ଭାରତର ଭଦ୍ରପୁର ନାମକ ଗୋଟିଏ ନଗର ଥିଲା । ସେହି ନଗରରେ ଜଣେ ବଡ ଧନୀ ମହାଜନ ଥିଲା । ସେହି ମହାଜନର ନାମ ପ୍ରେମଚାନ୍ଦ ।
ମହାଜନ ପ୍ରେମଚାନ୍ଦର ସାତ ପୁଅକୁ ସାତ ବୋହୂ । ରୂପରେ ଗୁଣରେ କେହି କାହାକୁ ଊଣା ନଥିଲେ ।
ଦଇବ ଯୋଗ, କଥାରେ କହନ୍ତି ଦଇବ ଦଉଡି ମଣିଷ ଗାଈ ଯେଣିକି ଟାଣିବ ତେଣିକି ଯାଇ । ଦଇବ ଯୋଗକୁ ସେ ଘରେ ଆସି ହାଡବାଇଟିଏ ବାସ କଲା । ସେ ପୁଣି ଖୁବ୍ ଦୁଷ୍ଟ ଥିଲା । ସେ ଘରେ ଥାଇ ଖୁବ୍ ଅତ୍ୟାଚାର ଆରମ୍ଭ କରି ଦେଲା ଯାହାକୁ ଦେଖିଲା ତାହାକୁ ଖାଇଲା । ଏମିତି ଗୋଟି ଗୋଟି କରି ସମସ୍ତଙ୍କୁ ଖାଇ ଦେଲା । ଶେଷକୁ ଥିଲା ମହାଜନଙ୍କର ସାନ ବୋହୂ । ସାନ ବୋହୂ ପୁଣି ସାତ ମାସର ଗର୍ଭ ବତୀ ଥିଲା । ସାନ ବୋହୂ ସେ ଘରେ ଥାଇ ସବୁ ଦେଖୁଥିଲା । ଏ ଘରେ ରହିଲେ ହାଡବାଇ ନିଶ୍ଚୟ ସମସ୍ତଙ୍କୁ ଖାଇବା ଭଳି ତାକୁ ବି ଖାଇ ଦେବ । ସେ ଭୟରେ ଆଉ ରହି ପାରିଲା ନାହିଁ । ଶେଷରେ ସାନ ବୋହୂ କ’ଣ କଲା ନା ନିଜର ରହିବା ଘରେ ଗୋଟାଏ ଚାବି ପକାଇ ଦେଇ ନିଜ ବାପ ଘରକୁ ଚାଲି ଗଲା । ସବୁ କଥା ନିଜର ବାପ ମାଆଙ୍କୁ କହିଲା, ବାପ ମାଆ ସବୁ ଶୁଣିସାରି କରିବେ କ’ଣ ଆଉ, ଝିଅକୁ ନିଜ ଘରେ ରଖିଲେ ।
ବାପ ଘରେ ରହିବାର କିଛି ଦିନ ପରେ ସାନ ପୁଅର ଗୋଟିଏ ପୁଅ ହେଲା ସେ ପୁଅ ଜନ୍ମ କାଳରୁ ମାମୁଁ ଘରେ ରହି ବଢିବାକୁ ଲାଗିଲା ।