ପୁରୁଣା କାଳର କଥା । ଅନଙ୍ଗପାଳ ଅବନ୍ତୀପୁର ରାଜ୍ୟର ରାଜା ଥିଲେ । ତାଙ୍କର ତ ଗୁଡିଏ ହାତୀ ଥା’ନ୍ତି । ସମସ୍ତିଙ୍କ ମଧ୍ୟରେ ସର୍ବାଣୀ ନାମକ ହାତୀକୁ ରାଜା ବଡ ସ୍ନେହ କରୁଥା’ନ୍ତି । କାରଣ ସେହି ହାତୀ ଉପରେ ଚଢି ସେ ବହୁତ ଯୁଦ୍ଧ ଜୟ କରିଥା’ନ୍ତି । ତେଣୁ ସେ ହାତୀକୁ ସେ ରାଜକୀୟ ସମ୍ମାନ ଦେଉଥା’ନ୍ତି । ଏଣୁ ସେ ରାଜାଙ୍କର ବଡ ପ୍ରିୟ ସର୍ବାଣୀ ଥିଲା ।
ଦିନେ ରାଜା ସେହି ହାତୀ ଉପରେ ବସି ତାଙ୍କ ଉଦ୍ୟାନକୁ ଯାଉଥିଲେ । ଟିକିଏ ଆଗରୁ ସେ ହାତୀ ହଠାତ୍ ବୃହଂଣ କରି ଗୋଟିଏ ସ୍ଥାନରେ ଲଥ୍ କରି ବସିପଡିଲା । ରାଜା ହାଉଦା ଉପରୁ ତଳକୁ ଡେଇଁପଡିଲେ ଓ ମାହୁନ୍ତକୁ କହିଲେ ଯେ ହାତୀ ବୋଧହୁଏ ଅସୁସ୍ଥ । ତେଣୁ ତା’ର ଚିକିତ୍ସା ହେବା ଯଥାଶୀଘ୍ର ଦରକାର । ତା’ପରେ ରାଜବୈଦ୍ୟ ଶିବଶର୍ମାଙ୍କୁ ଡକାହେଲା । କାହିଁକିନା ସେ ପଶୁପକ୍ଷୀଙ୍କ ଚିକିତ୍ସାରେ ମଧ୍ୟ ବେଶ୍ ସିଦ୍ଧହସ୍ତ ଥିଲେ । ସେ ହାତୀକୁ ପରୀକ୍ଷା ନିରୀକ୍ଷା କରି କହିଲେ, “ମହାରାଜ, ଏହି ହାତୀକୁ ଏକ ପ୍ରକାରର ବାତରୋଗ ହୋଇଛି । ଏହାକୁ ସର୍ବାଙ୍ଗ-ସଙ୍କୋଚନ ରୋଗ କୁହନ୍ତି । ଏହା ଏକ ବିରଳ ରୋଗ । ଏଥିରେ ପ୍ରାୟ କେହି ବି ବଂଚନ୍ତି ନାହିଁ । କାରଣ ଏ ରୋଗ ବିଷୟରେ ଏବେ ମୁଁ ଏକ ପ୍ରାଚୀନ ପୁସ୍ତକ ପଢିଛି । ଏହାର ଚିକିତ୍ସା ପାଇଁ ମଧ୍ୟ ବହୁତ ପଇସା ଲାଗିବ । ପୁଣି ଠିକ୍ କରି କହିହେବ ନାହିଁ ଯେ ସେ ପୁରାପୁରି ସୁସ୍ଥ ହୋଇଯିବ କି ନାହିଁ । ମୁଁ କିନ୍ତୁ ମୋର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି । ମାତ୍ର ଫଳ ତ ଭଗବାନଙ୍କ ହାତରେ ।”
ରାଜାଙ୍କୁ ସେ ବୈଦ୍ୟଙ୍କ କଥା ମୋଟେ ଭଲ ଲାଗିଲା ନାହିଁ । ତେଣୁ ସେ କହିଲେ, “ମୁଁ ଚାହେଁ ଯାହା ହେଉ ପଛେ କିନ୍ତୁ ମୋ ହାତୀ ବଂଚିଯାଉ । ଆପଣ ଏଥର ଆପଣଙ୍କ ଚିକିତ୍ସା କାର୍ଯ୍ୟ ଆରମ୍ବ କରନ୍ତୁ ।”
ରାଜାଜ୍ଞା ପାଇ ଶିବଶାସ୍ତ୍ରୀ ହାତୀର ଚିକିତ୍ସା ଆରମ୍ଭ କଲେ । ହାତୀକୁ ଏକ ସ୍ୱତନ୍ତ୍ର ଖୋଲା ଘରେ ରଖାଗଲା । ନାନା ପ୍ରକାର ଜଡିବୁଟି ଅଣା ହୋଇ ସେଥିରେ ମଲମ ତିଆରିକରି ହାତୀ ଦେହରେ ସେସବୁର ଲେପ ଦିଆଗଲା ।
ଏହିପରି ଭାବେ ଏକମାସ ବିତିଗଲା ସିନା; ହେଲେ ହାତୀର ସ୍ୱାସ୍ଥ୍ୟରେ ଆଦୌ କିଛି ବି ଉନ୍ନତି ହେଲା ନାହିଁ । ଫଳରେ ରାଜାଙ୍କର ମନ ବଡ ଦୁଃଖ ଓ ଅଶାନ୍ତିରେ ପୂର୍ଣ୍ଣ ହେଲା । ଶିବଶର୍ମା କହିଲେ, “ମହାରାଜ, ବାହ୍ୟରୂପରେ ଜଣା ନ ପଡିଲେ ବି ଭିତରେ ଏହି ହାତୀର ଉନ୍ନତି ମୁଁ ଠିକ୍ ଜାଣି ପାରୁଛି । ମୋର ବିଶ୍ୱାସ ଆଉ ଖୁବ୍ ଅଳ୍ପ ଦିନ ଭିତରେ ଆପଣଙ୍କ ହାତୀ ସମ୍ପୂର୍ଣ୍ଣରୂପେ ଭଲ ହୋଇଯିବ ।”
ଏସବୁ କଥା ସେ ରାଜାଙ୍କୁ ମୋଟେ ଭଲ ଲାଗିଲା ନାହିଁ । ରାଜା କିଛି କହିବାକୁ ଯାଉଛନ୍ତି, ଠିକ୍ ସେହି ସମୟରେ ସଭାସଦ୍ମାନଙ୍କ ମଧ୍ୟରୁ କେହି ଜଣେ ଉଠିପଡି କହିଲେ, “ମହାରାଜ, ଆଜିପର୍ଯ୍ୟନ୍ତ ସର୍ବାଣୀର ଯାହା ବି କିଛି ଚିକିତ୍ସା ହୋଇଛି, ତଦ୍ୱାରା ହାତୀର ସ୍ୱାସ୍ଥ୍ୟର ଯେ ଉନ୍ନତି ହୋଇଛି ମୋର କାହିଁ ମନେ ହଉ ନାହିଁ । ଏଥିଲାଗି ମୋତେ ମଧ୍ୟ ଥରେ ସୁଯୋଗ ଦିଅନ୍ତୁ, ମୁଁ ଚିକିତ୍ସା କରି ଦେଖେ, ଅଳ୍ପଦିନ ମଧ୍ୟରେ ସେ ନିଶ୍ଚୟ ସମ୍ପୂର୍ଣ୍ଣ ରୂପେ ଠିକ୍ ଠାକ୍ ହୋଇଯିବ ।”
ଏପରି କଥା ଶୁଣି ରାଜା ତାଙ୍କୁ ପ୍ରଶ୍ନାତ୍ମକ ଦୃଷ୍ଟିରେ ଚାହିଁବାରୁ ସେ ବଡ ବିନମ୍ରତାପୂର୍ବକ କହିଲେ, “ମହାରାଜ, ମୋ ନାମ ଜୀବକଦତ । ମୁଁ ମଧ୍ୟ ଜଣେ ବୈଦ୍ୟ ।”