ସେ ପୁଅକୁ ଯେତେ ବେଳେ ବାର ବର୍ଷ ହେଲା ସେତେ ବେଳେ ତା’ର ଜଣେ ସାଙ୍ଗ ଥିଲା – ସେମାନେ ଯେତେ ବେଳେ ସାଙ୍ଗ ହୋଇ ଖେଳିବାକୁ ବାହାରିଲେ ସେତେ ବେଳେ ସାଙ୍ଗ ଜଣକ ତାକୁ କହିଲା – ଖେଳିବାକୁ ଆଗଭର ହୋଇଗଲୁ । ଆରେ ତୁ କ’ଣ ଆମ ସାଥିରେ ଖେଳିବା ଲାଗି ସମାନ ହୋଇଗଲୁ । ତୁଟା ଗୋଟାଏ କୁକୁର ଠାରୁ ହୀନ, ଅଜା ଘରର ଦୟାରେ ତୁ ଏଠାରେ ପେଟକୁ ଗଣ୍ଡେ ଖାଇ କରି ପଡିଛୁ, ୟେ କ’ଣ ତୋର ଘର ନା, ଏଠି ତୋର ବାପ ଅଛି ।
ସାଙ୍ଗ ମାନଙ୍କ ଠାରୁ ଏକଥା ଶୁଣି ସେ ପୁଅକୁ ଖୁବ୍ ବାଧିବାରୁ ସେ ସାଙ୍ଗ ଛାଡି ଘରକୁ ପଳାଇ ଆସିଲା । ମାଆ ପାଖରେ ଯାଇ କାନ୍ଦ କାନ୍ଦ ହୋଇ କିଛି କହି ପାରିଲା ନାହିଁ ।
ପୁଅ ତ ଖେଳିବାକୁ ଯାଇଥିଲା । ସେ ପୁଣି ସେଠାରେ ନ ଖେଳି ଫେରି ଆସିଲା କାହିଁକି । ଆଉ କାନ୍ଦୁଛି ବା କାହିଁକି । ତହୁଁ ମାଆ ପୁଅକୁ କଅଁଳେଇ ସଅଁଳେଇ ପଚାରିଲା, ତୋର କ’ଣ ହୋଇଛି ପୁଅ । ତୁ ଖାଲି କାନ୍ଦୁଛୁ ତ, କିଛି କହୁନୁ କାହିଁକି, କହିଲେ ସିନା ମୁଁ କିଛି ବୁଝନ୍ତି ।
ମାଆ ପୁଅର ଆଖିରୁ ଲୁହ ପୋଛି ଦେବାରୁ ପୁଅ କହିଲା କହିଲୁ ମାଆ, ଆମ ଘର କେଉଁଠାରେ?
ମାଆ ଯେଉଁଠୁ ପୁଅ ମୁହଁରୁ ଏକଥା ଶୁଣିଲେ । ସେଠୁ ମାମୁଁ, ମାଇଁ, ଆଈ, ଅଜା ସମସ୍ତେ କହିଲେ । ଆରେ ତୁ ଏମିତି ନୂଆ କଥାଟିଏ ପଚାରିଲୁ କିଆଁ? ଆରେ ତୋର ଘର ପୁଣି କେଉଁଠାରେ । ତୁ ତ ଯେଉଁଠାରେ ଅଛୁ ସେହିଟା ତୋର ଘର ।