପରେ ମଣିଷ ଖପୁରୀର ବାସନରେ ଫଳ ମୂଳ ସବୁ ସଜ୍ଜା ଯାଇ ଥିଲା । କାପାଳିକ ମନ୍ତ୍ର ବୋଲିବା କ୍ଷଣି ସେହି ହାଡର କବାଟ ଖୋଲି ଗଲା । ଭୂତ ମାନେ ଜଙ୍ଗଲି ଫୁଲ ଧରି କାପାଳିକଙ୍କୁ ସ୍ୱାଗତ କଲେ । କାପାଳିକ ଏ ଦୁଇଟା ଭୂତକୁ ପରିଚୟ କରାଇ ତାଙ୍କ ସାଥିରେ ଛାଡି ଗଲେ । କାପାଳିକ ଯାଇ ଚ୍ୟାରରେ ବସି ଖପୁରୀରେ ଥିବା ପାଣି ଗୁଡାକୁ ମୁହଁରେ ଲଗାଇ ଚଁ ଚଁ କରି ପିଇ ଗଲେ । ଫଳ ଗୁଡାକ ଅସୁର ପରି ଖାଇ ଯାଇ ହାଡ ଖଟରେ ବିଶ୍ରାମ ନେଲେ ।
କେତେକ ଭୂତ ଯାଇ କାପାଳିକର ଗୋଡ ଦେହ ମୋଡା ମୋଡି କରି ମାଲିସ୍ କଲେ । ହାଡ ଗିଳା ଓ ସର୍ବ ଗିଳା ଏସବୁ ଦେଖି ଖୁବ୍ ଛାନିଆ ହୋଇ ଗଲେ । ସେମାନେ ଜାଣି ପାରିଲେ ଏ ହାଡ ଘରେ ଯିଏ ପଶିଛି ସେ ବାହାରିବା ବହୁତ କଷ୍ଟ । କ’ଣ ବା କରିବେ କେତେ ଦିନ ସେମାନେ ସେହି କାପାଳିକର ସେବା କଲେ । ସେହି ହାଡ ଗିଳା ଭୂତ ଆଗରେ ହାଡର ଘରଟା ତା ପାଟିରୁ କେବଳ ଲାଳ ଗଡୁ ଥାଏ ହେଲେ ସେ କ’ଣ ବା କରିବ । ତଥାପି ଲୁଚି ଲୁଚି କଙ୍କାଳ କେତେଟାକୁ ସେ ସଫା କଲେଣି । ଯଦି କାପାଳିକ ଏ କଥା ଜାଣି ପାରିବ । ତେବେ ସେମାନଙ୍କୁ ନିଆଁରେ ପୋଡି ତାଙ୍କୁ ସଂପୂର୍ଣ୍ଣ ଧ୍ୱଂସ କରି ଦେବ । ଏହି ସମୟରେ ହାଡ ଗିଳା ମୁଣ୍ଡରେ ଗୋଟାଏ ବୁଦ୍ଧି ପଶିଲା । ସେ ସବୁ ଭୂତଙ୍କୁ ଡାକି ଏକାଠି କରି ଏକ ମେଳି କଲା । କହିଲା ସମସ୍ତଙ୍କୁ ସେ ଉଦ୍ଧାର କରିବ । ସେମାନେ କହିଲେ କିପରି? ଏ ହାଡରୁ ଯଦି ଖଣ୍ଡିଏ ଥାଏ ବି ତେବେ ତା ମନ୍ତ୍ର ଶକ୍ତି ଆମକୁ ଜମା ଛାଡି ବନି । ହାଡ ଗିଳା କହିଲା ମୁଁ ନିମିଷକେ ସବୁ ଗିଳି ଦେବି । ତା ପରେ ସମସ୍ତେ ଏଠାରୁ ପଳେଇ ଯିବା । ସମସ୍ତେ ଖୁସି ହେଲେ । ଅପେକ୍ଷା କଲେ କାପାଳିକ କେତେବେଳେ ବାହାରକୁ ଯିବ ।
ସେ ସୁଯୋଗ ମଧ୍ୟ ଆସିଲା । ହାଡ ଗିଳା ଏଥର ତା କରାମତି ଦେଖାଇଲା । କାପାଳିକ ବାହାରି ଯିବା ସମୟରେ ମନ୍ତ୍ର ଶକ୍ତି ଦ୍ୱାରା ତାର ସେହି ହାଡର ଦ୍ୱାର ବନ୍ଦ କରି ଦେଇ ଚାଲି ଗଲେ । ଏହି ସମୟରେ ହାଡ ଗିଳା ସବୁ ହାଡକୁ ନିମିଷକେ ଖାଇ ସଫା କରି ଦେଲା । ସବୁ ଭୂତ ଏଥର ମୁକ୍ତି ପାଇ ଚାଲି ଗଲେ । କାପାଳିକ ଫେରି ତା ମନ୍ତ୍ର ବଳରେ ସବୁ ଜାଣି ପାରିଲା ଗୋଟାଏ ବାର ବର୍ଷର ବାଳକକୁ ବଳୀ ଦେଇ ତା ରକ୍ତରେ ସ୍ନାନ କଲେ ପୁନଃ ସେ ଭୂତ ମାନେ ବନ୍ଦୀ ହୋଇ ଫେରି ଆସିବେ ତା ପାଖକୁ । ସେ ଭୂତ ମାନଙ୍କ ଠାରୁ ଉଚିତ୍ ପ୍ରତିଶୋଧ ନେବ । ତାଙ୍କୁ ସବୁ ଜାଳି ସେ ସଫା କରି ଦେବ । ସେ ଆସିଲା ଓ ପ୍ରତି ଗ୍ରାମକୁ ଗ୍ରାମ ବୁଲିଲା । ଦୀପକ ଅତି ସୁନ୍ଦର ବାଳକ । ତାକୁ ଦେଖି କାପାଳିକ ଫୁସୁଲାଇ, ଚକଲେଟ୍ ଲୋଭ ଦେଖାଇ ତାକୁ ନିଜର ବସ କରି ଦେଲା ।
କାପାଳିକ ତାକୁ ନେଇ ଜଙ୍ଗଲର ସେହି ହାଡ ଘର ଥିବା ପଥର ଉପରେ ସୁଆଇ ଦେଲା । ଝୁଲାରୁ ଗୋଟାଏ କଟୁରୀ କାଢିଲା । କଟୁରୀକୁ ପଥରରେ ଆହୁରି ଘସିଲା । ଦୀପକ୍ ମୁହଁରେ ପାଣି ମାରି ତାକୁ ଉଠାଇଲା । କାପାଳିକ କହିଲା ତୋତେ ମୁଁ ଆଜି ଏଇଠି ହିଁ ବଳୀ ଦେବି । ସେତେ ବେଳକୁ ଦୀପକର ହାତ ଗୋଡ ବନ୍ଧା ହୋଇ ଥାଏ । ତାର ଉଠିବାର ଶକ୍ତି ମଧ୍ୟ ନଥାଏ । କଟୁରୀ ଉଠାଇ କାପାଳିକ ମନ୍ତ୍ର ଉଚ୍ଚାରଣ କରି ଯେତେ ବେଳେ ଦୀପକର ବେକ ପାଖକୁ ଆଣିଲା ।
ହଠାତ୍ ଚିତ୍କାର କଲା ଦୀପକ । ହାତ ତା’ର ବେକ ପାଖକୁ ଆସି ଗଲା ।
ମତେ ମାରନି… !
ମତେ ମାରନି… !!
ମତେ ମାରନି … !!!
ଖୁବ୍ ବିକଳରେ ଆଉ ଜୋର୍ରେ ଦୀପକ ପାଟି କଲା । ତା ପାଟି ଶୁଣି ତା ବାପା ବୋଉ ଓ ତା ପରିବାରରେ ଅନ୍ୟ ମାନେ ଆସି ତା ପାଖରେ ପହଁଚି ଗଲେ । ତାକୁ ହଲାଇ ଦେଇ ସାଷ୍ଟାଙ୍ଗ କଲେ । ଦୀପକ ଦେଖିଲା ସେ ଘରେ ଅଛି ଆଉ ତା ବେଡ୍ ଉପରେ ଶୋଇଛି । ସେଠାରେ କାପାଳିକ ନାହିଁ କି ସେ ଭୂତ ବି ନାହିଁ, କି ସେ ଜଙ୍ଗଲ ମଧ୍ୟ ନାହିଁ । ସବୁ କଥା ସେ ତା ବୋଉକୁ କହିଲା । ତା’ ବୋଉ କହିଲା – ସବୁ ବେଳେ ତୁ ସେ ଭୂତ କଥା ଭାବି ଭାବି ଏମିତି ହେଉଛୁ । ପ୍ରକୃତରେ ଭୂତ ଫୁତ କିଛି ନାହିଁ । ଏ ସବୁ ତୋ ମନର ଭୂତ । ଦୀପକ ମନ ଦୁଃଖରେ ଚୁପ୍ ରହିଲା । ସେହି ଦିନଠୁ ସେ ମନେ ମନେ ଶପଥ ନେଲା ଯେ କୌଣସି ଅଚିହ୍ନା ଲୋକ ଠାରୁ ସେ କେବେବି ଖାଇବା ଜିନିଷ ଗ୍ରହଣ କରିବ ନାହିଁ । ମନ ମଧ୍ୟରୁ ସବୁ ବେଳେ ଭାବୁ ଥିବା ଭୂତ କଥାକୁ ସେ ଦୂରେଇ ଦେବ । ଲାଲୁ ଅଜା ପାଖକୁ ସେ ଆଉ କେବେବି ଭୂତ କଥା ଶୁଣିବାକୁ ଯିବ ନାହିଁ । ସେ କଥା ଗୁଡାକ ଶୁଣି ଶୁଣି ଆଜି ସେ ଏକ ଭୂତ ସ୍ୱପ୍ନ ଦେଖିଲା । ଏଥର ମୁହଁ ହାତ ଧୋଇ ସେ ଖେଳିବାକୁ ଚାଲି ଗଲା ।