ତୁମେ ଘର ଭିତରେ ନପଶି ସେହି ଠାରେ ଚୁପ୍ ହୋଇ ରହ, ତୁ ଯଦି ମୋର କଥା ନମାନିବୁ ତାହା ହେଲେ ମୁଁ ତୋତେ ଖାଇ ଯିବି ।
ଟୋକା କାହିଁକି ଡରିବ, ସେ ବି କହିଲା ତୁ ମୋତେ ଖାଆନା ମୁଁ ତୋତେ ଭଲରେ ଭଲରେ କହୁଛି । ମୁଁ ଏହି ଘରେ ରହିବି । ତେଣୁ ତୁ ମୋତେ ଆଦୌ ବିରୋଧ କରିବୁ ନାହିଁ । ଆଉ ବି ମନେ ରଖ ମୁଁ ଏହି ଘରେ ରହିଲେ ତୋତେ ବହୁତ ଭଲ ଭଲ ସ୍ୱାଦ ପୂର୍ଣ୍ଣ ଖାଦ୍ୟ ଆଣି ଖାଇବାକୁ ଦେବି ।
ଟୋକା କଥାରେ ହାଡବାଇର ମନ କେମିତି ଗୋଟାଏ ଶାନ୍ତ ହୋଇଗଲା । ସେ କହିଲା ଠିକ୍ ଅଛି, ମୁଁ ତୋ କଥା ମାନିଲି – ତୁ ମୋତେ ଭଲ ଭଲ ଜିନିଷ ଆଣି ଖାଇବାକୁ ଦେବୁ ତ । ଏଥିଲାଗି ମୁଁ ତୋତେ ଏଠାରେ ରହିବାର ସୁଯୋଗ ଦେଲି ।
ଟୋକା ଆଉ ମାମୁଁ ଘରକୁ ଗଲା ନାହିଁ । ସେହି ଦିନ ଠାରୁ ସୁଖ ଆଉ ଦୁଃଖ ମଧ୍ୟରେ ସେହି ଘରେ ହିଁ ସମୟ ଅତିବାହିତ ହେଲା ।
ଦିନକର କଥା, ହାଡବାଇ କେଉଁଆଡେ ଯିବାକୁ ବାହାରି ଥାଏ । ଟୋକା ତାହା ଦେଖି ତାକୁ ପଚାରିଲା – ତୁ ପ୍ରତିଦିନ ଏମିତି କୁଆଡେ ଯାଉଛୁ ।
ଟୋକା ଠାରୁ ଏକଥା ଶୁଣି ହାଡବାଇ କହିଲା ସେ କଥା ତ ତୋତେ କହିବାର ନୁହଁ । ତଥାପି କହୁଛି ଯେ ବର୍ତ୍ତମାନ ମୋତେ ବିଧାତାଙ୍କ ଦରବାରକୁ ଯିବାକୁ ହେବ ।