ସେହି ଦିନ ଠାରୁ କୃଷ୍ଣ ସୁନ୍ଦର ଶଶୁର ଘରେ ବସବାସ କଲା । ରାଜା ଝିଅ ମଧ୍ୟ ସ୍ୱାମୀଙ୍କର ମନ ପରଖି ସେବା କରୁଥାଏ – କେହି କାହାକୁ ଦଣ୍ଡେ ପାଖରୁ ଅନ୍ତର କରି ରହି ପାରୁ ନଥାନ୍ତି ।
ଏହି ପରି ଭାବରେ କୃଷ୍ଣ ସୁନ୍ଦର ଶଶୁର ଘରେ ଖୁବ୍ ଆନନ୍ଦରେ ଦିନ ବିତାଇଲା । ଦିନକର କଥା – କୃଷ୍ଣ ସୁନ୍ଦର ଯାଇ ରାଜାଙ୍କୁ କହିଲା – ହେ ଛାମୁ ମୋର ଏବେ ନିଜ ଘରକୁ ଯିବା ଲାଗି ଇଚ୍ଛା ହେଉଛି । ଆପଣ ଏବେ ଆମକୁ ଅନୁମତି ଦିଅନ୍ତୁ ।
ରାଜା ଜ୍ୱାଇଁଙ୍କର ମନର କଥାକୁ ସମ୍ମତି ଜଣାଇ କହିଲେ – ମୁଁ ଏଥର ସମସ୍ତ ବନ୍ଦୋବସ୍ତ କରି ଦେଉଛି । ତା’ପରେ ରାଜା ନିଜ ଝିଅ ଜ୍ୱାଇଁଙ୍କ ପାଇଁ ବହୁ ପରିମାଣରେ ଯାନି ଯୌତୁକ ଗାଡି ଘୋଡା କରି କୃଷ୍ଣ ସୁନ୍ଦରଙ୍କ ଘରକୁ ପଠାଇ ଦେଲେ ।
ଏହା ପରେ ରାଜ କୁମାରୀଙ୍କୁ ସାଥୀରେ ଧରି କୃଷ୍ଣ ସୁନ୍ଦର ନିଜ ଗ୍ରାମକୁ ଆସିଲା । ଶଶୁର ଘର ଛାଡି କିଛି ବାଟ ଯାଇଛନ୍ତି ବାଟରେ ଗୋଟିଏ ଜଙ୍ଗଲ ପଡିଲା । ସେହି ଜଙ୍ଗଲ ମଧ୍ୟରେ କୃଷ୍ଣ ସୁନ୍ଦର ଭାବିଲା, ମୁଁ ହେଉଛି ଜାତିରେ ବ୍ରାହ୍ମଣ, ରାଜ କୁମାରୀଙ୍କ ପରି ଜଣେ କ୍ଷତ୍ରିୟ ରମଣୀଙ୍କୁ ବିବାହ କଲି । ବର୍ତ୍ତମାନ ରାଜ କୁମାରୀଙ୍କୁ ନେଇ ନିଜ ଗ୍ରାମକୁ ଗଲେ ସେଠାରେ ଜାତିଆନା ଭାବ ଦେଖା ଦେବ । ସେମାନେ ଆମକୁ ଘରେ ପୁରାଇ ଦେବେ ନାହିଁ । ଏଥି ଲାଗି ମୋତେ ଗୃହ ପରିତ୍ୟାଗ କରି ଦୁଃଖ ଭୋଗ କରିବାକୁ ହେବ, ସାଇ ପଡିଶାର ଲୋକେ ଏପରି ବିବାହକୁ କେବେ ହେଲେ ସମର୍ଥନ କରିବେ ନାହିଁ । ସେମାନେ ଆମକୁ ଜାତିରୁ ତଡି ଦେଲେ ଏହା ପରେ ଆମେ କ’ଣ କରିବୁ ।
ରାଜା ଝିଅକୁ ଯଦି ମୁଁ ଏହି ରାସ୍ତାରେ ଛାଡି ଦେଇ ଲୁଚି କରି ଚାଲିଯିବି । ସେଥିରେ ମଧ୍ୟ ମୋତେ ଶାନ୍ତି ମିଳନ୍ତା । ଦୁଃଖ ବି ହଟନ୍ତା ହେଲେ ରାଜା ଝିଅ ଯେବେ ପଥ ପଚାରି ପଚାରି ମୋ ଘରେ ପହଁଚି ଯିବ, ତାହା ହେଲେ ତ ମୋତେ ପୁଣି ସେହି ଦଶା ଭୋଗ କରିବାକୁ ହେବ, ନାଁ ତାହା କରିବି ନାହିଁ ।