ଏତେ ବେଳ ଯାଏଁ ରାଜକନ୍ୟା ନିଜର ପିତା ମାତା ଓ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଆଗରେ କଥାଟି କହି ସାରିଲା – ତା’ପରେ ରାଜାଙ୍କର ଛାତି ଉପରେ ନିଜେ ଢଳି ପଡି କହିଲା – ବାପା ବିଧାତା ମୋ ଲଲାଟରେ ଯାହା ଯାହା ସବୁ ଲେଖିଛନ୍ତି ତାହା ତ ମୋତେ ଭୋଗ କରିବାକୁ ହେବ । ବିଧାତାଙ୍କର ଲେଖାକୁ ଆପଣ ନା ଆଉ କେହି କେବେ ବଦଳାଇ ପାରିବ ନାହିଁ ।
ମୋ ପାଇଁ ତ ବିଧାତା ଦୁଃଖ ଲେଖିଛନ୍ତି । ପୁଣି ସମୟ ଆସିଲେ ସୁଖ ଦେବେ । ସୁଖ ଦୁଃଖ ଏ ଦୁଇଟାକୁ ଯାହା ମୋର ଭୋଗ କରିବାର ଥିବ ତାହା ମୋତେ ଭୋଗ କରିବାକୁ ପଡିବ । ଆପଣ ଆଉ ଏତେ ମାନସିକ ଚିନ୍ତାରେ ପଡି ଛଟପଟ ହୁଅନ୍ତୁ ନାହିଁ । କିନ୍ତୁ ମୋର ଆପଣଙ୍କୁ ଏତିକି ଅନୁରୋଧ ଯେ ମୋ ପାଇଁ ଗୋଟିଏ ଛୋଟିଆ କାର୍ଯ୍ୟ କରନ୍ତୁ । ମୋ ପାଇଁ ଗୋଟିଏ ବିଜ୍ଞାପନ ଲେଖି ସେହି ବିଜ୍ଞାପନକୁ କାଶୀ ସହରର ଚତୁଃ ର୍ଦିଗରେ ବାଂଟି ଦେବେ । ସେଥିରେ ବିଷୟ ବସ୍ତୁ ଲେଖିବେ ଯେ – ମୋ ଝିଅ ସାରା ସଂସାରକୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହେଁ । ସେହି ପ୍ରଶ୍ନର ଉତ୍ତର ଯେ ସଠିକ୍ ଭାବରେ ଦେଇ ପାରିବ ଉତ୍ତର କର୍ତାଙ୍କୁ ରାଜ ଦରବାର ତରଫରୁ ଲକ୍ଷେ ସୁବର୍ଣ୍ଣ ମୋହର ପ୍ରଦାନ କରି ପୁରସ୍କୃତ କରାଯିବ ।
ଝିଅ କଥାରେ ରାଜା ବଡ ବଡ ଅକ୍ଷରରେ ଏକ ବିଜ୍ଞାପନ ଲେଖି ରାଜ୍ୟ ସାରା କାନ୍ଥ, ବାଡରେ ଲଗାଇ ଦେବାର ବ୍ୟବସ୍ଥା କରି ଦେଲେ । ରାଜା ଝିଅ ସମସ୍ତଙ୍କ ଲାଗି ଗୀତ ଆକାରରେ ଗୋଟିଏ ପ୍ରଶ୍ନ ପଚାରି ଥାଆନ୍ତି ।